ଏସ୍‌ସିବି କରୋନା ଆଇସୋଲେସନ‌୍‌ ୱାର୍ଡରେ ଗଲାଣି ୭୩ ଜୀବନ

ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଥାଇ ବି ମୃତ୍ୟୁର ଚିତ୍ର ଅସ୍ପଷ୍ଟ

କଟକ : କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟୁଛି, ସେକଥା କେହି ଜାଣିନାହାନ୍ତି। ସେମାନଙ୍କ ‌ରୋଗ ସଂପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। କାହାର ହାର୍ଟ‌ ଷ୍ଟ୍ରୋକ୍‌, କାହାର ବ୍ରେନ୍‌ ଷ୍ଟ୍ରୋକ୍‌ ତ ପୁଣି କାହାର ଶ୍ବାସକ୍ରିୟାଜନିତ ସମସ୍ୟାରୁ ମୃତ୍ୟୁ ହୋଇଥିବା କୁହାଯାଉଛି। କାହାର ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର୍‌ରେ ମୃତ୍ୟୁ ଘଟୁଛି ତ କାହାର ଆଇସିୟୁରେ। ଏଭଳି ପାଖାପାଖି ୭୩ରୁ ଅଧିକ ଜୀବନ ଗଲାଣି ଏସ୍‌ସିବି କରୋନା ସ୍ବତନ୍ତ୍ର ଆଇସୋଲେନ୍‌ ୱାର୍ଡରେ। ଆଜି ଗୋଟିଏ ଦିନରେ ଜଣେ ଶିଶୁ ସମ‌େତ ୩ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ୨୩ ଦିନରୁ ୧୪ବର୍ଷର ବୟସ ଭିତରେ ୨୦ରୁ ଅଧିକ ପିଲା ଥିବା ଜଣାପଡିଛି। ସମସ୍ତ ମୃତକଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ କୁହାଯାଉଥିବାବେଳେ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଉ ନଥିବାରୁ ଆତ୍ମୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।

କଟକ ବଡ଼ ଡାକ୍ତରଖାନାରେ ଖୋଲାଯାଇଛି ସ୍ବତନ୍ତ୍ର କରୋନା ଆଇସୋଲେସନ୍‌ ୱାର୍ଡ ଓ ଓପିଡି। ଏଠାକୁ ପରାମର୍ଶ ପାଇଁ ରୋଗୀ ଆସୁଥିବାବେଳେ ସନ୍ଦିଗ୍ଧ ‌ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି କରାଯାଉଛି। ଏପରିକି ବିଭିନ୍ନ ଜିଲ୍ଲାର ଟିଏମ୍‌ସିରେ ସଙ୍ଗରୋଧରେ ଥିବା ପ୍ରବାସୀଙ୍କର ଯଦି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ତେବେ ସେମାନଙ୍କୁ ମଧ୍ୟ କରୋନା ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଉଛି। ପୂର୍ବରୁ ଉକ୍ତ ଆଇସୋଲେସନ୍‌ ୱାର୍ଡରେ କେବଳ ନିର୍ଦ୍ଦିଷ୍ଟ ବିଭାଗର ଡାକ୍ତର ରୋଗୀଙ୍କୁ ପରାମର୍ଶ ଓ ଚିକିତ୍ସା ପାଇଁ ରହୁଥିବାବେଳେ ଏବେ ବିଭିନ୍ନ ବିଭାଗର ଡାକ୍ତରଙ୍କ ଡ୍ୟୁଟି ଉକ୍ତ ୱାର୍ଡରେ ଲାଗୁଛି। କିନ୍ତୁ ଯେଉଁଭଳି ଚିକିତ୍ସା ଆବଶ୍ୟକ ତାହା ମିଳୁନଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଛନ୍ତି। କୌଣସି ଲକ୍ଷଣ ନଥିବା ରୋଗୀଙ୍କର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବାରୁ କରୋନା ଆଇସୋଲେସନ୍‌ ୱାର୍ଡରେ ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଯଦି କୌଣସି ରୋଗୀର ଅନ୍ୟରୋଗ ବି ରହୁଛି ତେବେ ତାଙ୍କୁ ଠିକ୍‌ ଭାବରେ ଚିକିତ୍ସା ମିଳିପାରୁନି। ମାସକ ମଧ୍ୟରେ ଏସ୍‌ସିବି ସ୍ବତନ୍ତ୍ର କରୋନା ଆଇସୋଲେସନ୍‌ ୱାର୍ଡରେ ପାଖାପାଖି ୭୩ଜଣଙ୍କର ମୃତ୍ୟୁ ଘଟିଲାଣି। ହେଲେ ସମସ୍ତ ମୃତକଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ରହିଥିବା ଜଣାପଡ଼ିଛି। ଯାହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିଲେ ମଧ୍ୟ ତାକୁ ଚାଲେଞ୍ଜ କରିବାକୁ କେହି ସାହାସ ଜୁଟାଇ ପାରୁ ନାହାନ୍ତି। ଏପରିକି ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହେବାର ଅଧଘଣ୍ଟାରେ ମଧ୍ୟ ରୋଗୀଙ୍କର ମୃତ୍ୟୁ ଘଟୁଛି। କିନ୍ତୁ କେଉଁ କାରଣରୁ ରୋଗୀଙ୍କର ମୃତ୍ୟୁ ଘଟୁଛି ସେ ସଂପର୍କରେ ରୋଗୀ ସଂପର୍କୀୟଙ୍କୁ ସଠିକ୍‌ ସୂଚନା ଦିଆଯାଉ ନଥିବା ଅଭିଯୋଗ ହେଉଛି। ରୋଗୀ ଆଇସୋଲେସନ୍‌ରେ ଭର୍ତ୍ତି ହୋଇଥିବା କାରଣରୁ କରୋନା ରିପୋର୍ଟକୁ ଆଧାର କରି ମୃତ୍ୟୁର କାରଣ ଖୋଜାଯାଉଛି। ହେଲେ, କରୋନା ହୋଇ ନଥିବା ରୋଗୀଟିର ସ୍ବାଇନ୍‌ ଫ୍ଲୁ ଅଥବା ଡେଙ୍ଗୁରେ ମୃତ୍ୟୁ ହୋଇଛି କି ନାହିଁ, ତାହା ଜାଣିବାକୁ କୌଣସି ପରୀକ୍ଷା କରାଯାଉ ନାହିଁ। କେବଳ କରୋନା ପରୀକ୍ଷା କରି ଛାଡ଼ି ଦିଆଯାଉଛି ମୃତଦେହ।

ସମ୍ବନ୍ଧିତ ଖବର