ପୁଲିସଙ୍କୁ କରୋନା ଅଡୁଆ: ଅଭିଯୁକ୍ତ କରୋନା ପଜିଟିଭ ପରେ କ୍ଵାରେଣ୍ଟିନରେ ଗଲେଣି ୭୨ ପୁଲିସ କର୍ମଚାରୀ

ପୁରୀ: ଚୋରି ଅଭିଯୁକ୍ତ କରୋନା ପଜିଟିଭ ଜଣାପଡିବା ପରେ କଣାସ ଥାନାର ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ଯିବା ଲାଗି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏକ ବାଇକ ଚୋରି ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣବେଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ଅଭିଯୁକ୍ତର ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ କଣାସ ଥାନାର କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାବେଳେ କଣାସ ଥାନାର ଆଇଆଇସି ହୋମ କ୍ଵାରେଣ୍ଟିନରେ ଯାଇଥିବାବେଳେ ୧୦ ଜଣ କ୍ଵାରେଣ୍ଟିନରେ ଯାଇଛନ୍ତି |

ସେହିପରି ଜୁନ ୫ ତାରିଖରେ ପୁରୀ ଗଡ଼ିଶାଗଦା ଥାନା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା | ଏହା ପରେ ନମୁନା ସଂଗ୍ରହ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା | ଏହି ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗଡ଼ିଶାଗଦା ଥାନାର ଆଇଆଇସିଙ୍କୁ ଛାଡି ୧୧ ଜଣ କ୍ଵାରେଣ୍ଟିନରେ ଯାଇଛନ୍ତି |

ଏଠାରେ ସୂଚନା ଥାଉ କି ପୂର୍ବରୁ ଚୋରି ଘଟଣାରେ ଗିରଫ ହୋଇଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଂଚଳର ଜଣେ ମୁଖ୍ୟ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିବା ୧୩ ଜଣ ପୁଲିସ କର୍ମଚାରୀଙ୍କୁ ସଂଗରୋଧରେ ରହିବାକୁ କୁହାଯାଇଥିଲା । କୁମ୍ଭାରପଡ଼ା ଥାନାର ମଧ୍ୟ ଜଣେ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩୮ ଜଣ ପୁଲିସ କର୍ମଚାରୀ କ୍ଵାରେଣ୍ଟିନରେ ଯାଇଥିଲେ |

ସମ୍ବନ୍ଧିତ ଖବର