୭୫ କିମିର ବେଳାଭୂମି ହେବ ପ୍ଲାଷ୍ଟିକ୍‌ମୁକ୍ତ

ଗଞ୍ଜାମ : ବେଳାଭୂମିରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ପଡ଼ିରହି ଏହା ପରିବେଶ ଉପରେ କୁପ୍ରଭାବ ପକାଉଛି। ଜୈବ ବିବିଧତା ନଷ୍ଟ ହେଉଛି। ଏଥିପାଇଁ ବେଳାଭୂମିକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ୍‌ମୁକ୍ତ କରିବା ଏବଂ ସ୍ବଚ୍ଛତା ପାଇଁ ଗଞ୍ଜାମର ୟୁଥ୍‌ମାସ୍ ସଂଗଠନ ଅଣ୍ଟା ଭିଡ଼ିଛି। ଗଞ୍ଜାମରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟାପ୍ତ ବେଳାଭୂମିକୁ ସଫେଇ ପାଇଁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏଣିକି ପ୍ରତି ରବିବାର ସଫେଇ କାର୍ଯ୍ୟକ୍ରମ ଆୟୋଜନ ସହ ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାମିଲ ହେବେ ବୋଲି ସୂଚନା ମିଳିଛି।

ଯୋଗଦେଲେ ୱିଣ୍ଡ୍‌ସର୍ଫିଂ କୁଇନ୍‌ ମନସ୍ବିନୀ
ପ୍ରତି ରବିବାର ସଫେଇ, ସାମିଲ ହେବେ ସ୍ବେଚ୍ଛାସେବୀ ଅନୁଷ୍ଠାନ

ଗଞ୍ଜାମ ବ୍ଲକ୍ ଅଧୀନ ପ୍ରୟାଗିସ୍ଥିତ ଅଳେଶ୍ବର ବେଳାଭୂମିରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏଥିରେ ଅନ୍ତର୍ଜାତୀୟ ଦୁଃସାହସିକ ଉଇଣ୍ଡସର୍ଫିଂ କୁଇନ୍ ମନସ୍ବିନୀ ମହାରଣା ସାମିଲ ହୋଇଥିଲେ। ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍ ଆବର୍ଜନା ସଫେଇ କରାଯାଇଥିଲା। ବେଳାଭୂମିରେ ପ୍ଲାଷ୍ଟିକ୍‌ ଜିନିଷକୁ ଏଣେତେଣେ ନ ‌ଫୋପାଡ଼ି ଡଷ୍ଟବିନ୍ ବ୍ୟବହାର କରିବା ଲାଗି ପର୍ଯ୍ୟଟକମାନଙ୍କୁ ସଚେତନ କରାଯାଇଥିଲା। ପରେ ଗଞ୍ଜାମ ସହରସ୍ଥିତ ଖଣ୍ଡେଶ୍ୱର ମନ୍ଦିର ଓ କାଇଞ୍ଚପୁର ରାସ୍ତାପାର୍ଶ୍ବରେ ବିଭିନ୍ନ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା। ପ୍ରଭାତ ବିଶ୍ବାଳ, ଅଖିଳ ତରାଇ, ସୀମାଞ୍ଚଳ ଦାସ, ପ୍ରଣବ ପ୍ରଧାନ, ଗୁରୁନାଥ ରେଡ୍ଡୀ, କରୁଣା ରେଡ୍ଡୀ, ସନ୍ତୋଷ ତରାଇ, ବସନ୍ତ ସାହୁ, ତ୍ରିଶକ୍ତି ରେଡ୍ଡୀ, ଟୁକୁନା ରେଡ୍ଡୀ, ଅଭିରାମ ଗୌଡ଼, ଅକ୍ଷୟ ପଲାଇ, ସୁଦାମ ଜେନା, ଦୁର୍ଗାମାଧବ ପାଣିଗ୍ରାହୀ, ପ୍ରଭାତ ପାଣିଗ୍ରାହୀ, ସାମାରେଡ୍ଡୀ, ପ୍ରଭାତ ସାହୁ ଏବଂ ବିନୋଦ ଚନ୍ଦ୍ର ପଲାଇଙ୍କ ସମେତ ‘ଭରସା’ ଏବଂ ‘ସକ୍ଷମ’ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରତି ରବିବାର ସଫେଇ ଅଭିଯାନରେ ସମସ୍ତ ଅନୁଷ୍ଠାନ ସାମିଲ ହେବ ବୋଲି ଗଞ୍ଜାମ ୟୁଥ୍‌ମାସ୍‌ର ଆବାହକ ଦୁର୍ଗାମାଧବ ପାଣିଗ୍ରାହୀ  ଓ ପ୍ରଭାତ ବିଶ୍ୱାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର