ଚିରଂଜୀବୀ କର
କଟକ: ଗୋଟିଏ ପଟେ ଫିଲ୍ମ ହଲ୍ ବନ୍ଦ ହୋଇଯାଉଛି। ଅନ୍ୟପଟେ ଓଡ଼ିଆ ସିନେମା ନିର୍ମାଣ କ୍ଷେତ୍ରରେ ରେକର୍ଡ ସୃଷ୍ଟି ହେବା ଘଟଣା ନୂଆ ଆଶା ସଞ୍ଚାର କରିଛି। ୨୦୨୩ ବର୍ଷରେ ସର୍ବାଧିକ ୭୪ଟି ଓଡ଼ିଆ ସିନେମା ନିର୍ମାଣ ହୋଇଥିବା ରେକର୍ଡ କହୁଛି। କିନ୍ତୁ ଏଥିରୁ ଅଧିକାଂଶ ଫିଲ୍ମ ହଲ୍ ନୁହେଁ, ବରଂ ଟିଭି ଓ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ସୀତା ବିବାହକୁ ପ୍ରଥମ ଓଡ଼ିଆ ସିନେମା ଭାବେ ପରିଗଣିତ କରାଯାଉଛି। ଏହାକୁ ବିଚାରକୁ ନେଇ ହିସାବ କଲେ, ବର୍ତ୍ତମାନ ସୁଦ୍ଧା ଓଡ଼ିଆ ସିନେମା ନିର୍ମାଣ ସଂଖ୍ୟା ୧ ହଜାର ଛୁଇଁଛି।
ସ୍ବାଧୀନତା ପୂର୍ବରୁ ପ୍ରଥମ ଓଡ଼ିଆ ସିନେମା ଭାବେ ସୀତା ବିବାହ ୧୯୩୬ ମସିହା ଏପ୍ରିଲ ୨୮ରେ ମୁକ୍ତିଲାଭ କରିଥିଲା। ଓଡ଼ିଆ ଚଳଚ୍ଚିତ୍ରର ମୂଳଦୂଆ ପକାଇଥିବା ମୋହନ ସୁନ୍ଦର ଦେବ ଗୋସ୍ବାମୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଥିଲେ। ଏହା ପରେ କିନ୍ତୁ ୧୯୪୭ ଯାଏ ଆଉ କୌଣସି ଓଡ଼ିଆ ସିନେମା ନିର୍ମାଣ ହୋଇନଥିଲା। ପରବର୍ତ୍ତୀ ସମୟରେ ୧୯୪୮, ୧୯୫୦ରେ ଗୋଟିଏ ଲେଖାଏ ଓଡ଼ିଆ ସିନେମା ପ୍ରସ୍ତୁତ ହୋଇଥିଲା। ତେବେ ୧୯୭୭ରୁ ଏହା ଦୁଇ ଅଙ୍କ ସଂଖ୍ୟାକୁ ବଢିବା ଆରମ୍ଭ କରିଥିଲା। ହେଲେ ୧୯୯୯ ମହାବାତ୍ୟା ପରେ ସିନେମା ହଲ୍ ଗୁରୁତର ଭାବେ ପ୍ରଭାବିତ ହେବାରୁ ପୁଣି ଓଡ଼ିଆ ସିନେମା ସଂଖ୍ୟା ହ୍ରାସ ପାଇଲା। ତେବେ ୨୦୨୩ରେ ସବୁ ରେକର୍ଡ ଭାଙ୍ଗି ୭୪ଟି ଓଡ଼ିଆ ସିନେମା ନିର୍ମାଣ ହେଲା। ୨୦୨୪ର ପ୍ରଥମ ୩ ମାସ ଭିତରେ ବି ୧୦ଟି ସିନେମା ନିର୍ମାଣ ହୋଇଥିବା ତଥ୍ୟ କହୁଛି।
