ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ପରେଡର ଅଭ୍ୟାସ

ଭୁବନେଶ୍ବର: ଆଉ ଦିନକ ପରେ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚଳିଚ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସୀମିତ ଲୋକଙ୍କ ମଧ୍ୟରେ କରୋନା ଗାଇଡଲାଇନ ଅନୁସାରେ ସ୍ୱାଧୀନତା ଦିବସ ପାଳନ ହେବ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥିପାଇଁ ଆଜି ପରେଡ ରିହର୍ସଲ ଚାଲିଛି।
କରୋନା କଟକଣାରେ ପାଳିତ ହେବାକୁ ଥିବା ଏହି ପରେଡ୍ ବେଳେ ସାଧାରଣ ଲୋକଙ୍କୁ ପଡ଼ିଆ ଭିତରକୁ ପଶିବାକୁ ଅନୁମତି ମିଳବ ନାହିଁ। ଏପରିକି ଗଣମାଧ୍ୟମକୁ ବି ବାରଣ କରାଯାଇଛି। ପ୍ରଦର୍ଶନୀ ପଡ଼ିଆକୁ ହାଇ-ଆଲର୍ଟ ଜୋନ୍ ଭାବେ କମିସନରେଟ୍ ପୁଲିସ ଘୋଷଣା କରିଛି। ପଡ଼ିଆ ଚାରି ପାଖ ବିଲ୍ଡିଂ ଓ ସରକାରୀ ପ୍ରତିଷ୍ଠାନ ସବୁକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ପୂର୍ବ ଭଳି ପରେଡ୍ରେ ୪୬ଟି ଦଳକୁ ଭାଗ ନେବାକୁ ଅନୁମତି ମିଳିଛି। ଉତ୍ସବରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ନେଇ ପ୍ରାୟ ୫୦ ଜଣ ଅତିଥି ଉପସ୍ଥିତ ରହିବେ। ଏହି ଅବସରରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର