ଖଲ୍ଲିକୋଟ: ବ୍ରହ୍ମପୁରରୁ ପଶ୍ଚିମବଙ୍ଗକୁ ଜିଏସ୍ଟି ଫାଙ୍କି ରୁପାଇଟା ଚାଲାଣ ହେଉଥିଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୁଲିସ କେଶପୁର ଛକଠାରେ ଦୁଇଟି କାର୍ରୁ ୭୩ଟି ରୁପାଇଟା ସହ ନଗଦ ୫ଲକ୍ଷ ୪୨ହଜାର ୬୦୦ ଟଙ୍କା ଜବତ କରିଛି। ଜବତ ରୁପାଇଟାର ଆନୁମାନିକ ବଜାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ମାମଲାରେ ପୁଲିସ ଅରୂପ ଭୂୟାଁ ଓ ଉଦୀପ ସଙ୍କିଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଜବତ ଟଙ୍କା ଓ ରୁପା ସହ ଉଭୟ ଚାଲାଣକାରୀଙ୍କୁ ପୁଲିସ ବାଣିଜ୍ୟକର ଅଧିକାରୀଙ୍କ ଜିମା ଦେଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ଜିଏସ୍ଟି ଠକେଇ, ୨ ଅଟକ
ଦୁଇଟି କାର୍ରେ ବ୍ରହ୍ମପୁରରୁ ପଶ୍ଚିମବଙ୍ଗ ଯାଉଥିଲା
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦୁଇ ବ୍ୟବସାୟୀ ଅରୂପ ଓ ଉଦୀପ ଏକ କାର୍ (ଓଡି-୩୩ଏଏ-୭୦୬୨)ରେ ଜବତ ରୁପା ଇଟା ନେଇ ପଶ୍ଚିମବଙ୍ଗ ଯାଉଥିଲେ। ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଓଡ଼ିଶାରେ ଚାଲିଥିବା ଡିଜିପି ସମ୍ମିଳନୀ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୬ ନମ୍ବର ଜାତୀୟ ରାଜପଥର କେଶପୁର ଛକ ନିକଟରେ ଯାଞ୍ଚ ଚାଲିଥିବା ବେଳେ କାର୍କୁ ଅଟକାଇଥିଲେ। ଯାଞ୍ଚ ସମୟରେ ଜବତ ରୁପା ଇଟା କିଣା ଯାଇଥିବା ନେଇ କୌଣସି ରସିଦ ପାଇନଥିଲେ। ପଚାରାଉଚରା ପରେ ବ୍ରହ୍ମପୁରର ବିଭିନ୍ନ ଗହଣାଦୋକାନରୁ ଉଭୟେ ଅନେକ ଦିନ ହେଲା ବିନା ଜିଏସ୍ଟିରେ ରୁପାଇଟା କିଣି ନେଇ ପଶ୍ଚିମବଙ୍ଗରେ ଅଳଙ୍କାର କରି ପୁଣି ବ୍ରହ୍ମପୁରରେ ବିକ୍ରି କରି ଆସୁଥିବା ପୁଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି।