ଭୁବନେଶ୍ବର : ୭୪ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ଆଜି ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପ୍ରତିବର୍ଷ ପରି ଏଥର ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ଜନସାଧାରଣଙ୍କ ସହଯୋଗ ଦ୍ୱାରା ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ କ୍ରମାଗତ ଭାବେ ବଢ଼ୁଛି। ରାଜ୍ୟରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ଚଳିତ ବର୍ଷ ବର୍ଷାଋତୁରେ ବିଭିନ୍ନ ବନୀକରଣ ଯୋଜନାରେ ୭୮ହଜାର ୯୯୦.୩୨ ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ, ୫ ହଜାର କିମି ପଥପାର୍ଶ୍ୱ ବନୀକରଣ ଓ ୪.୬୧ ଲକ୍ଷ ଚାରା ସହରାଞ୍ଚଳରେ ଲଗାଯିବ। ମୋଟ ୩.୭୮କୋଟି ଚାରାରୋପଣ କରିବାକୁ ଯୋଜନା ହୋଇଥିବା ବେଳେ ୬.୪୨ କୋଟି ଚାରା ସାଧାରଣ ହିତାଧିକାରୀ ଓ ଅନୁଷ୍ଠାନଗୁଡ଼ିକୁ ବଣ୍ଟନ କରାଯିବ। ଏହି ବନୀକରଣ ଯୋଜନାରେ ବିଭିନ୍ନ ଜଙ୍ଗଲ କିସମର ବୃକ୍ଷ ଚାରା ସହ ଔଷଧୀୟ ବୃକ୍ଷ ଚାରାରୋପଣ ପାଇଁ ଗୁରୁତ୍ବ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍ରେ ସମ୍ବୋଧିତ କରି ରାଜ୍ୟରେ ବ୍ୟାପକ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ କରିବାକୁ ଜନସାଧାରଣଙ୍କୁ ଉପଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଂସଦ ସୁଲତା ଦେଓ, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାପକ ବନୀକରଣ କରିବାକୁ ସଚେତନ କରାଇଥିଲେ।
ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ସହ ବନ ମହୋତ୍ସବର ଗୁରୁତ୍ୱ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବନ ମହୋତ୍ସବ ସ୍ମରଣିକା ସହ ‘ମାନଗ୍ରୋଭ୍ ଅଫ୍ ଓଡ଼ିଶା’ ସମ୍ପର୍କିତ ଏକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ୭୪ତମ ବନ ମହୋତ୍ସବ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ବନୀକରଣ ଓ ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ୱଲପୁର ଜିଲ୍ଲାର ‘ଅଧାପଡା ବନ ସଂରକ୍ଷଣ ସମିତି’କୁ ଶ୍ରେଷ୍ଠ ବନ ସଂରକ୍ଷଣ ସମିତି ଭାବେ ସମ୍ମାନିତ କରାଯିବା ସହ ୨ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି।