୭୫% କଲେଜରେ ହୁଏନି ଛାତ୍ର ସଂସଦ ନିର୍ବାଚନ

ବିକଳ୍ପ ବ୍ୟବସ୍ଥା‌ ନେଇ କର୍ତୃପକ୍ଷଙ୍କ ଉପରେ ବଢ଼ୁଛି ଚାପ, ପରୋକ୍ଷ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ନିରବ
ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୧ଟି ସରକାରୀ ବିଶ୍ବବିଦ୍ୟାଳୟ ଓ ୧୦୪୭ଟି ଡିଗ୍ରି କଲେଜ ରହିଛି। ଯେଉଁଥିରେ ସ୍ବୟଂଶାସିତ ମହାବିଦ୍ୟାଳୟ, ମହିଳା ଡିଗ୍ରି କଲେଜ, ସଂସ୍କୃତ ଡିଗ୍ରି କଲେଜ, ଧନ୍ଦାମୂଳକ କଲେଜ, ସେଲ୍ଫ ଫାଇନାନ୍ସିଂ କଲେଜ ଆଦି ଅନ୍ତର୍ଭୁକ୍ତ। ତେବେ ଗତ ୫ ବର୍ଷ ‌ହେଲା ଅର୍ଧାଧିକ ବିଶ୍ବବିଦ୍ୟାଳୟ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉନି। ପ୍ରାୟ ୨୫୦ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେଉଥିବା ବେଳେ ୭୫ ପ୍ରତିଶତ କଲେଜରେ ପ୍ରତ୍ୟକ୍ଷ ଭାବେ ଛାତ୍ର ପ୍ରତିନିଧି ନିର୍ବାଚନ ହେଉନାହାନ୍ତି। ୧୫ରୁ ୨୦ପ୍ରତିଶତ କଲେଜ କ୍ୟାମ୍ପସରେ ପରୋକ୍ଷରେ ଛାତ୍ର ପ୍ରତିନିଧି ବଛା‌ ଯାଉଛନ୍ତି। ବାକି କ୍ୟାମ୍ପସରେ ଛାତ୍ର ପ୍ରତିନିଧି ଚୟନ ହେଉନାହାନ୍ତି। ଯେଉଁଠି ପ୍ରତ୍ୟକ୍ଷ ନିର୍ବାଚନ ହେଉଛି, ସେଠାରେ ଗଣ୍ଡଗୋଳ ହେବା ଏକପ୍ରକାର ଥୟ। ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଥର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ଉଚ୍ଚଶିକ୍ଷା ବିଭାଗର ତଥ୍ୟ କହୁଛି, ରାଜ୍ୟରେ ୨୧୧ଟି ସେଲ୍ଫ ଫାଇନାନ୍ସିଂ ଡିଗ୍ରି କଲେଜରେ କେବେ ବି ଛାତ୍ର ସଂସଦ ନିର୍ବାଚନ ହୁଏ ନାହିଁ। ୮୦ଟି ଧନ୍ଦାମୂଳକ କଲେଜ ମଧ୍ୟରୁ ହାତଗଣତି କିଛି କ୍ୟାମ୍ପସରେ ହୋଇଥାଏ। ତା’ ପୁଣି ଗଣ୍ଡଗୋଳ ଭିତରେ। ୫୦ଟି ମହିଳା ଡିଗ୍ରି କଲେଜ ମଧ୍ୟରୁ ୧୫ରୁ ୨୦ଟିକୁ ଛାଡ଼ି ଦେଲେ ବାକି କଲେଜରେ ନିର୍ବାଚନ କରାଯାଇନଥାଏ। କେତେକ କ୍ୟାମ୍ପସରେ ପରୋକ୍ଷରେ ଛାତ୍ର ପ୍ରତିନିଧି ବଛା ଯାଇଥାନ୍ତି। ବାକି ପ୍ରାୟ ୭୦୦ କଲେଜ ମଧ୍ୟରୁ ମାତ୍ର ୨୦୦ କଲେଜରେ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ପ୍ରତିନିଧି ବାଛିଥାନ୍ତି। ସରକାରୀ କଲେଜଗୁଡ଼ିକରେ ମୁଖ୍ୟତଃ ପ୍ର‌ତ୍ୟକ୍ଷ ନିର୍ବାଚନ ହେଉଥିବା ବେଳେ ଅନୁଦାନପ୍ରାପ୍ତ ଡିଗ୍ରି କଲେଜଗୁଡ଼ିକ ଛାତ୍ର ପ୍ରତିନିଧି ମନୋନୀତ କରିଥାନ୍ତି। ପ୍ରତ୍ୟକ୍ଷ ନିର୍ବାଚନ ଦ୍ବାରା କ୍ୟାମ୍ପସରେ ଗଣ୍ଡଗୋଳ ହେବା ସହ ବ୍ୟାପକ ଭଙ୍ଗାରୁଜା ହେଉଛି। ଯେଉଁ ସାମଗ୍ରୀ ନଷ୍ଟ ହେଉଛି, ତାହାକୁ ଭରଣା କରିବା ସମ୍ଭବପର ହେଉନାହିଁ। ଏଥିପାଇଁ ଅଧିକାଂଶ କଲେଜ ଅଧ୍ୟକ୍ଷ ଏଥର ପ୍ରତ୍ୟକ୍ଷ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ କିଛି ବର୍ଷ ହେଲା କ୍ୟାମ୍ପସ ହିଂସା ବଢ଼ିବା, ରାଜ‌ନୈତିକ ହସ୍ତ‌କ୍ଷେପ ଯୋଗୁଁ ଅଧିକାଂଶ କଲେଜ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହୁଥିଲେ। ଆଉ କିଛି କଲେଜ ଗଣ୍ଡଗୋଳ ଆଳରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ବାତିଲ୍‌ କରିଦେଉଥିଲେ।

୨୦୧୫ରେ ୨୩ଟି କ୍ୟାମ୍ପସରେ ନିର୍ବାଚନ ବାତିଲ୍‌ ହୋଇଥିଲା। ୨୦୧୬ରେ ୨୭ଟି ଓ ୨୦୧୭ରେ ୩୭ଟି କଲେଜରେ ନିର୍ବାଚନ ବନ୍ଦ ହୋଇଥିଲା। ଗତବର୍ଷ ନିର୍ବାଚନ ବାତିଲ୍‌ ହେବା ପୂର୍ବରୁ ୨୯ଟି କଲେଜ‌ରେ ନିର୍ବାଚନ ବନ୍ଦ ହୋଇସାରିଥିଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ବର୍ଷ ହେଲା ନିର୍ବାଚନ ହୋଇପାରୁ ନଥିଲା। ଗଣ୍ଡଗୋଳ ଯୋଗୁଁ ଆଉ କିଛି ବିଶ୍ବବିଦ୍ୟାଳୟ ପରୋକ୍ଷରେ ଛାତ୍ର ପ୍ରତିନିଧି ବାଛୁଥିଲେ। ୨୦୧୭ରେ ୬ଟି ବିଶ୍ବବିଦ୍ୟାଳୟରେ ନିର୍ବାଚନ ହୋଇଥିବା ବେଳେ ଗତବର୍ଷ କିଛି ବିଶ୍ବବିଦ୍ୟାଳୟରେ ନିର୍ବାଚନ ବନ୍ଦ ହୋଇଥିଲା। ସବୁ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଥର କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଛି। ପ୍ରତ୍ୟକ୍ଷ ପରିବର୍ତେ ଆବଶ୍ୟକତା ଅନୁଯାୟୀ ପରୋକ୍ଷରେ ଛାତ୍ର ପ୍ରତିନିଧି ବାଛିବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଚିଠିରେ ଉଲ୍ଲେଖ କରିଥିଲେ। ଇତିମଧ୍ୟରେ ୭ଦିନ ବିତିଗଲାଣି, ତଥାପି ବିକଳ୍ପ ବ୍ୟବସ୍ଥା ନେଇ ଉଚ୍ଚଶିକ୍ଷା ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନାହିଁ। ଫଳରେ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କ୍ୟାମ୍ପସରେ ଛାତ୍ର ପ୍ରତିନିଧି ରହିବେ କି ନାହିଁ ସ୍ଥିର କରିପାରୁ ନାହାନ୍ତି। ଛାତ୍ରନେତା ମଧ୍ୟ କର୍ତୃପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିବା ଆରମ୍ଭ କଲେଣି। ତୁରନ୍ତ ମନୋନୟନ ପ୍ରକ୍ରିୟାରେ ପ୍ରତିନିଧି ବାଛିବାକୁ ସେମାନେ ଦାବି ଜଣାଉଥିବା କେତେକ କଲେଜ ଅଧ୍ୟକ୍ଷ କହିଛନ୍ତି। ଏ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ସଚିବ ଶାଶ୍ବତ ମିଶ୍ର ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର