୫୫ ନମ୍ବର ଜାତୀୟ ରାଜପଥ: ଶେଷ ହୋଇଛି ୭୨% କାମ

ଅନୁଗୁଳ : ୫୫ ନମ୍ବର ଜାତୀୟ ରାଜପଥ କାମ ଚାଲିଛି ଯେ ଚାଲିଛି। ସରିବାର ନାଁ ଧରୁନି। କେଉଁଠି ରାସ୍ତା ଖୋଳି ଦିଆଯାଇଛି ତ କେଉଁଠି ମାଟି ପଡ଼ୁଛି। ଅନୁଗୁଳ ଓ ଢେଙ୍କାନାଳର ଜୀବନରେଖା କୁହାଯାଉଥିବା ଏହି ରାଜପଥର ଏମିତି ଅଧପନ୍ତରିଆ କାମ ପାଇଁ ୪ ବର୍ଷ ହେଲା ଯମଯନ୍ତ୍ରଣା ଭୋଗୁଛନ୍ତି ଜିଲ୍ଲାବାସୀ।

ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ୩ଟି ପ୍ୟାକେଜ୍‌ରେ କରାଯାଉଛି। କଟକରୁ ଢେଙ୍କାନାଳ, ଢେଙ୍କାନାଳରୁ ଅନୁଗୁଳ ଓ ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ବିଭକ୍ତ କରାଯାଇଛି। ୩ଟି ପ୍ୟାକେଜ୍‌ର କାମ କରୁଥିବା ଠିକା ସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ୍‌ ଦେବାଳିଆ ହୋଇଗଲା ପରେ ଏବେ ନୂଆ ଠିକା ସଂସ୍ଥା କାମ ହାତକୁ ନେଇଛି। କାମ ବି ଆରମ୍ଭ ହୋଇଗଲାଣି। କିନ୍ତୁ କାମ ଯେଉଁ ହାରରେ ଆଗଉଛି, ନିର୍ଦ୍ଧାରିତ ସମୟ ଭିତରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

କଟକରୁ ଢେଙ୍କାନାଳ ପର୍ଯ୍ୟନ୍ତ ୬୦ କିମି ରାସ୍ତା ନିର୍ମାଣ କାମ ୨୦୧୮ ଜାନୁଆରିରୁ ଆରମ୍ଭ ହୋଇଥିଲାବେଳେ ଏ ପର୍ଯ୍ୟନ୍ତ ୬୭ ପ୍ରତିଶତ କାମ ଶେଷ ହୋଇଛି। ସମୁଦାୟ ରାସ୍ତାରୁ ୪୬ କିମି ଚାରିଲେନ୍‌ କରାଯାଇଥିବା ଜଣାପଡ଼ିଛି। ୨୦୧୮ ମାର୍ଚ୍ଚରେ ଢେଙ୍କାନାଳ-ଅନୁଗୁଳ ୫୨ କିମି ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥିଲା ବେଳେ ୫୮ ପ୍ରତିଶତ ସରିଛି। ମାତ୍ର ୩୩ କିମି ରାସ୍ତାକୁ ୪ ଥାକିଆ କରା ଯାଇଥିବା ଜଣାପଡ଼ିଛି। ଅନୁଗୁଳ-ସମ୍ବଲପୁର ସେକ୍ସନ୍‌ରେ ଥିବା ୧୫୩ କିମି ରାସ୍ତା ଭିତରୁ ୧୧୫ କିମି ରାସ୍ତାକୁ ଏହା ଭିତରେ ୪ ଥାକିଆ କରାଯାଇଛି। ସମୁଦାୟ କାମ ଭିତରୁ ୭୨ ପ୍ରତିଶତ କାମ ଶେଷ ହୋଇଛି। ଚଳିତବର୍ଷ ଶେ‌ଷ ସୁଦ୍ଧା ରାଜପଥର ପ୍ରଶସ୍ତୀକରଣ କାମ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ତେବେ ବିଭିନ୍ନ ସ୍ଥାନରେ ହେଉଥିବା ଓଭରବ୍ରିଜ୍‌ଗୁଡ଼ିକ ଅଧପନ୍ତରିଆ ହୋଇ ପଡ଼ିଥିବାରୁ ରାସ୍ତା କାମ ସାରିବାରେ ବିଳମ୍ବ ହେବା ନିଶ୍ଚିତ। ରାଜପଥ କାମ ଶେଷ ହେଉ ନ ଥିବାରୁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଅକାଳରେ ଅନେକ ଜୀବନ ଯାଉଛି। କେବଳ ଏତିକି ନୁହେଁ, ରାସ୍ତା ଖରାପ ପାଇଁ କଟକ ଓ ଭୁବନେଶ୍ବର ଯିବା ପାଇଁ ଅଯଥାରେ ସମୟ ଯାଉଛି। ଡାଇଭର୍ସନ ଦେଇ ଏକପାଖିଆ ରାସ୍ତା କରାଯାଇଥିବାରୁ ଟ୍ରାଫିକ ଜାମ୍‌ ହୋଇ ଶହ ଶହ ଗାଡ଼ି ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି।

ସମ୍ବନ୍ଧିତ ଖବର