ଜଗମୋହନଙ୍କ ହାତରେ ବାପାଙ୍କ ୭୫ ବର୍ଷର ସିଲଟ

ରାଉରକେଲା: ଆଧୁନିକ ଯୁଗରେ ଲୋକେ ଟଙ୍କା ପଇସାର ହିସାବ ପାଇଁ କମ୍ପ୍ୟୁଟର୍, କାଲକୁଲେଟ୍‌ର ଓ ମୋବାଇଲ୍ ଆଦି ବ୍ୟବହାର କରୁଛନ୍ତି। ୬୦ ଦଶକରେ ଏସବୁ ଜିନିଷର ବିଶେଷ ବ୍ୟବହାର ନଥିଲା। ହିସାବ ପତ୍ର କରିବା ପାଇଁ ସିଲଟ ଖଡ଼ି ହିଁ ଏକ ମାତ୍ର ମାଧ୍ୟମଥିଲା ସେତେବେଳେ। ସମୟ ବଦଳିବା ସହ ବଜାରରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଜିନିଷ ସବୁ ବିକ୍ରି ହେଲାଣି। ନିଜ ଲେଖାକୁ ବର୍ଷ ବର୍ଷ ଧରି ସାଇତ ରଖିବା ପାଇଁ ନୂଆ ନୂଆ ସଫ୍ଟଓ୍ବେର ମଧ୍ୟ ବଜାରକୁ ଆସିଲାଣି। ଦିନକୁ ଦିନ ଏସବୁ ଜିନିଷର ଚାହିଦା ମଧ୍ୟ ବଢ଼ୁଛି। ବଜାରରେ ଏବେ ଡିଜିଟାଲ ସିଲଟ ସହ ଏକ ପ୍ଲାଷ୍ଟକ୍ କାଠି ମିଳୁଛି। ସେତେବେଳର ମାଟି ସିଲଟ ଓ ଖଡ଼ି ଏବେକାର ପିଢି ପାଇଁ ଅବାସ୍ତବ କଳ୍ପନା। ରାଉରକେଲାର ଜଣେ ବୟସ୍କ ବ୍ୟକ୍ତି ବାପା ବ୍ୟବହାର କରୁଥିବା ୭୫ ବର୍ଷର ସିଲଟକୁ ଆଜି ପର୍ଯ୍ୟନ୍ତ ସାଇତି ରଖିଛନ୍ତି। ସେ କେବଳ ସାଇତି ରଖିନାହାନ୍ତି ନିଜ କାମରେ ନିତିଦିନ ସେହି ସିଲଟକୁ ବ୍ୟବହାର ମଧ୍ୟ କରୁଛନ୍ତି। ସେ ହେଉଛନ୍ତି ବିଶ୍ରା ଡାହାର ଅଞ୍ଚଳର ଜଗମୋହନ ଶର୍ମା। ତାଙ୍କ ବୟସ ୬୭ ବର୍ଷ। ସେ ପେସାରେ ଜଣେ ବ୍ୟବସାୟୀ।

ଜଗମୋହନଙ୍କ ମୂଳ ଘର ରାଜସ୍ଥାନର ଝୁନ୍‌ଝୁନ୍‌ଓ୍ବାଲା ଜିଲ୍ଲାରେ। ତାଙ୍କ ବାପା ନବରଙ୍ଗଲାଲ ଶର୍ମା ଅର୍ଦ୍ଧସାମରିକ ବାହିନୀରେ ଚାକିରି କରୁଥିବା ସମୟରେ ତାଙ୍କର ରାଉରକେଲା ସହରକୁ ବଦଳି ହୋଇଥିଲା। ଚାକିରି କରୁଥିବା ବେଳେ ୧୯୫୩ ମସିହାରେ ସେ ଡେଲୀ ମାର୍କେଟ୍‌ରେ ନବରଙ୍ଗ ହୋଟେଲ୍ ନାଁରେ ଏକ ଭୋଜନାଳୟ ଆରମ୍ଭ କରିଥିଲେ। ସେତେବେଳେ କମ୍ପ୍ୟୁଟର, କାଲକୁଲେଟ୍‌ର ଓ ମୋବାଇଲ୍ ଆଦିର ବିଶେଷ ପ୍ରଚଳନ ନଥିଲା। ଯାହା ବି ଥିଲା, ତା’ର ମୂଲ୍ୟ ଅଧିକ ଥିଲା। ହାତ ଗଣତି ଲୋକେ ଏହାକୁ ବ୍ୟବହାର କରୁଥିଲେ। ରାଉରକେଲାର ଅଧିକାଂଶ ବ୍ୟବସାୟୀ ସିଲଟ ଖଡ଼ି ସାହାଯ୍ୟରେ ହିସାବ କରୁଥିଲେ। ଦୋକାନ ଆରମ୍ଭ ହେବା ବେଳେ ଜଗମୋହନଙ୍କ ବାପା ମଧ୍ୟ ହିସାବ ପତ୍ର କରିବା ପାଇଁ ଏକ ସିଲଟ କିଣିଥିଲେ।

