ସରକାରୀ ନିଷ୍ପତ୍ତି ଅପେକ୍ଷାରେ ୭୬ ଓଏଏସ୍‌ ଆଶାୟୀଙ୍କ ଭାଗ୍ୟ

ଛଅ ମାସ ହେଲା ଅଟକିଛି ଫାଇଲ୍‌

କଟକ : କେବେ ମିଳିବ ଚାକିରି? ବୟସ ମଧ୍ୟ ଦିନକୁ ଦିନ ଗଡି ଚାଲିଛି। ଓଡିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ନିଯୁକ୍ତି ପାଇବା ପାଇଁ କୃତକାର୍ଯ୍ୟ ତାଲିକାରେ ନାଁ ମଧ୍ୟ ପ୍ରକାଶିତ ହେଲା । କିନ୍ତୁ ମିଳୁନି ନିଯୁକ୍ତି। ଘରେ ଭାଗ୍ୟକୁ ଆଦରି ବସିଛନ୍ତି ୭୬ ଯୁବକ/ଯୁବତୀ। ଦୀର୍ଘ ୬ମାସ ହେବ ରାଜ୍ୟ ସରକାରଙ୍କ ପାଖରେ ଅଟକିଛି ଫାଇଲ। କିନ୍ତୁ ସରକାର ନେଉନାହାନ୍ତି ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ଘରେ ହାତବାନ୍ଧି ବସିଛନ୍ତି ୭୬ ଜଣ ଆଶାୟୀ।

ସୂଚନା ଅନୁସାରେ, ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ପାଇଁ ୨୦୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲା ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ଏଥିରେ ୪୯୪ ବିଭିନ୍ନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନେକ ଆଶାୟୀ ଯୁବକ/ଯୁବତୀ ପରୀକ୍ଷା ଦେଇଥିଲେ। ପଛୁଆବର୍ଗ ସଂରକ୍ଷଣ ବିବାଦ ଯୋଗୁଁ ଓପିଏସ୍‌ସି ପକ୍ଷରୁ ୪୧୮ଜଣ ପ୍ରାର୍ଥୀଙ୍କୁ ୨୦୧୬ ଫେବ୍ରୁଆରିରେ ନିଯୁକ୍ତି ମିଳିଥିଲା। କିନ୍ତୁ ବାକି ୭୬ଟି ପଦବିର ପରୀକ୍ଷାଫଳକୁ ପ୍ରକାଶନ ନକରି କତ୍ତୃପକ୍ଷ ସ୍ଥଗିତ ରଖିଲେ। ତେବେ କ’ଣ ପାଇଁ ବିଜ୍ଞପ୍ତି ଅନୁସାରେ ପରୀକ୍ଷାଫଳ ପ୍ରକାଶନ କରାଗଲା ନାହିଁ, ତାକୁ ଚ୍ୟାଲେଞ୍ଜ କରି କେତେକ ଆଶାୟୀ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରି ସ୍ୟାଟ୍‌ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେବା ସହ ଜୁଲାଇ ୧୫ସୁଦ୍ଧା ବାକି ୭୬ ପଦବି ପୂରଣ ପାଇଁ ନାମ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ସ୍ୟାଟ୍‌ର ରାୟକୁ ନେଇ ଓପିଏସ୍‌ସି କର୍ତ୍ତୃପକ୍ଷ ହାଇକୋର୍ଟକୁ ଗଲେ। କିନ୍ତୁ ହାଇକୋର୍ଟ ସ୍ୟାଟ୍‌ର ରାୟକୁ କାଏମ ରଖଥିଲେ। ଫଳରେ ଓପିଏସ୍‌ସି କର୍ତ୍ତୃପକ୍ଷ ବିଜ୍ଞପ୍ତି ଅନୁସାରେ ପରୀକ୍ଷାରେ କୃତକାଯ୍ୟର୍ ହୋଇଥିବା ୪୯୪ଜଣ ପ୍ରାର୍ଥୀଙ୍କ ସଂପୂର୍ଣ୍ଣ ତାଲିକା ପ୍ରକାଶ କଲେ। ତେବେ ତାଲିକା ଅନୁସାରେ ୪୧୮ଜଣ ପ୍ରାୟ ୨ବର୍ଷ ହେବ ନିଯୁକ୍ତି ପାଇସାରିଥିବା ବେଳେ ବାକି ୭୬ ଜଣଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି। ଦୀର୍ଘ ୬ ମାସ ହେବ ଏହି ଫାଇଲ ରାଜ୍ୟ ସରକାରଙ୍କ ପାଖରେ ପଡିରହିଥିଲେ ସୁଦ୍ଧା ସରକାର ଏ ସଂପର୍କରେ କୌଣସି ନିଷ୍ପତ୍ତି ନେଉ ନଥିବାରୁ କୃତକାର୍ଯ୍ୟ ତାଲିକାରେ ନାଁ ଥାଇ ସୁଦ୍ଧା ଘରେ ହାତ ବାନ୍ଧି ବସିଛନ୍ତି ୭୬ ଆଶାୟୀ। ତୁରନ୍ତ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ ନକଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ନିଯୁକ୍ତି ଆଶାୟୀ ବୋଲି ଚେତାବନୀ ଦେଇଛନ୍ତି। ତେବେ ଅନେକ ଆଶାୟୀଙ୍କର ବୟସସୀମା ଅତିକ୍ରାନ୍ତ କରିଥିବାରୁ ସେମାନେ ଏବେ ଯୋଗ୍ୟତା ଅନୁସାରେ କୌଣସି ପଦବିରେ ଆବେଦନ ମଧ୍ୟ କରିପାରୁ ନଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର