ନୂଆବର୍ଷରେ ଶିମିଳିପାଳ ବୁଲିଲେ ୭୧୬ ପର୍ଯ୍ୟଟକ, ଶ୍ରୀହରିବଳଦେବଜୀଉ ମନ୍ଦିର ଆଗରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା: କରୋନା ସତ୍ତ୍ବେ ନବବର୍ଷଣ ଉତ୍ସାହରେ ଭଟ୍ଟା ପଡ଼ିନଥିଲା। ଜିଲ୍ଲାରେ ଏପର୍ଯ୍ୟନ୍ତ ମନ୍ଦିର ଖୋଲିନଥିଲେ ମଧ୍ୟ ଆଜି ସକାଳୁ ସକାଳୁ ବିଭିନ୍ନ ମନ୍ଦିର ଆଗରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବାରିପଦାର ଶ୍ରୀହରିବଳଦେବଜୀଉ ମନ୍ଦିର ହେଉ ଅବା ମା ଅମ୍ବିକାଙ୍କ ମନ୍ଦିର। ସବୁଠି ଥିଲା ଭକ୍ତଙ୍କ ଗହଳି। ବାହାରୁ ହେଲେ ମଧ୍ୟ ଦେବାଦେବୀଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ ଥିଲା।

ସେହିପରି ଆଜି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ମଧ୍ୟ ଭିଡ଼ ଜମିଥିଲା। ଗତକାଲି ରାତି ୧୦ରୁ ଆଜି ସକାଳ ୫ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗିଥିଲା । ତେଣୁ ଗତକାଲି ନୁଆବର୍ଷକୁ ସ୍ବାଗତ ଉତ୍ସବ ପାଳନ କରିପାରିନଥିବା ଜନସାଧାରଣ କିନ୍ତୁ ଆଜିର ସୁଯୋଗକୁ ହାତଛଡ଼ା କରିନଥିଲେ। ଆଜି କେବଳ ଶିମିଳିପାଳକୁ ୭୧୬ଜଣ ପର୍ଯ୍ୟଟକ ଆସିଛନ୍ତି। ଯଶୀପୁର ଫାଟକ ଦେଇ ୬୮ଟି ଗାଡିରେ ୪୦୫ ଜଣ ପର୍ଯ୍ୟଟକ ଏବଂ ଶାମାଖୁଣ୍ଟା ବ୍ଲକର ପିଠାବଟା ପ୍ରବେଶ ପଥ ମଧ୍ୟ ଦେଇ ୪୦ଟି ଗାଡିରେ ୩୧୧ ଜଣ ପର୍ଯ୍ୟଟକ ଶିମିଳିପାଳକୁ ବୁଲିବାକୁ ଆସିଛନ୍ତି। ସେହିପରି ଜିଲ୍ଲାର ଭୀମକୁଣ୍ଡ, ଦେବକୁଣ୍ଡ, ସୀତାକୁଣ୍ଡ, ବ୍ରାହ୍ମଣୀ କୁଣ୍ଡ, ରାମତୀର୍ଥ, ବାଲିଡ଼ିହା ବନ୍ଧ, କାଳିଆଖାଳ, ହଳଦିଆ ବନ୍ଧ, ଦେଉଳି ବନ୍ଧ, ବଡ଼ଯୋଡ଼ ବନ୍ଧ, ଶମୀବୃକ୍ଷ, କାଳ, ସୁନେଇ ଡ୍ୟାମ୍‌ ସମେତ ସୁଲେଇପାଟ ବନ୍ଧ ଆଦି ବିଭିନ୍ନ ସ୍ଥାନରେ ବଣଭୋଜି ଓ ନାଚଗୀତର ଆସର ଦେଖିବାକୁ ମିଳିଥିଲା।

ସେହିପରି ଜିଲ୍ଲାର ବିଭିନ୍ନ ଦେବାଳୟ ଆଗରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା। ଗତକାଲି ରାତିରେ ନାଇଟ୍‌ କର୍ଫ୍ୟୁ ଲାଗିଥିଲେ ମଧ୍ୟ ମଧ୍ୟରାତ୍ରିରେ ବାରିପଦାରେ ଆତସବାଜୀର ଶବ୍ଦ ଶୁଣିବାକୁ ମିଳିଥିଲା ।‌ ସେହିପରି ଲୋକମାନେ ଘର ଭିତରେ ଥାଇ ପରସ୍ପରକୁ ଶୁଭେଚ୍ଛା ଜଣାଇ ନବବର୍ଷକୁ ସ୍ବାଗତ କରିଥିବା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର