ଜିଲ୍ଲାସ୍ତରରେ ୪୨% ଡାକ୍ତରୀ ପଦବି ଖାଲି

ଭୁବନେଶ୍ବର : ରାଜ୍ୟର ତୃଣମୂଳସ୍ତରରେ କିଭଳି ସ୍ବାସ୍ଥ୍ୟସେବା ଦିଆଯାଉଛି ତାହାର ବିକଳ ଚିତ୍ର ସାମ୍ନାକୁ ଆସିଛି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଉଥିବା ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଗୁଡ଼ିକରେ ୪୨ ପ୍ରତିଶତ ଡାକ୍ତରୀ ପଦବି ଖାଲି ପଡ଼ିଛି। କିଛି କିଛି ଜିଲ୍ଲାରେ ଏହି ହାର ୫୦ ପ୍ରତିଶତରୁ ବି ଅଧିକ ରହିଛି। କେବଳ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ନୁହେଁ, ମେଡିକାଲ କଲେଜରେ ମଧ୍ୟ ଅନେକ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସହକାରୀ ପ୍ରଫେସର ପଦବି ଖାଲି ରହିଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଖାଲି ପଡ଼ିଥିବା ଡାକ୍ତରୀ ପଦବି ପୂରଣ ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା କହି ଆସୁଛନ୍ତି। ମାତ୍ର ତୃଣମୂଳସ୍ତରରେ ବାସ୍ତବତା ଭିନ୍ନ ରହିଛି।

୭ ଜିଲ୍ଲାରେ ୫୦%ରୁ ଅଧିକ ପଦବି ଖାଲି ପଡ଼ିଛି
ସବୁଠାରୁ ଭଲ ସ୍ଥିତିରେ ଅଛି କ୍ୟାପିଟାଲ ହସ୍ପିଟାଲ
କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ୧୦୯ ଡାକ୍ତର

ରାଜ୍ୟରେ ଥିବା ଜିଲ୍ଲା ଚିକିତ୍ସାଳୟ ବାଦ୍ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ରାଉରକେଲା, ମେଡିକାଲ କଲେଜକୁ ମିଶାଇ ରାଜ୍ୟରେ ମୋଟ ୩୩ଟି ଡାକ୍ତରଖାନା ଥିବା ବେଳେ ଏଥିରେ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବି ହେଉଛି ୮୭୨୯। ଏଥିରେ ନିୟମିତ, ଆଡହକ୍, ଠିକା, ଡିଏମ୍‌ଏଫ୍‌ ପାଣ୍ଠି, କର୍ପସ ପାଣ୍ଠି ଇତ୍ୟାଦିକୁ ମିଶାଇ ମୋଟ ୩୬୯୧ ଡାକ୍ତର ନିୟୋଜିତ ହୋଇଛନ୍ତି। ବରଗଡ଼, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ନବରଙ୍ଗପୁର, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ଡାକ୍ତରୀ ପଦବି ୫୦ ପ୍ରତିଶତରୁ ଅଧିକ ଖାଲି ପଡ଼ିଛି। କେବଳ କ୍ୟାପିଟାଲ ହସ୍ପିଟାଲରେ ମାତ୍ର ୬ଜଣ ବା ୩ ପ୍ରତିଶତ ପଦବିରେ ଡାକ୍ତର ନାହାନ୍ତି।

BioSpectrum Asia

ସେହିପରି ରାଜ୍ୟର ୮୫ଜଣ ଡାକ୍ତର ଦୀର୍ଘଦିନ/ମନଇଚ୍ଛା ଛୁଟିରେ ପଳାଇଥିବା ବେଳେ ୨୪ଜଣ ଡାକ୍ତରଙ୍କୁ ରିଲିଭ୍ କରାଯାଇଥିଲେ ହେଁ ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି। ସେହିପରି ରାଜ୍ୟରେ ସମୁଦାୟ ୮ଟି ସରକାରୀ ମେଡିକାଲ କଲେଜ ରହିଛି। ୨୦୨୧ ସେପ୍ଟେମ୍ବର ସୁଦ୍ଧା ମେଡିକାଲ କଲେଜ ଗୁଡ଼ିକରେ ପ୍ରଫେସର ପାଇଁ ୨୪୨ ପଦବି ଥିବା ବେଳେ ଏଥିରେ ୧୭୬ଜଣ ରହିଛନ୍ତି। ୨୭ ପ୍ରତିଶତ ବା ୬୬ ପଦବି ଖାଲି ପଡ଼ିଛି। ସେହିପରି ଆସୋସିଏଟ୍‌ ପ୍ରଫେସର ପାଇଁ ୪୦୨ ପଦବି ଥିବା ବେଳେ ୧୦୬, ସହକାରୀ ପ୍ରଫେସର ପାଇଁ ୭୭୦ ପଦବିରୁ ୧୧୦, ସିନିଅର ରେସିଡେଣ୍ଟ ପାଇଁ ୫୪୩ ପଦବିରୁ ୧୮୩, ଟ୍ୟୁଟର ପାଇଁ ୨୫୪ ପଦବିରୁ ୪୭ ଖାଲି ରହିଛି।

ରାଜ୍ୟର ୮ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ କଲେଜକୁ ମିଶାଇ ସମୁଦାୟ ୩୧୪୭ ଡାକ୍ତରୀ ସିଟ୍‌ ରହିଛି। ଏଥିରେ ଏମ୍‌ବିବିଏସ୍‌, ବିଡିଏସ୍‌ ଓ ପିଜି ପାଠ୍ୟକ୍ରମକୁ ମିଶାଇ ସରକାରୀ ସ୍ତରରେ ୧୮୧୬ ଓ ଘରୋଇ କ୍ଷେତ୍ରରେ ୧୩୩୧ ସିଟ୍‌ରୁ ପ୍ରତିବର୍ଷ ଡାକ୍ତର ବାହାରୁଛନ୍ତି। ତେବେ ଜାତୀୟ ସ୍ତରରେ ରୋଗୀଙ୍କ ଅନୁପାତରେ ଡାକ୍ତରଙ୍କ ପଦବି ପୂରଣ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ।

ସମ୍ବନ୍ଧିତ ଖବର