ମିଠା ଦୋକାନୀଙ୍କ ନାଁରେ ୭୨ ଲକ୍ଷ ଜିଏସ୍‌ଟି ନୋଟିସ୍‌

ଅସୁରାଳି : ସାଇବର ଅପରାଧର ଏକ ସାଙ୍ଘାତିକ ଚିତ୍ର ଏବେ ସାମନାକୁ ଆସିଛି। ମିଠା ଓ ଜଳଖିଆ ଦୋକାନ କରିଥିବା ଜଣେ ଯୁବକଙ୍କ ନାଁ’ରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିକ୍ରିକର ବିଭାଗ ପକ୍ଷରୁ ୭୨ ଲକ୍ଷ ଟଙ୍କାର ଜିଏସଟି ଫାଙ୍କି ନୋଟିସ ଲାଗିଛି। ଏଥିସହିତ ସମ୍ପୃକ୍ତ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରି ଦିଆଯାଇଛି। ଏଭଳି ଭୟଙ୍କର ଠକେଇର ଶିକାର ହୋଇଛନ୍ତି ଧାମନଗର ବ୍ଲକ କୋଠାର ଗ୍ରାମର ଅଭିଜିତ ପୁଣ୍ଟିଆ(୩୧)।

କୋଠାର ଛକରେ ମା’ ମଙ୍ଗଳା ସୁଇଟ ଷ୍ଟଲ ନାମରେ ଅଭିଜିତଙ୍କର ଏକ ଜଳଖିଆ ଦୋକାନ ରହିଛି। କିଛି ଦିନ ତଳେ ଅଭିଜିତଙ୍କ ଆକାଉଣ୍ଟ ଥିବା ଅସୁରାଳି ୟୁକୋ ବ୍ୟାଙ୍କକୁ ଆନ୍ଧ୍ରପ୍ରଦେଶ ବିକ୍ରିକର ବିଭାଗ ପକ୍ଷରୁ ଏକ ଚିଠି ଆସିଛି। ଚିଠିରେ ଉଲ୍ଲେଖ କରାଯାଇଛି ଅଭିଜିତ ଟ୍ରେଡର୍ସ ଏବଂ ପ୍ରିୟା ଆଣ୍ଡ କୋ ନାମରେ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଗୁଣ୍ଟୁର ରାମକୃଷ୍ଣ ନଗରରେ ଖୋଲା ଯାଇଛି। ଏହି ଦୁଇ ପ୍ରତିଷ୍ଠାନ ଜିଏସଟି ବାବଦରେ ୭୨ ଲକ୍ଷ ୧୯ ହଜାର ୬୨୭ ଟଙ୍କା ପୈଠ କରିନାହାନ୍ତି। ଦୁଇ ବ୍ୟବସାୟ ସଂସ୍ଥାରେ ଅଭିଜିତ ପୁଣ୍ଟିଆଙ୍କ ଆଧାର ଏବଂ ପାନକାର୍ଡ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ବ୍ୟବହାର କରାଯାଇ ଜିଏସଟି ନମ୍ବର ପ୍ରସ୍ତୁତ ହୋଇଛି।

ଏପରି ଚିଠି(ନୋଟିସ) ସହିତ ଅଭିଜିତଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ ହୋଇଛି। ଏହି ଘଟଣା ଜଣାଯିବା ପରେ ଏବେ ଅଭିଜିତଙ୍କ ବୁଦ୍ଧି ହଜି ଯାଇଛି। କିଏ ଏବଂ କିପରି ତାଙ୍କର ଆଧାର ପାନ କାର୍ଡ ଆଦିକୁ ନେଇ ଏତେବଡ ଚଞ୍ଚକତା କରି ଡ଼କୁମେଣ୍ଟ ପ୍ରସ୍ତୁତ କରିବା ସହ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କି ଅଭିଜିତଙ୍କ ମୁଣ୍ଡରେ ଅଠା ବୋଳିଛି ତାକୁ ନେଇ ପ୍ରଶ୍ନ ଉଙ୍କି ମାରିଛି।ଏପରି ଘଟଣାର ଉପଯୁକ୍ତ ଖୋଳତାଡ଼ ହେବାର ଆବଶ୍ୟକତା ଥିବା ବେଳେ ଅଭିଜିତ ଏକ ସାଙ୍ଘାତିକ ସାଇବର କ୍ରାଇମର ଶିକାର ହୋଇଥିବା ଯାଜପୁର ରୋଡ଼ ଜିଏସଟି କାର୍ଯ୍ୟାଳୟରୁ ବୁଝି ସାରିଛନ୍ତି।ଏ ସମ୍ପର୍କରେ ସେ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରି ଠକେଇ ସହିତ ତାଙ୍କର କୌଣସି ଲିଙ୍କ୍‌ ନଥିବା ଦର୍ଶାଇ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର