ସରିଲା ବିଜେପୁର ଉପ-ନିର୍ବାଚନ, ୭୨ ପ୍ରତିଶତରୁ ଅଧିକ ମତଦାନ

ଇଭିଏମରେ ନେତାଙ୍କ ଭାଗ୍ୟ ସିଲ, ୨୮ରେ ମତଗଣନା

ଭୁବନେଶ୍ୱର/ବରଗଡ଼: ବହୁ ଆଶା ଆଶଙ୍କା ଭିତରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ପାଇଁ ମତଦାନ ଶନିବାର ଶେଷ ହୋଇଛି। ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ନେତାମାନଙ୍କ ଭାଗ୍ୟ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍‌ରେ କଏଦ୍‌ ହୋଇ ଯାଇଛି। ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୨୧ ହଜାର ଭୋଟ୍‌ ମଧ୍ୟରୁ ୭୨ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ ଗୋଟିଏରେ ୩୮ ପ୍ରତିଶତ, ୩ଟାରେ ୫୦ ପ୍ରତିଶତ ଓ ୪ଟାରେ ୬୮ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନରେ କିଏ ବାଜି ମାରିବ ତାହା ଫେବ୍ରୁଆରି ୨୮ରେ ଜଣାପଡ଼ିବ।

ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମାପନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ୧୨ଟି ସ୍କାର୍ଡ, ୧୨ଟି ଚେକ୍‌ପୋଷ୍ଟ ଗଠନ କରାଯାଇଥିଲା। ସେହିଭଳି ବିଏସଏଫ ଓ ସିଆରପିଏଫ ଯବାନମାନେ ୧୫୫ଟି ସମ୍ବେଦନଶୀଳ ଏବଂ ୨୧ଟି ଅତିସମ୍ବେଦନଶୀଳ ବୁଥରେ ନଜର ରଖିଥିଲେ।

ପୂର୍ବାହ୍ନରେ କିଛି ବୁଥରେ ମତଦାନ କାର୍ଯ୍ୟକ୍ରମରେ ସମସ୍ୟା ଉପୁଜିଥିଲା। ଭୋଇପାଲି ୧୦୨ ନମ୍ବର ବୁଥ, ବଡସାହସ ବାହାଲ ୨୬୫ ନମ୍ବର ବୁଥ ଓ ଖିନ୍ଦ୍ରାପାଲିର ଗୋଟିଏ ବୁଥରେ ଇଭିଏମ୍‌ ଖରାପ ହୋଇଯାଇଥିଲା। ଫଳରେ ମତଦାତାଙ୍କୁ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଥିଲା। ସେହିଭଳି ବିଜେପୁର ଅଞ୍ଚଳର ବରମୁରାରେ ୧୪୧ ନମ୍ବର ବୁଥରେ ମଧ୍ୟ ଇଭିଏମ୍‌ ଖରାପ ହୋଇ ଯିବାରୁ ପୂର୍ବାହ୍ନ ୧୧ଟା ପରେ ମତଦାନ ଆରମ୍ଭ ହୋଇଥିଲା।

କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ସୁବଳଙ୍କ ନିଧନ ପରେ ପତ୍ନୀ ରୀତା ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ପାରିବାରିକ ଲୋକପ୍ରିୟତା ଯୋଗୁ ସେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଅଞ୍ଚଳକୁ ୨ ଦିନିଆ ଗସ୍ତ କରିଥିଲେ। ଲୋକଙ୍କ ଆଶା ଓ ବିଶ୍ୱାସକୁ ନେଇ କାମ କରିବେ ଓ ସ୍ୱାମୀଙ୍କ ଅପୂରଣୀୟ କାମକୁ ପୂରା କରିବେ ବୋଲି କହଛନ୍ତି ରୀତା।

ଗତ ବର୍ଷ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି। ବିଭିନ୍ନ ସମସ୍ୟା ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ଅନେକ ଦୋଷାରୋପ କରିଛି। ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁ ନାହାନ୍ତି ବୋଲି ଅଭିଯୋଗ ଆଣିଛି। ବିଜେପିର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବହୁ କେନ୍ଦ୍ରମନ୍ତ୍ରୀ ବିଜେପୁର ଆସି ପ୍ରଚାର କରିଛନ୍ତି।

ଗାଇସିଲଟ୍‌ ଅଞ୍ଚଳର ତୃଣମୂଳ ସ୍ତରର ନେତା ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ବିଜେପୁରରେ ଗତ ୨୦୧୪ରେ କଂଗ୍ରେସ ବିଜୟୀ ହୋଇଥିଲେ ହେଁ କଂଗ୍ରେସର ଜିତିବା ଆଶା କ୍ଷୀଣ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ଆକଳନ କରୁଛନ୍ତି।

ସମ୍ବନ୍ଧିତ ଖବର