ଶେରଗଡ଼: ‘ଦେଶରେ ସାମନ୍ତବାଦ ଓ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଯେତେବେଳେ ଉତ୍ତାଳ ଅବସ୍ଥାରେ ଥିଲା ସେତେବେଳେ ଗଞ୍ଜାମରେ ରୟତ ଆନ୍ଦୋଳନର ଅଗ୍ନିଝଲକ ସମଗ୍ର ଦେଶରେ ବିସ୍ତାରିତ ହୋଇଥିଲା। କିନ୍ତୁ ସଂପ୍ରତି ଅନେକ ପରିବର୍ତ୍ତନ ଆସିଯାଇଛି। ବ୍ରିଟିସ୍ ଓ ରାଜା, ଜମିଦାର, ସାମନ୍ତ ଏବଂ ମୁସ୍ତାଦାରମାନଙ୍କ ଶାସନର ଅବସାନ ଘଟିଛି। ଦେଶରେ ଗଣତନ୍ତ୍ର ମଧ୍ୟ ପ୍ରତିଷ୍ଠା ହୋଇଛି। ହେଲେ କ୍ଷମତାକୁ ଆସିଥିବା ଶାସକ ମାନେ ଚାଷୀଙ୍କ ସମସ୍ୟାର ସମାଧାନ କରିନାହାନ୍ତି। ଆଜି ବି ଚାଷୀଙ୍କ ସ˚ଗ୍ରାମ ଜାରି ରହିଛି। ହେଲେ ଦେଶରେ ନୂଆ ରୂପରେ ଜମିଦାର ପ୍ରଥା ଲାଗୁ ହୋଇଛି। କର୍ପୋରେଟ୍ ପୁଞ୍ଜିବାଦକୁ ପ୍ରୋତ୍ସାହନ ଦିଆଯାଉିବା ବେ‌ଳେ ଦେଶରେ ସାମାଜିକ ବୈଷମ୍ୟ ଚରମସୀମାରେ ପହଞ୍ଚିଛି। କୃଷି, ଶିକ୍ଷା ଓ ‌ବେକାରୀ ସମସ୍ୟା ଦେଶକୁ ସଂକଟ ଆଡ଼କୁ ନେଉଛି। ଏଣୁ କର୍ପୋରେଟ୍ ପୁଞ୍ଜିବାଦକୁ ପ୍ରତିହତ କରିବା ଲାଗି ସମସ୍ତେ ସଂକଳ୍ପବଦ୍ଧ ହେବା ଆବଶ୍ୟକ’। ତାକରଡ଼ା ଗୁଳିକାଣ୍ଡର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଏହି ମତପ୍ରକାଶ ପାଇଛି।

Advertisment

ସହିଦ ଦିବସ ସ୍ମୁତିରକ୍ଷା କମିଟି ପକ୍ଷରୁ ଶେରଗଡ଼ ବ୍ଲକ୍ ତାକରଡ଼ା ଗୋବିନ୍ଦ ରଙ୍ଗମଞ୍ଚ ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କମିଟି ସମ୍ପାଦକ ସମୀର ପ୍ରଧାନଙ୍କ ସଂଯୋଜନାରେ ସହିଦବେଦିରେ କୃଷକ ନେତା ଗୋବିନ୍ଦ ପ୍ରଧାନ ଓ ହାଇସ୍କୁଲରେ ଗୌରଚନ୍ଦ୍ର ପ୍ରଧାନଙ୍କ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ବାମପନ୍ଥୀ ନେତା ଶୋଭାଚନ୍ଦ୍ର ଷଡ଼ଙ୍ଗୀଙ୍କ ସଭାପତିତ୍ବ ଓ ‘ସମଦୃଷ୍ଟି’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ‘ନୂଆଦୁନିଆ’ ସମ୍ପାଦକ ରମେଶଚନ୍ଦ୍ର ପାଢ଼ୀ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଐତିହାସିକ ଡ.ଅନନ୍ତରାମ କର କୌଣ୍ଡିନ୍ୟ, ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅବନୀ ଗୟା, ଶ୍ରମିକ ନେତା ଅଳକନାଥ ମିଶ୍ର ଅଖିଳ ଭାରତ ଯୁବସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ, ଜିଲ୍ଲା ସମ୍ପାଦକ କାମଦେବ ନାହାକ, ଗୋପାଳକୃଷ୍ଣ ପାଣିଗ୍ରାହୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ଓ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ପ୍ରଧାନ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ। ଭୂସଂସ୍କାର ଆଇନ ପ୍ରଣୟନରେ ଚାଷୀଙ୍କ ମିଳିତ ସଂଗ୍ରାମ ଓ ତାକରଡ଼ା ଗୁଳିକାଣ୍ଡର ଭୂମିକା ସମେତ ସାମ୍ପ୍ରତିକ କୃଷକଙ୍କ ସମସ୍ୟା ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ। ସହିଦ ହେମ ବାଡ଼ତ୍ୟା, କନ୍ଧୁଣୀ ଡାକୁଆ, ସୁବେଇନି ବେହେରା, ରାହାସ ଦାସ, ଅର୍ଜୁନ ବରାଡ଼ ଓ ବାଉରି ବରାଡ଼ଙ୍କ ପରିବାର ସଦସ୍ୟ ଏବଂ ସ୍ଵାଧୀନତା ସଂଗ୍ରାମୀ ଗୋବିନ୍ଦ ପ୍ରଧାନ, ମାଧବ ମହାରଣା, ବତ୍ସ ପାତ୍ର ଓ ହରି ପାତ୍ରଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସିପିଆଇ ଜୋନ୍ ସମ୍ପାଦକ ହରପ୍ରସାଦ ଆଚାରୀ, ସିପିଆଇ ନେତା ଅନନ୍ତ ମହାଙ୍କୁଡ଼, ବୃନ୍ଦାବନ ପଣ୍ଡା, ସୁଶାନ୍ତ ସ୍ବାଇଁ ବିଦେଶୀ ନାହାକ, ବିନାୟକ ଦାଶ, ଭଗବାନ ରାଉତ, ପଞ୍ଚାନନ ସ୍ବାଇଁ, ରାମକୃଷ୍ଣ ପ୍ରଧାନ, ଭୀମସେନ ସ୍ବାଇଁ, ବିପିନ ବିହାରୀ ପ୍ରଧାନ, ଅଧ୍ୟାପକ ହୃଷୀକେଶ ପାତ୍ର, ପଞ୍ଚାନନ ସ୍ୱାଇଁ, ହରିହର ପାତ୍ର, ଗୋପାଳ ଭୂୟାଁ, ଦୈତାରି ରେଡ୍ଡୀ, ମୂଷା ବେହେରା ପାଣ ସେଠୀ, ମେଘନାଦ ଦାସ ଓ ଅଶୋକ କୁମାର ଜେନାଙ୍କ ସମେତ ଜିଲ୍ଲାର ବିଭିନ୍ନ ଭାଗରୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।