କରୋନାଜନିତ ମୃତକଙ୍କ ସଂଖ୍ୟା ୭୪ରେ ପହଞ୍ଚିଲା, ଆଜି ୪ ସଂକ୍ରମିତଙ୍କର ମୃତ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟରେ ୫୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି।

ଉପରୋକ୍ତ ୪ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ୮୦ ବର୍ଷିୟ ବ୍ୟକ୍ତି ଥିବା ସୂଚନା ମିଳିଛି। ସେ ମଧୁମେହ ଓ ହୃଦ୍ ରୋଗରେ ପୀଡ଼ିତ ଥିଲେ। ଏହାଛଡ଼ା କଟକ ଜିଲ୍ଲାର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲାର ଉକ୍ତ ୭୧ ବର୍ଷ ବୟସ୍କ ପୁରୁଷ ମୁଖଗହ୍ବର କର୍କଟରେ ପୀଡ଼ିତ ଥିଲେ |

ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ଭୁବନେଶ୍ୱରର ଯେଉଁ ୭୧ ବର୍ଷ ବୟସ୍କ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି, ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ |

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଆଜି ଜଣଙ୍କ ମୃତ୍ୟୁ ଘଟିବା ପରେ ଏଠାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ କରୋନା ମୃତକଙ୍କ ସଂଖ୍ୟା ୧୨ଥିବା ବେଳେ କଟକରେ ୮ରେ ପହଞ୍ଚିଛି। ଏଣେ ପୁରୀରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି କରୋନା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ରାଜ୍ୟରେ ୨୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର