ଅତିଥି ଶିକ୍ଷକ ଭାବେ ନିିଯୁକ୍ତି ପାଇଲେ ୭୧

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶକ୍ରମେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ୭୧ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ସରକାରୀ ବିଦ୍ୟାଳୟରେ ୧୪ଜଣ, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୩ଜଣ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ୩୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ଅତିଥି ଶିକ୍ଷକମାନଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକ ଦିଆଯିବ। ଖାଲିଥିବା ପଦବିରେ ଶିକ୍ଷକ ନିଯୁକ୍ତି ଦିଆଗଲେ ଏହି ଅତିଥି ଶିକ୍ଷକମାନେ ଚାକିରିରୁ ଅନ୍ତର ହେବେ। ସରକାରୀ ଛୁଟିଦିନ ବ୍ୟତୀତ ଅବସରପ୍ରାପ୍ତ ଶିକ୍ଷକମାନେ ବିଦ୍ୟାଳୟକୁ ଅତିକମରେ ୨୦ଦିନ ଯାଇ ପାଠ ପଢ଼ାଇବେ। ଆଗକୁ ବିଭିନ୍ନ ପରୀକ୍ଷା ଥିବାରୁ ଏହାଦ୍ବାରା ବିଦ୍ୟାଳୟରେ ପାଠପଢ଼ା ଠିକ୍ ହେବା ସହ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି। ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ଆରମ୍ଭ ହେବା ସମୟରେ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ ସେମାନଙ୍କ ଅବସର ପରେ ଆଉ କାହାରିକୁ ନିଯୁକ୍ତି ଦିଆଯାଉନଥିବାରୁ ସେସବୁ ଉଚ୍ଚବିଦ୍ୟାଳୟ ଗୁଡ଼ିକ ଏବେ ଶିକ୍ଷକଶୂନ୍ୟ ହେବାକୁ ବସିଛି। ଅନେକ ବିଦ୍ୟାଳୟ ଜଣେ ଦୁଇଜଣ ଶିକ୍ଷକରେ ଚାଲିଛି। ଏସବୁ ବିଦ୍ୟାଳୟରେ ଅତିଥି ଶିକ୍ଷକ ନିଯୁକ୍ତି ପରେ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଅଭିଭାବକମାନେ କହିଛନ୍ତି।

ସମ୍ବନ୍ଧିତ ଖବର