ପରବର୍ତ୍ତୀ ସମୟରେ ଜଗମୋହନଙ୍କ ଡେଲୀ ମାର୍କେଟରେ ଏହି ହୋଟେଲର ଦାୟିତ୍ବ ସମ୍ଭାଳିଥିଲେ। ଦୋକାନରେ କାଲକୁଲେଟର ଥିଲେ ମଧ୍ୟ ହିସାବପତ୍ର କରିବାରେ ସେ ଆଜି ମଧ୍ୟ ବାପା ଛାଡ଼ିଯାଇଥିବା ସିଲଟକୁ ବ୍ୟବହାର କରନ୍ତି। କରୋନା ମହାମାରୀ ବେଳେ ସିଭିଲ୍ ଟାଉନ୍‌ସିପ୍‌ରେ ସେହି ହୋଟେଲର ଆଉ ଏକ ଶାଖା ନିୟୁ ନବରଙ୍ଗ ନାମରେ ଆରମ୍ଭ କରିଛନ୍ତି। ଏବେ ସେ ନୂଆ ଦୋକାନରେ ବସୁଛନ୍ତି, କିନ୍ତୁ ସିଲଟକୁ ପାଖରେ ରଖିଛନ୍ତି। ସେଥିରେ ସେ ପ୍ରତିଦିନ ଦୋକାନର ଛୋଟ ଛୋଟ ହିସାବ କରନ୍ତି। ଦୋକାନର କର୍ମଚାରୀମାନେ ପାଖ ଦୋକାନରୁ ଯିଏ ଯାହା ଆଣିଥାନ୍ତି ସିଲଟରେ ସେସବୁ ଲେଖନ୍ତି। ରାତିରେ ହିସାବ କରି ପାଖ ଦୋକାନୀଙ୍କୁ ଟଙ୍କା ଦେଇ ଦେବାପରେ ସିଲଟରୁ ଲେଖାଗୁଡ଼ିକ ଲିଭେଇ ଦେଇଥାନ୍ତି ସେ। ଯେଉଁ ଗ୍ରାହକ ଅନ୍‌ଲାଇନ୍‌ରେ ଟଙ୍କା ଦିଅନ୍ତି ସେସବୁ ପ୍ରତିଦିନ ସିଲଟରେ ଗୋଟିଗୋଟି ଲେଖନ୍ତି। ସବୁଦିନ ରାତିରେ ସେଗୁଡ଼ିକୁ ହିସାବ କରି ଲିଭେଇ ଦିଅନ୍ତି।

ଏନେଇ ଜଗମୋହନ କହିଲେ, ‘‘ବାପା ଡେଲୀ ମାର୍କଟ୍‌ରେ ଯେତେବେଳେ ଦୋକାନ କରିଥିଲେ ସିଙ୍ଗଡ଼ା, ବରା ୫ରୁ ୬ ପଇସା ଥିଲା। ସେବେଠାରୁ ମୁଁ ଦୋକାନରେ ବସୁଛି। ସେତେବେଳେ ଏଇ ସିଲଟର ମୂଲ୍ୟ ୫୦ ପଇସା କିମ୍ବା ୧ ଟଙ୍କା ଥିଲା। ପିଲା ବେଳୁ ସିଲଟରେ ହିସାବ କରୁଛି। କଲକୁଲେଟର ପାଖରେ ରଖିଥିଲେ ମଧ୍ୟ ସେଥିରେ ହିସାବ କରିବା ପାଇଁ ମୋତେ ଭଲ ଲାଗେନି। ଦୋକାନକୁ ଲୋକେ ପରିବାର ଧରି ଖାଇବା ପାଇଁ ଆସୁଛନ୍ତି। ଯିଏ ଯାହା ଖାଉଛନ୍ତି ସେଥିରେ ଲେଖିଦେଉଛି। ଟଙ୍କା ଦେଲା ପରେ ସେଗୁଡ଼ିକ ଲିଭେଇ ଦଉଛି। ଯଦି ଏସବୁ ଜିନିଷ କାଗଜରେ ଲେଖିଥାନ୍ତି ଦିନକୁ ୫ରୁ ୬ ପୃଷ୍ଠା ନଷ୍ଟ ହୋଇଥାନ୍ତା। ମୁଖ୍ୟ କଥା ହେଉଛି ସେଥିରେ ଲେଖିଲେ ଆତ୍ମସନ୍ତୋଷ ମିଳୁଛି।’’

ସମ୍ବନ୍ଧିତ ଖବର