ଭୁବନେଶ୍ବର: ସେପ୍ଟେମ୍ବର ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ। ଏକ ସଶକ୍ତ ଓ ବିକଶିତ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ସାରା ବିଶ୍ୱରେ ପ୍ରଶଂସା ଅର୍ଜନ କରିଛି। ଓଡ଼ିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି। ରାଜ୍ୟର ବିକାଶ ପ୍ରତି ତାଙ୍କର ନିଷ୍ଠାକୁ ସମ୍ମାନ ଦେଇ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଚାରା ରୋପଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁନିଆର ସବୁଠୁ ବଡ଼ ଆଶୀର୍ବାଦ ହେଉଛି ମା’। ନିଜ ଜନ୍ମଦାତ୍ରୀ ମା’ ଭଳି ଧରିତ୍ରୀ ମଧ୍ୟ ଆମର ଆଉ ଏକ ମା’। ନିଜ ମା’ ପ୍ରତି ସ୍ନେହ ଓ ଭଲ ପାଇବା ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ଏକ୍ ପେଡ୍ ମା’ କେ ନାମ୍’ ବା ‘ମା ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ କରିଛନ୍ତି।
ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଚଳିତବର୍ଷ ରାଜ୍ୟବ୍ୟାପୀ ୭.୫କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରହିଛି। ଜୁନ୍ ୫ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୩୦ ସେପ୍ଟେମ୍ବରରେ ଶେଷ ହେବ। ଏହା ହେବ ମୋଦୀଙ୍କ ପ୍ରତି ଓଡ଼ିଶାବାସୀଙ୍କର ଶ୍ରେଷ୍ଠ ଉପହାର। ତେଣୁ ବୃକ୍ଷରୋପଣ ଭଳି ମହତ କାମରେ ସମସ୍ତ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି, ଏସ୍ଏଚ୍ଜି ସଦସ୍ୟା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡ଼ି ହୋଇ ଏହାକୁ ସଫଳ କରିବା ପାଇଁ ଅନୁରୋଧ। ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହେବା। ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ଲାଗି ଗଛଟିଏ ନିଶ୍ଚୟ ଲଗାଇବା। ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ି ତୋଳିବାରେ ସହାୟକ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।