୭୪% ଆଗଧାଡ଼ିର ଯୋଦ୍ଧା ନେଲେଣି ଟିକା, ଟିକାକରଣରେ ପଛେଇଛି କଟକ ଜିଲ୍ଲା

ଭୁବନେଶ୍ବର : ରାଜ୍ୟର ୭୪ ପ୍ରତିଶତ ଆଗଧାଡ଼ିର‌ ଯୋଦ୍ଧା ଟିକା ନେଇ ସାରିଲେଣି। ଆଗଧାଡ଼ିର ଯୋଦ୍ଧାଙ୍କ ନିକଟରେ ଟିକା ନେବା ଲାଗି ଆଗ୍ରହ ଦେଖିବାକୁ ମିଳିଛି। ଏହାସହ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ କାର୍ଯ୍ୟ ଧୀମେଇ ଚାଲିଛି। ଅଧିକାଂଶ ଜିଲ୍ଲା ଶତ ପ୍ରତିଶତ ଟିକାକରଣ ଆଡ଼କୁ ମୁହାଁଇଥିବା ବେଳେ କଟକ ଜିଲ୍ଲାରେ ପଛରେ ପଡ଼ିଛି। ରାଜ୍ୟରେ ସମୁଦାୟ ୨ଲକ୍ଷ ୪ହଜାର ୪୬୯ ଆଗଧାଡ଼ିର ଯୋଦ୍ଧା ଟିକା ନେବା ଲାଗି ପଞ୍ଜୀକୃତ ହୋଇଛନ୍ତି। ତହିଁରୁ ୭୩.୯ ପ୍ରତିଶତ ହାରରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୫୧ହଜାର ୮୧ଜଣ ଟିକା ନେଇ ସାରିଲେଣି। ଦେବଗଡ଼ରେ ସର୍ବାଧିକ ୯୧ ପ୍ରତିଶତ କଳାହାଣ୍ଡିରେ ୫୩ ପ୍ରତିଶତ ଟିକା ନେଇଛନ୍ତି। ସେହିପରି ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀ ଟିକା ନେବାକୁ ପଞ୍ଜୀକୃତ ହୋଇଥିବା ବେଳେ ତହିଁରୁ ୮୬.୩ ପ୍ରତିଶତ ହାରରେ ୨ଲକ୍ଷ ୯୨ହଜାର ୩୨୦ଜଣ ଟିକା ନେଇ ସାରିଲେଣି। ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ ଟିକାକରଣ ଜାରି ରହିଛି। ସେହିପରି ୩୬ ପ୍ରତିଶତ ହାରରେ ୧ଲକ୍ଷ ୨୨ହଜାର ୭୪୧ଜଣ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ୫ଲକ୍ଷ ୬୬ହଜାର ୧୪୨ଜଣ ଟିକା ନେଇ ସାରିଲେଣି। କଟକ ଜିଲ୍ଲାରେ ୭୧.୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଯାହାକି ଅନ୍ୟ ଜିଲ୍ଲା ତୁଳନାରେ ଯଥେଷ୍ଟ କମ୍।

ରାଜ୍ୟରେ ଆଜି ଗୋଟିଏ ଦିନରେ ୩୦୭ ଅଧିବେଶନରେ ୬୧୯୯ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ୫୨୭୪ ଜଣ ଟିକା ନେଇଥିଲେ। ଟିକାକରଣ ହାର ୮୫ % ରହିଥିଲା। ସେହିପରି ୨୭ହଜାର ୮୭୬ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ୨୭ହଜାର ୭୭୫ଜଣଙ୍କୁ ଟିକା ଦିଆଯାଇଛି। ଟିକାକରଣ ହାର ୯୯.୬ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବରରେ ପ୍ରଥମ ଡୋଜ୍ ଟିକାକରଣ ୧୦୪ ପ୍ରତିଶତ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍ ଟିକାକରଣ ୪୩ ପ୍ରତିଶତ ହୋଇଥିଲା।

ସମ୍ବନ୍ଧିତ ଖବର