ମାଲକାନଗିରି: ୨୦୨୨ ସୁଦ୍ଧା ଜିଲ୍ଲାରୁ ଦୂର ହେବ ପାନୀୟ ଜଳ ସଙ୍କଟ। ଘରେ ଘରେ ପହଞ୍ଚିବ ପାଣି। ଏହି ଲକ୍ଷ୍ୟ ନେଇ ୨୦୧୯ରେ ମାଲକାନଗିରି ଜିଲ୍ଲାରେ ୧୦ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି ପଦକ୍ଷେପ ନେଇଥିଲେ ସରକାର। ୨୦୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ଲକ୍ଷ୍ୟ ଥିଲା। ହେଲେ ଅବଧି ପୂରି ୩ ବର୍ଷ ବିତିଥିଲେ ମଧ୍ୟ କାମ ସରୁପାରୁନି। ଫଳରେ ୭୨୦ ଖଣ୍ଡ ଗ୍ରାମବାସୀ ପାଣି ପାଇଁ ଚାତକ ଭଳି ଚାହିଁ ରହିଛନ୍ତି। କାଲିମେଳା ବ୍ଲକ୍ର ୫ଟି ପଞ୍ଚାୟତର ୨୧ଟି ଗ୍ରାମର ୨୭୬୮୯ ଲୋକଙ୍କ ପାଇଁ ୪୬ କୋଟି ବ୍ୟୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୦ରୁ ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ୭୦ ପ୍ରତିଶତ କାମ ସରିଛି। ସେହିପରି ଏମ୍ଭି-୩୯ ଗ୍ରାମରେ ୬୫ କୋଟି ବ୍ୟୟରେ ଚାଲିଥିବା ପ୍ରକଳ୍ପରୁ ମାଲକାନଗିରି ଓ କାଲିମେଳା ବ୍ଲକ୍ର ୫ଟି ପଞ୍ଚାୟତର ୩୩ଟି ଗାଁର ୩୦,୭୦୨ ଲୋକ ଉପକୃତ ହେବେ। ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। କୋରୁକୋଣ୍ଡା ବ୍ଲକ୍ର ମାରିବେଡ଼ାରେ ୧୨୨ କୋଟିର ନିର୍ମାଣ ହେଉଥିବା ପ୍ରକଳ୍ପ ଦ୍ବାରା ୧୧ଟି ପଞ୍ଚାୟତର ୮୯ଟି ଗ୍ରାମର ୬୬୩୯୯ ଲୋକ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୫୦ ପ୍ରତିଶତ ହିଁ ସରିଛି। ପଡିଆ ବ୍ଲକ୍ରେ ମଧ୍ୟ ଚିତ୍ର ସମାନ। ୮ଟି ପଞ୍ଚାୟତର ୪୮ଟି ଗ୍ରାମର ୪୩,୧୯୨ ଲୋକଙ୍କ ପାଇଁ ଏମପିଭି-୬୬ ଗ୍ରାମରେ ୧୦୪ କୋଟି ବ୍ୟୟରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ୫୦ ପ୍ରତିଶତ ହିଁ ସରିଛି। ଚିତ୍ରକୋଣ୍ଡା ବ୍ଲକ୍ ୪ଟି ପଞ୍ଚାୟତର ୧୦,୨୬୯ ଲୋକଙ୍କ ପାଇଁ ୪୩ କୋଟି ବ୍ୟୟରେ ଅରାପଦର ଗ୍ରାମରେ ମେଗା ପ୍ରକଳ୍ପର ନିର୍ମାଣ ଅବଧି ଶେଷ ହୋଇଥିଲେ ମଧ୍ୟ ୨୫ ପ୍ରତିଶତ କାମ ସରିଛି।
ଚିତ୍ରକୋଣ୍ଡା ବ୍ଲକ୍ର ରାଜଲକୋଣ୍ଡା ଗ୍ରାମରେ ୨୯ କୋଟି ବ୍ୟୟରେ ୨ଟି ପଞ୍ଚାୟତର ୨୧ଟି ଗ୍ରାମର ୧୭୮୭ ପରିବାର ଉପକୃତ ହେବେ। ଏହି ପ୍ରକଳ୍ପର କାର୍ଯ୍ୟ ୧୭ ପ୍ରତିଶତ ହିଁ ସରିଛି। କାଲିମେଳା ବ୍ଲକ୍ର ଏମପିଭି-୬ ଗ୍ରାମରେ ନିର୍ମାଣ ହେଉଥିବା ୬ଟି ପଞ୍ଚାୟତର ୩୩ଟି ଗ୍ରାମର ୩୨,୭୫୨ ଲୋକଙ୍କ ପାଇଁ ୮୨ କୋଟି ବ୍ୟୟରେ ଚାଲିଥିବା ପ୍ରକଳ୍ପର କାର୍ଯ୍ୟ ୨୦ ପ୍ରତିଶତ ସରିଛି। କାଲିମେଳା ବ୍ଲକ୍ ପଲୁରରେ ନିର୍ମିତ ୧୫୫ କୋଟିର ପ୍ରକଳ୍ପ ଦ୍ବାରା ୧୧ଟି ପଞ୍ଚାୟତ ୮୬ ଗ୍ରାମର ୧୩,୮୨୦ ପରିବାର ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୨୫ ପ୍ରତିଶତ ସରିଛି। ମାଥିଲି ଓ ମାଲକାନଗିରି ବ୍ଲକ୍ର ୧୮ଟି ପଞ୍ଚାୟତର ୧୨୧ଟି ଗ୍ରାମର ୧୮,୧୦୪ ପରିବାର ଏବଂ ଖଇରପୁଟ, ମାଥିଲି ଓ ମାଲକାନଗିରି ବ୍ଲକ୍ର ୨୬ଟି ପଞ୍ଚାୟତର ୨୧୦ଟି ଗ୍ରାମର ୩୦,୧୪୬ ପରିବାର ପାଇଁ ୨୦୭ କୋଟି ବ୍ୟୟରେ ମାଥିଲି ବ୍ଲକ୍ର ସାରଦାପୁଟରେ ନିର୍ମାଣ ଚାଲିଛି ପ୍ରକଳ୍ପ। ଆଜି ପର୍ଯ୍ୟନ୍ତ ୨୦ ପ୍ରତିଶତ ହିଁ କାମ ସରିଛି।