୭୨ କୋଟିର ବସ୍‌ଷ୍ଟାଣ୍ଡ: ଭୁଶୁଡ଼ି ଗଲାଣି ଭିତ୍ତିଭୂମି, ସଞ୍ଜ ନଇଁଲେ ନିଶାଡ଼ିଙ୍କ ଆଡ଼ା

ନୂଆ ବସ୍‌ଷ୍ଟାଣ୍ଡ ପାଇଁ ଦିଆଯାଇଛି ପ୍ରସ୍ତାବ

ପୁରୀ: ନବକଳେବର ବେଳେ ପର୍ଯ୍ୟଟନ ସହର ପୁରୀର କଳେବର ବଦଳିଥିଲା। ୨୦୧୫ରେ ୭୨ କୋଟି ଟଙ୍କା ବ୍ୟୟରେ ମାଳତୀପାଟପୁରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲା। ଅଥଚ ଯେଉଁ ଉଦ୍ଦେଶ୍ୟ ନେଇ ଏତେ ବଡ଼ ପରିକଳ୍ପନା କରାଗଲା ତାହା ସାଧିତ ହେଲା ନାହିଁ। ପ୍ରକଳ୍ପ ରୂପାୟନ କରିଥିବା ଅଧିକାରୀ ଓ ବସ୍‌ ମାଲିକମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ କୋଟିକୋଟି ଟଙ୍କାର ପ୍ରକଳ୍ପ ଅଲୋଡ଼ା ହୋଇଯାଇଛି। ଯାତ୍ରୀବାହୀ ବସ୍‌ ଚଳାଚଳ କରିବା ପରିବର୍ତ୍ତେ ଏବେ ଏହା କେବଳ ପର୍ଯ୍ୟଟକଙ୍କୁ ଆଣୁଥିବା ବସ୍‌ଗୁଡ଼ିକର ରହଣିସ୍ଥଳ ପାଲଟିଛି।

ଅଦୂରଦର୍ଶୀ ଯୋଜନା ଯୋଗୁ କୋଟି କୋଟି ଟଙ୍କାର ରାଜସ୍ବ ପାଣିରେ ପଡ଼ିଛି ବୋଲି ସଚେତନ ନାଗରିକମାନେ ଅଭିଯୋଗ କରିଛନ୍ତି। ପୁରୀ ଭଳି ବାତ୍ୟା ପ୍ରବଣ ଅଞ୍ଚଳରେ ଏହା ନିର୍ମିତ ହୋଇଥିଲେ ହେଁ ଟିଣ ଛାତ ପକାଯାଇଛି। ପ୍ରତିଥର ବଡ଼ ବାତ୍ୟା ଆସିଲେ ଏଥିପାଇଁ ପୁଣି କୋଟିକୋଟି ଟଙ୍କାର ଅର୍ଥ ବରାଦ କରି ବାଟମାରଣା କରିବା ପାଇଁ ମସୁଧା ଖଞ୍ଜିଦିଆଯାଇଛି। ୨୦୧୯ ଫନି ବାତ୍ୟାରେ ଛିନ୍‌ଭିନ୍ ହୋଇଯାଇଥିବା ବସ୍‌ଷ୍ଟାଣ୍ଡର ଅବସ୍ଥା ହିଁ ଏହାର ପ୍ରକୃଷ୍ଟ ଉଦାହରଣ। ଅନ୍ୟପକ୍ଷରେ ଏହା ମଧ୍ୟରେ ୫ଶହ ବସ୍‌ ରହିବା ଭଳି ବ୍ୟବସ୍ଥା ହୋଇଥିବା ବ‌େଳେ ଯାତ୍ରୀ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ହୋଇଛି। ଆଇଆଇଟି ରୁର୍‌କି ପକ୍ଷରୁ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଥିବାରୁ ପ୍ରକଳ୍ପ ବାହାରକୁ ଚକ୍‌ଚକ୍‌ ଦେଖାଯାଉଛି। କିନ୍ତୁ ଏହା ମଧ୍ୟରେ ଥିବା ଶୌଚାଳୟ ଭାଙ୍ଗିରୁଜି ଯାଇଥିଲେ ବି ଏଗୁଡ଼ିକ ସଜଡ଼ା ଯାଉନାହିଁ। ପାନୀୟ ଜଳ ଟାଙ୍କିଗୁଡ଼ିକ ବର୍ଷବର୍ଷ ହେଲା ସଫା ହୋଇନାହିଁ। କେବଳ ଯେଉଁ ଟୁରିଷ୍ଟ ଗାଡ଼ିଗୁଡ଼ିକ ଆସୁଛି ସେମାନଙ୍କଠାରୁ ୨ଶହ ଟଙ୍କା ଅସୁଲ କରାଯାଉଛି, କିନ୍ତୁ ଏହା ମଧ୍ୟରେ ‌ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାର ବନ୍ଦୋବସ୍ତ ହେଉନାହିଁ। ସଞ୍ଜ ନଇଁଲେ ନିଶାଡ଼ିଙ୍କ ଆଡ଼ା ପାଲଟୁଛି। ଚୋରି ବଢ଼ିବାରେ ଲାଗିଛି। ୫୦ଟି ସିସିଟିଭି ଲାଗିଥିଲେ ବି ସେଥିମଧ୍ୟରୁ ଅଧିକାଂଶ କାମ କରୁନାହିଁ। କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରକଳା ସ୍ଥାନୀତ ହୋଇଥିଲେ ହେଁ ତାହା ଲିଭିଯିବାକୁ ବସିଲାଣି।