କେନ୍ଦ୍ର ସରକାରଙ୍କ ସେନସର୍ ବୋର୍ଡ ପକ୍ଷରୁ ୧୯୩୬ରୁ ୨୦୨୪ ମାର୍ଚ୍ଚ ଯାଏ ନିର୍ମିତ ହୋଇଥିବା ମୋଟ ୧ ହଜାର ଓଡ଼ିଆ ସିନେମାକୁ ସେନସର୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଏହି ନିର୍ମାଣ ହୋଇଥିବା ସିନେମା ମଧ୍ୟରୁ ଅନେକ ହଲରେ ମୁକ୍ତିଲାଭ କରିଥିବା ବେଳେ ଆଉ କିଛି ଟିଭି, ଓଟିଟି ପ୍ଲାଟଫର୍ମରେ ବିକ୍ରି କରିଦିଆଯାଇଛି। ଆଉ କିଛି ସିନେମା ଏକାଧିକ କାରଣ ଯୋଗୁଁ ଦର୍ଶକଙ୍କ ସାମନାକୁ ଆସିପାରିନାହିଁ। ଏ ସମ୍ପର୍କରେ ସିନେମା ପ୍ରଯୋଜକ ସଂଜୟ ନାୟକ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ସିନେମା ନିର୍ମାଣ ସଂଖ୍ୟା ବଢ଼ିଛି। କିନ୍ତୁ ଗୁଣାତ୍ମକ ସିନେମା ବଢ଼ିନାହିଁ। ଚ୍ୟାନେଲକୁ ବିକ୍ରି କରିବାକୁ ଟେଲି ଫିଲ୍ମ ପ୍ରସ୍ତୁତ ହେଉଛି। ହଲରେ ଗୋଟିଏ ଦୁଇଟି ସୋ ମୁକ୍ତିଲାଭ କରି ଦେଉଛନ୍ତି। ପରେ ଅବଶିଷ୍ଟ ସିନେମା ଟେଲିଭିଜନରେ ଵାର୍ଲଡ ପ୍ରିମିୟମ ହେଇଛି। ଏହି କ୍ରମରେ ୨୦୨୩ରେ ନିର୍ମିତ ୭୪ ଓଡ଼ିଆ ସିନେମା ମଧ୍ୟରୁ ମାତ୍ର ୨୪ରୁ ୨୫ଟି ସିନେମା ହଲ୍ରେ ମୁକ୍ତିଲାଭ କରିଛି। ହଲ୍ରେ ଗୋଟିଏ ସିନେମା ମୁକ୍ତିଲାଭ କଲେ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଆର୍ଥିକ ଖର୍ଚ୍ଚରୁ ନିଜକୁ ଦୂରେଇବା ପାଇଁ ହଲ ବଦଳରେ ଟିଭିକୁ ସିନେମାଗୁଡ଼ିକ ବିକ୍ରି କରି ଦିଆଯାଉଥିବା ଶ୍ରୀ ନାୟକ କହିଛନ୍ତି। ୧୯୯୯ ମହାବାତ୍ୟାରେ ସିନେମା ହଲ୍ ସଂଖ୍ୟା ୧୪୦କୁ ଖସିଥିଲା। ୨୦୧୦ ସେପ୍ଟେମ୍ବରରେ ଆନାଲଗ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ ହେବାରୁ ଡିଜିଟାଲ୍ ଫର୍ମାଟରେ ସାଟେଲାଇଟ୍ ମାଧ୍ୟମରେ ସିନେମା କିଣିଲେ ହଲ୍ ମାଲିକ। ଡିଜିଟାଲ୍ ବ୍ୟବସ୍ଥା ସହିତ ଅନେକ ହଲ୍ ମାଲିକ ସାଲିସ କରିନପାରିବାରୁ ପାଖାପାଖି ୫୦ଟି ସିନେମା ହଲ୍ ବନ୍ଦ ହୋଇଗଲା। ବର୍ତ୍ତମାନ ରାଜ୍ୟରେ ହଲ୍ ସଂଖ୍ୟା ଖସି ପ୍ରାୟ ୮୦ରେ ପହଞ୍ଚିଥିବା କୁହାଯାଉଛି।