ଏଣିକି ଜୋର୍‌ଦାର୍‌ ହେବ ଉଚ୍ଛେଦ, ମାଟିରେ ମିଶିଲା ଲଙ୍ଗୁଳି ମଠ

୭୫ ମିଟର କଟକଣା ପାଇଁ ଲାଗିଲା ପ୍ରଥମ ପ୍ରହାର, ଜଗିଲେ ୮ ମାଜିଷ୍ଟ୍ରେଟଙ୍କ ସହ ୩୦ ପ୍ଲାଟୁନ୍ ଫୋର୍ସ

ପୁରୀ: ବଡ଼ଦେଉଳର ଶ୍ରୀବୃଦ୍ଧି ତଥା ଆତଙ୍କବାଦୀ ଆକ୍ରମଣରୁ ସୁରକ୍ଷା ପାଇଁ ମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନ ସ୍ବରୂପ ଆଜି ମାଟିରେ ମିଶିଛି ଶତାଧିକ ବର୍ଷର ପୁରୁଣା ଲଙ୍ଗୁଳି ମଠ। କେବଳ ମଠ ଭିତରେ ଥିବା ଛୋଟିଆ ମନ୍ଦିରକୁ ଛାଡ଼ିଦେଲେ ଦୁଇ ମହଲା ବିଶିଷ୍ଟ ଏହି ମଠକୁ ୫ରୁ ଅଧିକ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଶାନ୍ତିଶୃଙ୍ଖଳାର ସହ ଆଜିର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ଆଇନଶୃଙ୍ଖଳା ଉପରେ ନଜର ରଖିବା ପାଇଁ ୮ ଜଣ ମାଜିଷ୍ଟ୍ରେଟ୍‌, ରାପିଡ୍ ଆକ୍ସନ ଫୋର୍ସ ସମେତ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଦଙ୍ଗା ନିୟନ୍ତ୍ରଣ ଗାଡ଼ି ବି ଘଟଣାସ୍ଥଳରେ ମୁତୟନ ହୋଇଥିଲା। ଲଙ୍ଗୁଳି ମଠ ପରେ ଏମାର ମଠର ଚାରି ମହଲା କୋଠା ଓ ବଡ଼ଆଖଡ଼ା ମଠର ଦୁଇମହଲା କୋଠା ଭଙ୍ଗାଯିବ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ କାର୍ଯ୍ୟ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ସର୍ବେସର୍ବା କରାଯାଇଛି। ସର୍ଭେଠାରୁ ଆରମ୍ଭ କରି ଜାଗା ଚିହ୍ନଟ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ଉନ୍ନୟନ କାର୍ଯ୍ୟ ଆଦି ସମସ୍ତ ଦାୟିତ୍ବ ଜିଲ୍ଲାପାଳଙ୍କୁ ଦିଆଯାଇଛି। ଗତ ଦୁଇଦିନ ତଳୁ ଉଚ୍ଛେଦ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ଅଧିକାରୀଙ୍କୁ ନେଇ ବିସ୍ତୃତ ଆଲୋଚନା ପରେ ଗତ ୨୫ ତାରିଖ ରାତିରେ ଲଙ୍ଗୁଳି ମଠର ମହନ୍ତ ଓ ବ୍ୟବସାୟୀମାନଙ୍କୁ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା। ପ୍ରଶାସନର ନିର୍ଦେଶ ପରେ ୨୫ ତାରିଖ ରାତିରୁ ବ୍ୟବସାୟୀମାନେ ପ୍ରଥମ ମହଲାରେ କରିଥିବା ଦୋକାନ ଘରଗୁଡ଼ିକୁ ଖାଲି କରିବା ଆରମ୍ଭ କରିଥିଲେ। ଗତକାଲି ସଂଧ୍ୟା ସୁଦ୍ଧା ଦୋକାନ ଘର ଖାଲି ପରେ ଆଜି ସକାଳୁ ୮ରୁ ଅଧିକ ମାଜିଷ୍ଟ୍ରେଟ୍ ଓ ଶହ ଶହ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିଜେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଦିନତମାମ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଯେହେତୁ ଲଙ୍ଗୁଳି ମଠର ସବୁ ଜିନିଷପତ୍ର ଖାଲି ହୋଇନଥିଲା, ସେଥି ପାଇଁ ଉଚ୍ଛେଦରେ ବିଳମ୍ବ ହୋଇଥିଲା। ମଠରୁ ଜିନିଷପତ୍ର ଖାଲି ପରେ ସକାଳ ପ୍ରାୟ ୯ଟାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ମଠ ଘର ଓ ଏଠାରେ ଥିବା ୨୪ ଦୋକାନ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। ଉଚ୍ଛେଦ ପରେ ରାତି ପର୍ଯ୍ୟନ୍ତ ଭଗ୍ନାଂଶ ଉଠା କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ପାଇଁ ମାର୍କେଟ୍ ଛକ ଓ ମରିଚିକୋଟ ଛକରେ ବ୍ୟାରିକେଡ୍ ପକାଇ ଗାଡ଼ିମୋଟର ଅଟକାଯାଇଥିଲା। ରାପିଡ୍ ଆକ୍ସନ୍ ଫୋର୍ସ, ଓଏସ୍‌ଏପି ଫୋର୍ସ, ଲୁହବୁହା ଗ୍ୟାସ୍ ସହ ବନ୍ଧୁକଧାରୀ ପୁଲିସଙ୍କୁ ମୁତୟନ କରାଯାଇଥିଲା। କାଳେ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥି ପାଇଁ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଓ ଏହାର ଆଖପାଖରେ ବ୍ୟାପକ ପୁଲିସ ଜଗି ରହିଛନ୍ତି। ଆସନ୍ତାକାଲି ବି ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର