କୋଟିଆରେ ୭୪୧ ଜଣ ଭତ୍ତା ପାଉଛନ୍ତି

ସୀମାନ୍ତବର୍ତ୍ତୀ ଜିଲ୍ଲାରେ ୩୭ଟି ଦକ୍ଷତା ବିକାଶ କେନ୍ଦ୍ର

ଭୁବନେଶ୍ବର : ଆନ୍ତଃରାଜ୍ୟ ସୀମା ବିବାଦରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜର ୭୪୧ ଜଣ ହିତାଧିକାରୀ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ପେନ୍‌ସନ୍ ଯୋଜନାରେ ଭତ୍ତା ପାଉଛନ୍ତି। ଆଉ ୧୦୨ ଜଣ ଆବେଦନକାରୀ ଭତ୍ତା ପାଇବା ପାଇଁ ଅପେକ୍ଷା କରିଛନ୍ତି। କୋଟିଆରେ ପେନ୍‌ସନ୍ ହିତାଧିକାରୀଙ୍କୁ ଆନ୍ଧ୍ର ସରକାର ଓଡ଼ିଶା ସରକାରଙ୍କ ଠାରୁ ଅଧିକ ଭତ୍ତା ଦେଉଥିବା ଅଭିଯୋଗ ସରକାରଙ୍କ ଦୃଷ୍ଟିଗୋଚର ହୋଇ ନାହିଁ। ଆଜି ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁକେଶ ମହାଲିଙ୍ଗଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।

ମୁକେଶ ମହାଲିଙ୍ଗଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ଆନ୍ତଃରାଜ୍ୟ ସୀମାରେ ଥିବା ଓଡ଼ିଶାର ଗ୍ରାମଗୁଡ଼ିକର ଯୁବକ, ଯୁବତୀମାନଙ୍କ ଦକ୍ଷତା ବୃଦ୍ଧି କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଓ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦ୍ବାରା ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୩୭ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପ୍ରତିଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ହାରାହାରି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୩୭ଟି କେନ୍ଦ୍ର ମଧ୍ୟରୁ ୨୪ଟି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇ ତାଲିମ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଦିଆଯାଇଛି। ଏହା ବାଦ୍ ଆନ୍ତଃରାଜ୍ୟ ସୀମାରେ ଥିବା ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଯୁବକ, ଯୁବତୀମାନଙ୍କର ଦକ୍ଷତା ବୃଦ୍ଧି କରି ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଉଭୟ ସରକାରୀ ଆଇଟିଆଇ ଓ ଡିପ୍ଲୋମା ଅନୁଷ୍ଠାନ ଖୋଲାଯାଇଛି।

ସମ୍ବନ୍ଧିତ ଖବର