ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି: ୮ ଦିନରେ ୭୬% କମ୍‌ ବର୍ଷା

ଭୁବନେଶ୍ବର : ଅଗଷ୍ଟ ଆରମ୍ଭରୁ ରାଜ୍ୟରେ ମୌସୁମୀ ବର୍ଷାର ଦୁର୍ବଳ ସ୍ଥିତି ପାଣିପାଗ ବିଜ୍ଞାନୀ ଓ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହେଲାଣି। ଜୁନ୍‌ ଓ ଜୁଲାଇର ଅଭାବୀ ବର୍ଷା ପରେ ଅଗଷ୍ଟର ଏହି ୮ ଦିନରେ ପ୍ରାୟ ୭୬% ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି। ରାଜ୍ୟର ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଥିବା ବେଳେ ୪ ଜିଲ୍ଲାରେ ଉତ୍କଟ ସ୍ଥିତି ଉପୁଜିଛି। ଭଦ୍ରକ, ଯାଜପୁର, ଗଜପତି ଓ ବଲାଙ୍ଗୀରରେ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୪ ତାରିଖ ଆଡ଼କୁ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। କିନ୍ତୁ ଏହାଦ୍ବାରା ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ।

ସୂଚନା ମୁତାବକ, ଅଗଷ୍ଟ ୧ରୁ ୮ତାରିଖ ମଧ୍ୟରେ ରାଜ୍ୟରେ ୨୫ ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ୮ ଦିନରେ ୧୦୫.୪ ମିମି ବର୍ଷା ହୋଇଥାଏ। ଅର୍ଥାତ ଏହି ୮ ଦିନରେ ରାଜ୍ୟରେ ୭୬% ନିଅଣ୍ଟିଆ ବର୍ଷା ହୋଇଛି। ଫଳରେ ରାଜ୍ୟରେ ଜୁନ୍‌ରୁ ଅଗଷ୍ଟ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ୧ ଜୁନ୍‌ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୪୮୧.୩ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୬୬୭.୭ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ଏବେ ୨୮% ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି। ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ସ୍ବାଭାବିକଠାରୁ ଉତ୍ତରାଭିମୁଖୀ ହୋଇଥିବାରୁ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବି ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ।

ଡ. ପଶୁପାଳକ କହିଛନ୍ତି, ଅଗଷ୍ଟ ୧୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃ‌ଷ୍ଟି ହେବ। କିନ୍ତୁ ଏହାର ରୂପରେଖ ନେଇ ମଡେଲମାନଙ୍କ ଭିତରେ ସହମତି ନାହିଁ। କିଛି ମଡେଲ ଅନୁସାରେ, ଏହା ୧୬ ତାରିଖ ବେଳକୁ ଅସଂଗଠିତ ହେବ ଓ ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ଥିତ ରହିବ। ଅନ୍ୟ ମଡେଲ ଅନୁସାରେ, ଏହା ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବିଶାଖାପାଟଣା ନିକଟ ଉପକୂଳ ଦେଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡ଼କୁ ଯିବ।

ପ୍ରାଥମିକ ଆକଳନରୁ ଜଣାପଡ଼ୁଛି କି, ଏହା ମଧ୍ୟ ବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳି ରହିବ। ଏଣୁ ଆନ୍ଧ୍ର ଉପକୂଳ ସ୍ପର୍ଶ କଲେ ଓଡ଼ିଶାରେ କମ ବର୍ଷା ହେବ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ହେବ। ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷକରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ ଓ ଉତ୍ତର ଓଡ଼ିଶାରେ ସ୍ବଳ୍ପ ବର୍ଷା ହେବ। ଏହାର ଦ୍ବିତୀୟ ଦୃଶ୍ୟପଟ ଅନୁଯାୟୀ ଯଦି ଏହା ଦକ୍ଷିଣ ଓଡ଼ିଶାରେ ସ୍ପର୍ଶ କରିବ, ତେବେ ବିଶେଷ ଘନୀଭୂତ ହେବାର ସମ୍ଭାବନା କମ। ତଥାପି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଏହାଦ୍ବାରା ଅନେକ ସ୍ଥାନରେ ଧାନ ରୁଆ ବେଉଷା ଆଗେଇବ। କିନ୍ତୁ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା କମ୍‌।

ଲଘୁଚାପ ବର୍ଷା ପୂର୍ବରୁ ରାଜ୍ୟକୁ ପଶ୍ଚିମା ବାୟୁ ସହିତ ଗରମ ରହୁଥିବାରୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ଚାଲୁ ରହିବ। ବିଶେଷକରି ୧୩ରୁ ୧୫ ତାରିଖ ମଧ୍ୟରେ ଆର୍ଦ୍ର ସାମୁଦ୍ରିକ ପବନ ବହିବା ହେତୁ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଧିକ। ଆସନ୍ତା ୨ଦିନ ଭିତରେ ସାମ୍ଭାବ୍ୟ ଲଘୁଚାପ ରୂପରେଖ ବିଶେଷ ଅଧିକ ସଠିକ କହି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର