ଭିମ୍‌ସାର ବିକାଶ ପାଇଁ ୭୩୬ କୋଟି

ଭୁବନେଶ୍ୱର: ଆଗାମୀ ତିନି ବର୍ଷ ନିମନ୍ତେ ଭିମ୍‌ସାର, ବୁର୍ଲାର ଭିତ୍ତିଭୂମି ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନିମନ୍ତେ ୭୩୬ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଏହାର ବର୍ତମାନ ରହିଥିବା ଭିତ୍ତିଭୂମିର ପୂର୍ଣ୍ଣ ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ପରାମର୍ଶ ଦେଇଛନ୍ତିି। ଏ ନେଇ ଆବଶ୍ୟକ ଅର୍ଥର ଅଟକଳ କରି ପଠାଇଲେ ସରକାର ସହାୟତା କରିବେ ବୋଲି ସେ କହିଛନ୍ତି।

ଆଜି ଭିମ୍‌ସାରର ୨ୟ ପରିଚାଳନା କମିଟି ବୈଠକ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭିମ୍‌ସାର ନିର୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାରୀ ସ୍ୱାସ୍ଥ୍ୟାନୁଷ୍ଠାନ ପାଇଁ ତିନିବର୍ଷିଆ ଯୋଜନା ଉପସ୍ଥାପନ କରିଥିଲେ। ସେ ନେଇ ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଯୋଜନାରେ ଭିମ୍‌ସାର ପରିସରରେ ନିର୍ମିତ ନୂତନ ଭିତ୍ତିଭୂମିଗୁଡ଼ିକୁ କାର୍ଯ୍ୟକ୍ଷମ କରିବା, ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା, ନୂତନ ପାଠ୍ୟକ୍ରମ ଖୋଲିବା ପାଇଁ ଆବଶ୍ୟକ ଜମି ବ୍ୟବସ୍ଥା, ଆବଶ୍ୟକତା ଦୃଷ୍ଟିରୁ ନୂତନ ପଦବି ସୃଷ୍ଟି ଆଦି ରହିଛି। ଏହାକୁ ଦେଶର ଶ୍ରେଷ୍ଠ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପରିଣତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ, ସାଂସଦ ଡା. ପ୍ରଭାସ କୁମାର ସିଂହ, ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଅର୍ଥ ବିଭାଗ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ବିଭାଗ ସଚିବ, ରାଜସ୍ୱ କମିସନର, ଡିଏମ୍‌ଇଟି ପ୍ରଫେସର ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର