ରାଉରକେଲା: ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍‌) ପାଣ୍ଠିରୁ ପାଣି ବୋହିଲା ପରି ଟଙ୍କା ଖର୍ଚ୍ଚ କରାଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ( ସିଡିଏମ୍‌ ଆଣ୍ଡ ପିଏଚ୍‌ଓ)କୁ ଦିଆଯାଇଛି ସର୍ବାଧିକ ୬୦୧ କୋଟି ୯୧ ଲକ୍ଷ ୪୮ ହଜାର  ୨୬୬ ଟଙ୍କା। ଶ୍ରମିକମାନଙ୍କ ସ୍ବାସ୍ଥ୍ୟସେବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୫୯ କୋଟି ୧୩ ଲକ୍ଷ ୨୮ ହଜାର ୫୯୨ ଟଙ୍କା। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ନିର୍ଦେଶକଙ୍କୁ ୧୯ କୋଟି ୨୮ ଲକ୍ଷ ୬ ହଜାର ୭୨୪ ଟଙ୍କା, ଏମିତି ମୋଟ ୭୪୦ କୋଟି ୩୫ ଲକ୍ଷ ୮୨ ହଜାର ୭୨୨ ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ ହୋଇଛି।

Advertisment

ଡିଏମ୍‌ଏଫ୍‌ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ବାସ୍ଥ୍ୟସେବା ପାଇଁ  ଗୁରୁଣ୍ଡିଆ ବିଡିଓଙ୍କୁ ୫୬ ଲକ୍ଷ ୭୭ ହଜାର ୩୫୫ ଟଙ୍କା, ହେମଗିରି ବିଡିଓଙ୍କୁ ୭ ଲକ୍ଷ ୪ ହଜାର ୧୮୩ ଟଙ୍କା, କୋଇଡ଼ା ବିଡିଓଙ୍କୁ ୧୭ ଲକ୍ଷ  ୭୦ ହଜାର ୨୬୬ ଟଙ୍କା ଖର୍ଚ୍ଚ କରିବାକୁ ଦିଆଯାଇଛି। ସେମିତି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ୭୧ ଲକ୍ଷ ୫୦ ହଜାର ୫୦୦ ଟଙ୍କା, ମହାପ୍ରବନ୍ଧକ (ୱାଟ୍‌କୋ) ରାଉରକେଲାକୁ ୧କୋଟି ୩୧ ଲକ୍ଷ ୭୦ ହଜାର ୫୭୪ ଟଙ୍କା,  ଆଇଟିଡିଏ ବଣାଇକୁ ୨୨ ଲକ୍ଷ ୪୬ ହଜାର ଟଙ୍କା, ରାଉରକେଲା ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ (ଆର୍‌ଆଣ୍ଡବି)କୁ ୧୬ କୋଟି ୯ ଲକ୍ଷ ୧୩ ହଜାର ୭୪୬ ଟଙ୍କା, ସୁନ୍ଦରଗଡ଼ ଆର୍‌ଆଣ୍ଡବିକୁ ୨୮ କୋଟି ୬୭ ଲକ୍ଷ ୪ ହଜାର୯୯୦ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ସୁନ୍ଦରଗଡ଼କୁ ୧ କୋଟି ୩ ଲକ୍ଷ ୬୭ ହଜାର ୫୦୧ ଟଙ୍କା ସ୍ବାସ୍ଥ୍ୟରେ ସେବାରେ ଖର୍ଚ୍ଚ କରିବାକୁ ଦିଆଯାଇଛି। ଜିଲ୍ଲାରେ ଅଧିକାଂଶ ଡାକ୍ତରଖାନାର ଭିତ୍ତିଭୂମି, ସଂଯୋଗକରଣ ରାସ୍ତା, ବିଶୁଦ୍ଧ ପାନୀୟ ଜଳଯୋଗାଣ ଯାହା ହେବା କଥା, ତା’ ‌ହୋଇନି। ଜିଲ୍ଲାର ଉପାନ୍ତ ବ୍ଲକର ପିଏଚ୍‌ସି ଓ ସିଏଚ୍‌ସି ଅବସ୍ଥା ଛାଡନ୍ତୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲା ସରକାରୀ ଡାକ୍ତରଖାନା ଜ୍ବଳନ୍ତ ଉଦାହରଣ। ଏଠି ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି।

ରାଉରକେଲା ଗସ୍ତରେ ଆସିଥିବା ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି କଥାକୁ ସ୍ବୀକାର କରିଥିଲେ। ଆର୍‌ଜିଏଚ୍‌ରେ ଆବଶ୍ୟକ ୧୩୭ ଡାକ୍ତର ମଧ୍ୟରୁ ଅଛନ୍ତି ମାତ୍ର ୭୫ ଡାକ୍ତର। ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଡାକ୍ତର ପଦବି ଖାଲି ପଡ଼ିଛି। ଡିଏମ୍‌ଏଫ୍‌ ପାଣ୍ଠିରୁ କିଣାଯାଇଥିବା କୋଟି କୋଟି ଟଙ୍କାର ମେସିନ୍‌ ଖତ ଖାଉଛି। ଆଜି ପର୍ଯ୍ୟନ୍ତ ଏମ୍‌ଆର୍‌ଆଇ ଓ ଆଇସିୟୁ ବ୍ୟବସ୍ଥା ଉପଲବ୍ଧ ହେଲାନି। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସେହି ସମାନ ସମସ୍ୟା। ଏମ୍‌ଆର୍‌ଆଇ ବ୍ୟବସ୍ଥା ଉପଲବ୍ଧ ଅଛି। ହେଲେ ରୋଗୀଙ୍କ କାମରେ ଆସୁନି। ଡାକ୍ତରଖାନାର ଭିତ୍ତିଭୂମି ସ୍ଥିତି ଆହୁରି ସଙ୍ଗିନ୍‌। ଉପାନ୍ତ ବ୍ଲକ କୋଇଡ଼ା, ଗୁରୁଣ୍ଡିଆ, ଲହୁଣିପଡା, ହାତୀବାରି, ବିଶ୍ରା ସମେତ ଅନେକ ବ୍ଲକରେ ଡାକ୍ତର ନଥିବାରୁ ରୋଗୀମାନେ ଫେରିଆସୁଛନ୍ତି।

 ଜିଲ୍ଲାର ୨୦ରୁ ଅଧିକ ପିଏଚ୍‌ସି ଓ ସିଏଚ୍‌ସି ପାର୍ମାସି ଓ ଜଣେ ଦୁଇଜଣ ଡାକ୍ତରରେ ଚାଲିଛି। ଭିତ୍ତିଭୂମି ବାବଦରେ ଡିଏମ୍‌ଏଫ୍‌ ପାଣ୍ଠିରୁ କୋଟି କୋଟି ଟଙ୍କା ବିଭିନ୍ନ ବିଭାଗ ଜରିଆରେ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ହେଲେ ଏସବୁ ସରକାରୀ ଡାକ୍ତରଖାନାର ଅବସ୍ଥା କାହିଁତି ଆଜି ଅତି ଦୟନୀୟ, ତା’ର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟସେବା ନାଁରେ ଖର୍ଚ୍ଚ ହୋଇଥିବା ଡିଏମ୍‌ଏଫ୍‌ ପାଣ୍ଠିର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ବଡ଼ଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।