ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଆପତ୍ତି-ଅଭିଯୋଗ ଶୁଣିଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଜିଲ୍ଲା ପ୍ରଶାସନ ଲୋକଙ୍କର ଆପତ୍ତି ଓ ଅଭିଯୋଗ ଶୁଣିଛି। କୋଭିଡ୍‌ କଟକଣା ମଧ୍ୟରେ ନୀଳାଦ୍ରି ଭକ୍ତ ନିବାସରେ ଆଜି ପୂର୍ବାହ୍‌ଣ ୯ଟାରୁ ୩୦ରୁ ବିଭିନ୍ନ ପର୍ଯ୍ୟାୟରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଏପର୍ଯ୍ୟନ୍ତ ୮୦ ପ୍ରତିଶତ ଜବରଦଖଲ ଉଚ୍ଛେଦ ହୋଇସାରିଥିବା ବେଳେ ଆହୁରି ୨୦ ପ୍ରତିଶତ ଜବରଦଖଲ ଉଚ୍ଛେଦ ହୋଇପାରି ନାହିଁ। ଆଜିର ଜନଶୁଣାଣି ଶିବିରରେ ଅବଶିଷ୍ଟାଂଶ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଆଲୋଚନା ହୋଇଛି। ଆଜି ପୂର୍ବାହ୍‌ଣ ସାଢ଼େ ୯ଟାରୁ ୧୧ଟା ପର୍ଯ୍ୟନ୍ତ ବାସେଳିସାହି, ଓ୍ଵାର୍ଡ-୨, ପୂର୍ବାହ୍‌ଣ ୧୧ଟାରୁ ସାଢ଼େ ୧୨ଟା ଯାଏଁ ବାସେଳିସାହି, ଓ୍ଵାର୍ଡ-୩ ଓ ଅପରାହ୍‌ଣ ୧୨ଟା ୩୦ରୁ ୧ଟା ୩୦ ଯାଏଁ ମଣିକର୍ଣ୍ଣିକାସାହି, ଓ୍ଵାର୍ଡ-୪ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନଶୁଣାଣି ହୋଇଥିଲା।

ସେହିପରି ମଧ୍ୟାହ୍‌ଣ ଭୋଜନ ବିରତି ପରେ ଅପରାହ୍‌ଣ ୨ଟା ୩୦ରୁ ୩ଟା ୩୦ ଯାଏଁ ମଣିକର୍ଣ୍ଣିକା ସାହି, ଓ୍ଵାର୍ଡ-୯, ଅପରାହ୍‌ଣ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ କାଳିକାଦେବୀ ସାହି ଓ୍ଵାର୍ଡ-୧୨, ଅପରାହ୍‌ଣ ୪ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଦୋଳମଣ୍ଡପସାହି ଓ୍ଵାର୍ଡ-୧୫ଓ ସନ୍ଧ୍ୟା ସାଢ଼େ ୫ଟାରୁ ଚୁଡ଼ଙ୍ଗସାହି ଓ୍ଵାର୍ଡ-୧୭ ପାଇଁ ଜନଶୁଣାଣି ହୋଇଥିଲା।

ଜନଶୁଣାଣି ଶିବିରରେ ଉପଜିଲ୍ଲାପାଳ ଭବ ଚରଣ ସାହୁ, ଅତିରକ୍ତ ଜିଲ୍ଲାପାଳ ବିନୟ ଦାଶ ଓ ରାଜସ୍ୱ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାପାଳଙ୍କ ଆଦେଶକ୍ରମେ ମୌଜା ବାସେଳିସାହି, ମଣିକର୍ଣ୍ଣିକାସାହି, କାଳିକାଦେବିସାହି, ଦୋଳମଣ୍ଡପସାହି ଓ ଚୁଡ଼ଙ୍ଗସାହି ଅନ୍ତର୍ଗତ ଓ୍ଵାର୍ଡ ନଂ- ୨, ୩, ୪, ୯, ୧୨, ୧୫ ଓ ୧୭ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ସୁରକ୍ଷା ବଳୟର ଉନ୍ନତିକରଣ ପ୍ରକଳ୍ପ କରାଯାଉଛି। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସମାଜିକ ପ୍ରଭାବ ଆକଳନ ୟୁନିଟ ଏକ ସାମାଜିକ ପ୍ରଭାବ ବିବରଣୀ ପ୍ରସ୍ତୁତ କରିଅଛନ୍ତି।

ସମ୍ବନ୍ଧିତ ଖବର