ବୁଗୁଡ଼ା : ଗର୍ଭବତୀଙ୍କ ସ୍ବାସ୍ଥ୍ୟର ଯତ୍ନକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ତୃଣମୂଳସ୍ତର‌ରେ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗର୍ଭବତୀଙ୍କ ପାଇଁ ପ୍ରତି ୩ ମାସକୁ ଥରେ ସମୁଦାୟ ୩ ଥର ମାଗଣା ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ହସ୍ପିଟାଲ୍‌ରୁ ‌‌ରେଫର୍ ଗର୍ଭବତୀଙ୍କୁ ନିକଟ ଘରୋଇ କ୍ଲିନିକ୍‌ରେ ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷା ସେବା ମାଗଣାରେ ମିଳିବ।

Advertisment

ତେବେ ବୁଗୁଡ଼ା ବ୍ଲକ୍‌ର ୨୧ ପଞ୍ଚାୟତରୁ ଗର୍ଭବତୀଙ୍କୁ ମାଗଣା ଅଲ୍‌ଟ୍ରାସାଉଣ୍ଡ୍ ପାଇଁ ୭୫ କିଲୋମିଟର ଦୂର ବ୍ରହ୍ମପୁର ଆସିବାକୁ ପଡ଼ୁଛି। କାରଣ ବୁଗୁଡ଼ା ସହରରେ ଏହାର ସୁବିଧା ନାହିଁ। ଆଉ ୧୬ କି‌ଲୋମିଟର ଦୂର ପୋଲସରାରେ ଏହି ସୁବିଧା ଉପଲବ୍ଧ ସତ୍ତ୍ବେ ସ୍ବାସ୍ଥ୍ୟ ବିଭାଗ ଟ୍ୟାଗ୍‌ କରିଥିବା ବ୍ରହ୍ମପୁରର ଏକ ଘରୋଇ ନର୍ସିଂହୋମ୍‌କୁ ପଠାଯାଉଛି। ଫଳରେ ସରକାରୀ ନୀତିନିୟମରେ ଛନ୍ଦି ହୋଇ ସେମାନଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି। ଫଳରେ ମାଗଣା ସେବାକୁ ଯାତାୟାତର ଯନ୍ତ୍ରଣା ବଳିଯାଉଥିବା ବେଳେ ଗର୍ଭବତୀମାନେ ଗାଡ଼ି ଭଡ଼ା କରି ଖର୍ଚ୍ଚାନ୍ତ ହେଉଛନ୍ତି।
ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରେକର୍ଡ଼ ଅନୁସାରେ, ପ୍ରତି ମାସରେ ୫ ଶହରୁ ଅଧିକ ଗର୍ଭବତୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସୁଛନ୍ତି। ଆସିକା ଉପଖଣ୍ଡ ଡାକ୍ତରଖାନା ତୁଳନାରେ ଅଧିକ ଗର୍ଭବତୀ ବୁଗୁଡ଼ା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏଠାରେ ଅଲଟ୍ରାସାଉଣ୍ଡ୍ ପରୀକ୍ଷା ବ୍ୟବସ୍ଥା ନଥିବାରୁ ବୁଗୁଡ଼ା ଡାକ୍ତରଖାନାକୁ ବ୍ରହ୍ମପୁର ସ୍ଥିତ ମିଶ୍ର ନର୍ସିଂ ହୋମ୍‌କୁ ଟ୍ୟାଗ୍ କରାଯାଇଥିବା ନେଇ ବୁଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତଥା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା.ଶୁଭାଶିଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଫଳରେ ପ୍ରତିଦିନ ୬୦୦ରୁ ଅଧିକ ଗର୍ଭବତୀ ବସ୍, କାର୍ ଓ ଅଟୋ ପାଇଁ ହଜାର ହଜାର ଟଙ୍କା ଭଡ଼ା ଗଣି ନୟାନ୍ତ ହେଉଛନ୍ତି। ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ଗର୍ଭବତୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। ସେମାନେ ନିୟମାନୁସାରେ ୩ ଥର ଅଲଟ୍ରାସାଉଣ୍ଡ୍ ପରୀକ୍ଷା ପାଇଁ ବ୍ରହ୍ମପୁର ଆସିପାରୁନାହାନ୍ତି। ଯେଉଁମାନେ ବସ୍ ଯୋଗେ ବ୍ରହ୍ମପୁର ଆସୁଛନ୍ତି, ସେମା‌ନଙ୍କୁ କ୍ଲିନିକ୍‌କୁ ଯିବା ପାଇଁ ଭଡ଼ା ଗଣିବାକୁ ପଡ଼ୁଛି। ବହୁ ସମୟରେ କିଛି ଗର୍ଭବତୀ ଠକାମିର ଶିକାର ହେଉଛନ୍ତି।

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲିଆ ଗ୍ରାମ ବଡ଼ସାହିର ନିଲୁ ସେଠୀଙ୍କ ସ୍ତ୍ରୀ ଲିଜା ବର୍ତ୍ତମାନ ୮ ମାସର ଗର୍ଭବତୀ ଅଛନ୍ତି। ସେ ୩ ମାସ ତଳେ ଧାରଉଧାର କରି ବ୍ରହ୍ମପୁର ଯାଇ୍ ଅଲଟ୍ରାସାଉଣ୍ଡ୍ ପରୀକ୍ଷା କରିଥିଲେ। ଏହାପରେ ଅର୍ଥାଭାବ ଯୋଗୁଁ ସେ ଦୁଇଥର ପରୀକ୍ଷା ପାଇଁ ଯାଇପାରିନାହାନ୍ତି। କେବଳ ଲିଜା ନୁହଁନ୍ତି, ସ୍ବାସ୍ଥ୍ୟ ବିଭାଗର ଏହି ବିଚିତ୍ର ନୀତି ଯୋଗୁଁ ଅନେକ ଗରିବ ମହିଳା ମାଗଣା ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି।

ତେବ‌େ ବୁଗୁଡ଼ାରୁ ୧୬ କିଲୋମିଟର ପୋଲସରା, ୩୦ କିଲୋମିଟର ଦୂର ଆସିକା ଏବଂ ୪୦ କିଲୋମିଟର ଦୂର ଭଞ୍ଜନଗରରେ ଅଲଟ୍ରାସାଉଣ୍ଡ୍ ବ୍ୟବସ୍ଥା ଥିବା ବେଳେ ବୁଗୁଡ଼ା ବ୍ଲକ୍ ୨୧ ପଞ୍ଚାୟତର ଗର୍ଭବତୀଙ୍କୁ ୭୫ କିମି ଦୂର ବ୍ରହ୍ମପୁରର ଗୋଟିଏ ଘରୋଇ କ୍ଲିନିକକୁ କାହିଁକି ଓ କାହା ସ୍ୱାର୍ଥରେ ପଠାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏହାସହ ବୁଗୁଡ଼ାରେ ଅଲଟ୍ରାସାଉଣ୍ଡ ମେସିନ୍‌ର ସ୍ଥାୟୀ ସୁବିଧା ହେବା ପର୍ଯ୍ୟନ୍ତ, ଗର୍ଭବତୀଙ୍କୁ ପୋଲସରା ପଠାଯାଉ ବୋଲି ସାଧାରଣରେ ଦାବି ହୋଇଛି l

ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗ‌ାଯୋଗ କରିବାରୁ ସେ କହିଛନ୍ତି, ବୁଗୁଡ଼ା ମେଡିକାଲରେ ପଞ୍ଜୀକୃତ ଗର୍ଭବତୀ ଅଲଟ୍ରାସାଉଣ୍ଡ୍ ପାଇଁ ବ୍ରହ୍ମପୁର ଆସୁଥିବା ସେ ଜ‌ାଣିନାହାନ୍ତି। କିନ୍ତୁ ଖୁବ୍‌ଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ ହେବ।