କଥାକାର କହ୍ନେଇଲାଲ ଦାସଙ୍କ ୭୫ତମ ଜୟନ୍ତୀ ସମାରୋହ: ‘ଫୋନିକ୍ସ ପକ୍ଷୀ ପରି କାଳଜୟୀ କନ୍‌ହେଇ’

ବାଲେଶ୍ବର: କନ୍‌ହେଇଲାଲ ଦାସ ଜଣେ ଅମ୍ଳାନ ପ୍ରତିଭା। ତାଙ୍କର କାଳଜୟୀ ଗଳ୍ପ ସମସ୍ତଙ୍କୁ ଗୋଟିଏ ସ୍ଥାନକୁ ଆଜି ଟାଣିଆଣିଛି। ଯେତେ ସମସ୍ୟା ଥିଲେ ବି କନ୍‌ହେଇ ଡୁବି କି ଦବି ଯାଇନଥିଲେ। ବରଂ ମାତ୍ର ସାଢ଼େ ୭ ବର୍ଷ ଭିତରେ ସେ ଯେଉଁ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ତାହା ଅକଳ୍ପନୀୟ। ‘ବାଲେଶ୍ବର ମାଟିରେ କନ୍‌ହେଇର ପ୍ରେମ ଅଛି, ତାହା କେବେ ମରିବ ନାହିଁ। କନ୍‌ହେଇ ସହିତ ଜଣେ କଥା ହେଲେ ସେ କନ୍‌ହେଇକୁ ଶ୍ରଦ୍ଧା କରିବ ନ ହେଲେ ପ୍ରେମ କରିବ ବୋଲି ସେ କହୁଥିଲେ।’ କହ୍ନେଇ ପ୍ରେମକୁ ପାଳିଛି, ପୋଷିଛି, ନଷ୍ଟ କରିଛି ପୁଣି ତାକୁ ଏକଜୁଟ୍‌ କରି ଛାଡ଼ିଦେଇଛି। ତାଙ୍କର ପ୍ରେମଗଳ୍ପ ବାସ୍ତବରେ କାଳଜୟୀ। ସାହିତ୍ୟ ଖଟିରେ କନ୍‌ହେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ବୋଲି ବାଲେଶ୍ବର ଆତିଥ୍ୟ ସଭାଗୃହରେ କନ୍‌ହେଇଲାଲ ଦାସ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମିର ମିଳିତ ସହଯୋଗରେ ଅନୁଷ୍ଠିତ ୭୫ତମ କନ୍‌ହେଇ ସ୍ମୃତି ସମାରୋହରେ ଅତିଥିମାନେ ମତ ରଖିଥିଲେ। ସ୍ମୃତି ସଂସଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କଥାଶିଳ୍ପୀ ଶ୍ୟାମାପ୍ରସାଦ ଚୌଧୁରୀ ଯୋଗଦେଇ କହ୍ନେଇ ଜଣେ ଈର୍ଷଣୀୟ ପ୍ରତିଭା ଥିଲେ। କିଛି ଶବ୍ଦକୁ ଅସହାୟ ମନେ କରିବା ଏବଂ ତାଙ୍କୁ ନେଇ ଲେଖିବା ଏହା କହ୍ନେଇଲାଲଙ୍କଠାରେ ମୁଁ ଲକ୍ଷ୍ୟ କରିଥିଲି  ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ କଥାକାର ଭୀମ ପୃଷ୍ଟି ଯୋଗ ଦେଇ କହ୍ନେଇଲାଲଙ୍କ ଜୀବନବ୍ୟାପୀ ସାହିତ୍ୟ ଆଲୋଚନା କରିବାକୁ ଯାଇ କହିଥିଲେ, ଦାରିଦ୍ର୍ୟ ମଣିଷକୁ ମୂକ କରିଦିଏ ନ ହେଲେ ପ୍ରେମରେ ପକାଏ।

