ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ୮.୧୭ଲକ୍ଷ ଘର (ଫନି କ୍ଷତିଗ୍ରସ୍ତଙ୍କୁ ଛାଡ଼ି) ମିଳିଥିଲା। ଏ ମଧ୍ୟରୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରାୟ ୮ଲକ୍ଷ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପଞ୍ଚାୟତ କାନ୍ଥରେ ଲଗାଯାଇଥିଲା। ହେଲେ ଏଥିରେ ବି ମାଳମାଳ ଅଯୋଗ୍ୟ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍କୁ ଆଳ କରି ଏବେ ଗାଁ ଗାଁରେ ଅଯୋଗ୍ୟଙ୍କ ତାଲିକା ବଢ଼ିବଢ଼ି ଚାଲିଛି। ପଞ୍ଚାୟତିରାଜ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘର ନଦେବାକୁ ସାରା ରାଜ୍ୟରେ ୭୩ହଜାର ଅଭିଯୋଗ ଆସିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭିଯୋଗ କରିବାର ସୁଯୋଗ ଥିବାରୁ ଏହା ଆହୁରି ବଢ଼ିପାରେ।
ଆବାସରେ ଘର ମିଳିବ ବୋଲି ତାଲିକା ପ୍ରକାଶ ପାଇବା ପରେ ଗାଁ ଗାଁରେ ଘରକୁ ନେଇ ରାଜନୀତି ବଢ଼ିଥିଲା। ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ଲୋକମାନେ ମାଳମାଳ ଅଭିଯୋଗ କରିଥିଲେ। ‘ମୁଁ ଝୁମ୍ପୁଡି ଘରେ ରହୁଥିଲେ ବି ତାଲିକାରେ ନାଁ ନାହିଁ, ଅଥଚ ଅମୁକ ଘରକୁ ଦୁଇଟା ଆବାସ ମିଳୁଛି। ତା’ ଘରେ ଫ୍ରିଜ୍ ଅଛି, ବାଇକ୍ ଅଛି ତାକୁ ଘର ମିଳୁଛି ଅଥଚ ମୁଁ ଟଙ୍କା ନଥିବାରୁ ଦୁଇ ବର୍ଷ ହେଲା ଚାଳ ଛପର କରିପାରୁନି କିନ୍ତୁ ମୋତେ ଘର ମିଳୁନି।’ ଏହିଭଳି ଅଭିଯୋଗ ବଢ଼ି ଚାଲିଥିବାବେଳେ ଘର ପାଇବାର ସମ୍ଭାବ୍ୟ ତାଲିକାରୁ ଯେମିତି ନାଁ କଟିବ ସେନେଇ କସରତ ଆରମ୍ଭ ହୋଇଯାଇଥିଲା। ଫଳରେ ତାଲିକା ପ୍ରକାଶ ପାଇବାର ୮ଦିନ ଭିତରେ ୭୩ହଜାର ଅଭିଯୋଗ କେବଳ ତାଲିକାରୁ ନାଁ କାଟିବାକୁ ଆସିଛି। ଲୋକମାନେ ଅନଲାଇନ୍ରେ, ପଞ୍ଚାୟତ ଅଫିସ୍ରେ ବାକ୍ସରେ ଏବଂ କଲ୍ ସେଣ୍ଟରକୁ ଫୋନ୍ କରି ତାଲିକାରେ ଥିବା ଅଯୋଗ୍ୟଙ୍କ ନାଁରେ ଅଭିଯୋଗ କରିଛନ୍ତି।
ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ, ଏବେ ଯେତିକି ଅଭିଯୋଗ ଆସୁଛି ତା’ର ଯାଞ୍ଚ ଚାଲିଛି। ଏଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପରେ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଗ୍ରାମସଭା ଅନୁମୋଦନ ପାଇଁ ପଠାଯିବ। ଏହାପରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବ।
ବିଭିନ୍ନ ଜିଲ୍ଲାରୁ ମିଳିଥିବା ସୂଚନା ଅନୁଯାୟୀ, ତାଲିକାରେ ଅଯୋଗ୍ୟଙ୍କ ନାମ ଥିବା ନେଇ ଅଭିଯୋଗ ହେବା ପରେ ତୁରନ୍ତ ଏହାର ଯାଞ୍ଚ କରାଯାଉଛି। ବିଡିଓଙ୍କ ନେତୃତ୍ବରେ ପଞ୍ଚାୟତସ୍ତରରେ ଯାଞ୍ଚ କରି ତୁରନ୍ତ ନାଁ କଟାଯାଉଛି ନଚେତ୍ ଯୋଗ୍ୟ ବୋଲି କହିଦିଆଯାଉଛି। ହେଲେ କୌଣସି ସ୍ଥାନରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇନି। ଚଳିତ ମାସ ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଏପରିକି ଯେଉଁ ବ୍ଲକରେ ତାଲିକା ଯାଞ୍ଚ ଯେତେ ଜଲଦି ଶେଷ ହେବ ସେତେ ଜଲ୍ଦି ତାଲିକା ଗ୍ରାମସଭାକୁ ପଠାଇବାକୁ କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ୬୦% ଅଯୋଗ୍ୟ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏଠାରେ ମୋଟ୍ ୬୭୮ଟି ଅଭିଯୋଗ ଆସିଥିବାବେଳେ ଏଥିରୁ ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨୧୬ଟିର ଯାଞ୍ଚ ସରିଛି। ୧୨୯ଜଣ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ମୋଟ୍ ୩୧୪ଟି ଅଭିଯୋଗ ଆସିଥିବାବେଳେ ୧୯୯ଟିର ଯାଞ୍ଚ ସରିଛି। ଏଥିରୁ ୩୩ଜଣ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ୨୯୧ଟି ଅଭିଯୋଗ ଆସିଥିବାବେଳେ ଏବେ ସୁଦ୍ଧା ୫୦ଜଣ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି।
କେନ୍ଦୁଝର ଜିଲ୍ଲାରେ ୩୬୫୯ ଅଭିଯୋଗ ଆସିଥିବାବେଳେ ଏବେ ଯାଞ୍ଚ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାକୁ ୪୩୧୪୦ଟି ଆବାସ ମିଳିଥିବାବେଳେ ଏବେ ସୁଦ୍ଧା ୮୭୫ଟି ଅଭିଯୋଗ ଆସିଛି। ଏଥିରୁ ୧୬୭ଟିର ଯାଞ୍ଚ ସରିଥିବାବେଳେ ୧୨୬ଜଣ ଅଯୋଗ୍ୟ ଚିହ୍ନଟ ହେଲେଣି। ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ଯାଞ୍ଚରେ ୭୫% ଅଯୋଗ୍ୟ ବାହାରିଲେଣି। ଭଦ୍ରକ ଜିଲ୍ଲାକୁ ୩୬,୮୨୮ଟି ଆବାସ ଘର ମିଳିଥିବାବେଳେ ୧୧୩୯୦ଟି ଅଭିଯୋଗ କେବଳ ଘର କାଟିବାକୁ ଆସିଛି। ଏଥିରୁ ବର୍ତ୍ତମାନ ସୁଦ୍ଧା ୨୦୯୦ଟିର ଯାଞ୍ଚ ସରିଥିବାବେଳେ ୧୧୪୯ଜଣ ଅଯୋଗ୍ୟ ଚିହ୍ନଟ ହେଲେଣି। ଅର୍ଥାତ୍ ୫୫% ଅଯୋଗ୍ୟ କେବଳ ଏବେଠୁ ଚିହ୍ନଟ ହେଲେଣି। ଆଗକୁ ଯେତେ ଯାଞ୍ଚ ହେବ ସେତେ ଅଯୋଗ୍ୟ ବାହାରିବେ।
ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକ ପାଇଁ ୫୯୭୬୧ଟି ଆବାସ ମିଳିଥିବାବେଳେ ଏଥିପାଇଁ ପ୍ରକାଶ ପାଇଥିବା ତାଲିକାରୁ ନାମ ବାଦ୍ ଦେବାକୁ ୫୩୬୧ଜଣଙ୍କ ନାଁରେ ଅଭିଯୋଗ ଆସିଛି। ଏବେ ଅଭିଯୋଗଗୁଡ଼ିକର ଯାଞ୍ଚ ଚାଲିଥିବାରୁ କେତେ ଅଯୋଗ୍ୟ ଚିହ୍ନଟ ହେଲେଣି ତାହା ଜଣାପଡ଼ିନି। କଟକ ଜିଲ୍ଲାରେ ମୋଟ୍ ୨୯୯୧ଟି ଅଭିଯୋଗ ଆସିଥିବାବେଳେ ଆଜି ସୁଦ୍ଧା ୧୧୪୭ଟି ଅଭିଯୋଗର ତଦନ୍ତ ସରିଛି। ବାକି ୧୮୪୪ଟି ଅଭିଯୋଗର ତଦନ୍ତ ଜାରି ରହିଛି। ୧୧୪୭ ଅଭିଯୋଗରୁ ୪୬୩ଜଣ ଅଯୋଗ୍ୟ ହିତାଧିକାରୀ ଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲାରେ ଆବାସ୍ ଗ୍ରାମୀଣ ଏବଂ ଫନି ପ୍ରଭାବିତଙ୍କୁ ମିଶାଇ ୧୮୪୨୪ଟି ଘର ମିଳିଥିବାବେଳେ ଏବେ ୧୬୦୮ଟି ଅଭିଯୋଗ ଆସିଛି। ଅଭିଯୋଗଗୁଡ଼ିକର ଯାଞ୍ଚ ଚାଲିଥିବାରୁ ଅଯୋଗ୍ୟଙ୍କ ତାଲିକା ଜଣାପଡ଼ିନି।