ଏଣେ ମଧୁର ଜଳ ଜୋନ୍‌ ତାଳବଣିଆରେ ରହୁଥିବା ଟୁରିଷ୍ଟ୍‌ ବସ୍‌ଗୁଡ଼ିକ ନରଖିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ବସ୍‌ଗୁଡ଼ିକୁ ସେଠାକୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘଦିନ ଅଲୋଡ଼ା ହୋଇ ପଡ଼ି ରହିଥିବା ବେଳେ ବିଲେଇ କପାଳକୁ ସିକା ଛିଣ୍ଡିବା ଭଳି ଏହାକୁ ଏବେ ବ୍ୟବହାର ସିନା କରାଯାଉଛି, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଆଜି ପର୍ଯ୍ୟନ୍ତ ସାଧିତ ହୋଇପାରୁନାହିଁ। ଏନେଇ ପୁରୀ ଘରୋଇ ବସ୍‌ ମାଲିକ ସଂଘର ସଦସ୍ୟ ରାଜବଲ୍ଲଭ ମିଶ୍ର କହିଛନ୍ତି, ସହରଠୁ ୬ କିଲୋମିଟର ଦୂରରେ ଏଭଳି ଏକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲେ ସୁଦ୍ଧା ସେତେବେଳେ ବସ୍‌ ମାଲିକଙ୍କ ସହ ଆଲୋଚନା ବି କରାଗଲା ନାହିଁ। ଅନ୍ୟପକ୍ଷରେ ଶେଷ ବସ୍‌ ରାତି ୧୧ଟାରେ ଆସୁଥିବା ବେଳେ ସେଥିରେ ମାତ୍ର ୮/୧୦ ଜଣ ଯାତ୍ରୀ ଆସନ୍ତି। ରାତି ୪ଟାରୁ ଏଠାରୁ ବସ୍‌ ଆତଯାତ ହୁଏ। ଏଭଳି ସ୍ଥଳେ ଯାତ୍ରୀମାନେ ଏ ସମୟରେ ସେଠାକୁ ଯିବା ପାଇଁ ପ୍ରସ୍ତୁତ ନୁହନ୍ତି। ତେଣୁ ଏହାକୁ ବିରୋଧ କରିଥିଲୁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବହୁମୂଲ୍ୟ ପ୍ରକଳ୍ପ ର୍ନିର୍ମାଣ ହୋଇଛି ସିନା, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ସାଧନଠାରୁ ଏହା ବହୁ ଦୂରରେ।

ସମ୍ବନ୍ଧିତ ଖବର