ମୁଁ ଏଠାରେ କନ୍‌ହେଇଙ୍କ ଅସ୍ତିତ୍ବ ଓ ପ୍ରେମକୁ ଅନୁଭବ କରିପାରୁଛି। ବାଲେଶ୍ବର ହେଉଛି ପୁରାଣର ଭୂମି। ଏହି ପୁରାଣ ଭୁମିରୁ ଆସି ରାଜଧାନୀରେ ଡେରା ପକାଇଥିଲେ କନ୍‌ହେଇ। ଓଡ଼ିଆ ଗଳ୍ପର ସେ ଅମୃତ ସନ୍ତାନ। ସ୍ବଳ୍ପ ଜୀବନକାଳରେ ଯେଉଁ କାଳଜୟୀ ଗଳ୍ପ ସୃଷ୍ଟି କରିଛନ୍ତି, ଫୋନିକ୍ସ ପକ୍ଷୀ ପରି କହ୍ନେଇ ବାରମ୍ବାର ପୁନର୍ଜୀବିତ ହେଉଥିବେ। ଏହି ଅବସରରେ ଶ୍ରୀ ପୃଷ୍ଟି କନ୍‌ହେଇଙ୍କୁ ନେଇ ୪ଟି ଦାବି ଉପସ୍ଥାପନ କରିଥିଲେ। ‌କନ୍‌ହେଇଙ୍କ ଅନନ୍ୟ କୃତିକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଉ, ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ତାଙ୍କ କୃତି ସାମିଲ କରାଯାଉ, ବାଲେଶ୍ବରରେ କନ୍‌ହେଇ ଯାତାୟାତ କରୁଥିବା ରାସ୍ତାକୁ ତାଙ୍କ ନାମରେ ନାମିତ କରାଯାଉ ଏବଂ ବାଲେଶ୍ବରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ଦାବି ରଖିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାଜନକ ‘କନ୍‌ହେଇ କଥା ପୁରସ୍କାର’ କେନ୍ଦ୍ରାପଡ଼ାର ଯୁବ ଗାଳ୍ପିକ ବିରଜା ରାଉତରାୟଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ଗ୍ରହଣ ପରେ ଶ୍ରୀ ରାଉତରାୟ କହିଥିଲେ, ଯେଉଁମାନେ ସମାଜର ମୁଖ୍ୟସ୍ରୋତରୁ ଦୂରରେ ରହିଛନ୍ତି, ସାହିତ୍ୟ ପୃଷ୍ଠାରେ କ୍ବଚିତ ସ୍ଥାନ ପାଇଛନ୍ତି ସେମାନଙ୍କୁ ଆଗକୁ ବଢ଼ିବାରେ ପ୍ରୋତ୍ସାହିତ କରାଯିବା ଉଚିତ।

କବି ତଥା ସ୍ମୃତି ସଂସଦ ଆବାହକ ଶ୍ରୀଦେବ ମଞ୍ଚ ଆହ୍ବାନ କରିଥିଲେ। ଅନ୍ୟତମ ଆବାହକ ଗୌତମବୁଦ୍ଧ ଦାସ କନ୍‌ହେଇଙ୍କ କାଳଜୟୀ କବିତା ପାଠ କରିବା ସହିତ ଓଡ଼ିଆ ସାହିତ୍ୟରେ କନ୍‌ହେଇ ଜଣେ ବିସ୍ମୟ ବୋଲି କହିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି ମାନପତ୍ର ଓ ସମ୍ପାଦକ ଉତ୍ପଳ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କମର୍ଦ୍ଦା କନ୍‌ହେଇଲାଲ ଦାସ ସ୍ମୃତି ସଂସଦ ସଭାପତି ଡ. ବିଜୟ ମିଶ୍ର ଉପସ୍ଥିତ ରହି କନ୍‌ହେଇଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ କିଶୋରୀ କିଙ୍କର ଦାସ କନ୍‌ହେଇଙ୍କ ସୃଷ୍ଟି କବିତାକୁ ପାଠ କରିଥିଲେ। ଯାଦବେଶ ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ସଂସଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ସାରସ୍ବତ ସମାରୋହରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ କନ୍‌ହେଇ ପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର