ଦେବଗଡ଼ର ସ୍ବାସ୍ଥ୍ୟସେବା ଏମିତି: ୧୦୬ ଡାକ୍ତର ପଦରୁ ୭୨ ଖାଲି

ଦେବଗଡ଼ : ଦେବଗଡ଼ ଜିଲ୍ଲାର ସ୍ବାସ୍ଥ୍ୟସେବା ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଜିଲ୍ଲାରେ ୧୦୬ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବିରୁ ୭୨ଟି ଖାଲିପଡ଼ିଛି। କେବଳ ୩୪ ଜଣ ଡାକ୍ତରରେ ଚାଲିଛି ଜିଲ୍ଲାର ସ୍ବାସ୍ଥ୍ୟସେବା।

ସୂଚନା ଅନୁସା‌ରେ, ୧୯୯୪ରେ ଦେବଗଡ଼ ଏକ ନୂତନ ଜିଲ୍ଲାର ମାନ୍ୟତା ପାଇଲା। ସେହିଦିନଠାରୁ ଦେବଗଡ଼ ସବ୍‌ଡିଭିଜନ ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିଲା। ଜିଲ୍ଲାରେ ମୋଟ୍‌ ୪ଟି ସିଏଚ୍‌ସି ଓ ୮ଟି ପିଏଚ୍‌ସି ରହିଛି। ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୫୫ ଡାକ୍ତର ପଦବି ରହିଥିବା ବେଳେ ବର୍ତ୍ତମାନ ୧୭ ଡାକ୍ତରଙ୍କୁ ନେଇ ଚାଲୁଛି ଏହି ଡାକ୍ତରଖାନା। ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨ ଜଣ ରହିଛନ୍ତି। ୯ଟି ଡାକ୍ତର ପଦ ଖାଲିରହିଛି। ସେହିପରି ଜିଲ୍ଲାରେ ୧୩୪ଟି ଷ୍ଟାଫ୍‌ନର୍ସ ପଦରୁ ୯୯ଟି ପଦ ଖାଲି ପଡ଼ିଛି। ମାତ୍ର, ୫୦ ଜଣ କାର୍ଯ୍ୟ ସମ୍ଭାଳୁଛନ୍ତି।

ଫଳରେ, ଦେବଗଡ଼ ଜିଲ୍ଲାରେ ଡାକ୍ତର ଅଭାବ ସମସ୍ୟା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର