ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କ ପାଇଁ ୭୬ ସିଟ୍‌ ସଂରକ୍ଷଣ

ଜେଇଇ ଆଡ୍‌ଭାନ୍ସଡ୍‌ ପିଲାଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ‘ବିଜ୍ଞାନ ଜ୍ୟୋତି’ରେ ସାମିଲ ହେଲେ ୩୫ ଛାତ୍ରୀ

ଭୁବନେଶ୍ୱର : ଜେଇଇ ଆଡଭାନ୍ସଡ୍‌ ର‍୍ୟାଙ୍କଧାରୀଙ୍କୁ ନାମଲେଖା ସମ୍ପର୍କିତ ଜ୍ଞାନ ଦେବ ଭୁବନେଶ୍ୱର ଆଇଆଇଟି। ଏଥିପାଇଁ ଆସନ୍ତା ୧୭ ତାରିଖରେ ଦିନିକିଆ ଓପନ୍‌ ହାଉସ୍‌ ଡେ’ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏଥିରେ ୨୦୧୮ରେ ଜେଇଇ ଆଡ୍‌ଭାନ୍ସଡ୍‌ ର‍୍ୟାଙ୍କଧାରୀ ଓ ୨୦୧୯ରେ ଜେଇଇ ପରୀକ୍ଷା ପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀ ମଧ୍ୟ ଭାଗନେଇପାରିବେ। ପ୍ରଥମ ଥର ପାଇଁ ଭୁବନେଶ୍ୱର ଆଇଆଇଟି ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ କରାଯିବା ସହ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଓଡ଼ିଶାର ଛାତ୍ରୀଙ୍କ ଆଗ୍ରହ ବଢ଼ାଇବା ଲାଗି ‘ବିଜ୍ଞାନ ଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ୩୫ ଜଣ ଛାତ୍ରୀ ଭାଗନେଇଛନ୍ତି। ୨୦୧୮-୧୯ ଶିକ୍ଷାବର୍ଷର୍ରେ ଭୁବନେଶ୍ୱର ଆଇଆଇଟିରେ ୭୬ଟି ସିଟ୍‌ କେବଳ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ଦେଶରେ ଥିବା ଆଇଆଇଟିଗୁଡ଼ିକ ପ୍ରତି ଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଭିନ୍ନ ଆଇଆଇଟିରେ ୭୭୯ ସିଟ୍‌ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି। ଖଡ଼ଗପୁର ଆଇଆଇଟିରେ ୧୧୩ ସିଟ୍‌ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଧାନବାଦରେ ୯୫, କାନପୁରରେ ୭୯, ଭୁବନେଶ୍ୱରରେ ୭୬, ରୁର୍‌କିରେ ୬୮, ଦିଲ୍ଲୀରେ ୫୯, ବମ୍ବେରେ ୫୮ ଓ ଗୋହ୍ଵାଟି ଆଇଆଇଟିରେ ୫୭ ସିଟ୍‌ ସଂରକ୍ଷିତ ରହିଛି। ଚଳିତବର୍ଷ ଭୁବନେଶ୍ୱର ଆଇଆଇଟିରେ ୩୬୦ ସିଟ୍‌ରେ ନାମଲେଖା ହେବ। ତେଣୁ ବିଗତବର୍ଷ ତୁଳନାରେ ଏଥର ଯେମିତି ଅଧିକ ଛାତ୍ରୀ ନାମଲେଖାଇବେ ତାହାକୁ ଦୃଷ୍ଟିରେ ରଖି ୧୭ ତାରିଖରେ ଓପନ୍‌ ହାଉସ୍‌ ଡେ’ କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ଛାତ୍ରୀଙ୍କୁ ଅଧିକ ସୁଯୋଗ ଦିଆଯାଇଛି।

୧୭ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ଆଇଆଇଟିରେ ଥିବା ବିଭାଗ ବିଷୟରେ କୁହାଯିବ। ଏଥିସହ ଛାତ୍ରଛାତ୍ରୀ-ଅଧ୍ୟାପକ ଆଲୋଚନା, କ୍ଲାସ୍‌ରୁମ୍‌ ସୁବିଧା, ଆଇଆଇଟିରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯିବ। ଭୁବନେଶ୍ୱର ଆଇଆଇଟିର ନିର୍ଦେଶକ ପ୍ରଫେସର ଆର.ଭି. ରାଜାକୁମାର ଆଇଆଇଟିର ଶିକ୍ଷା ବ୍ୟବସ୍ଥା ସହ ନାମଲେଖା ପ୍ରକ୍ରିୟା ବିଷୟରେ ଅବଗତ କରାଇବେ। ଜେଇଇ ଚେୟାରମ୍ୟାନ୍‌ ଡ. ଚନ୍ଦ୍ରଶେଖର ନାମଲେଖା ଓ କାଉନସେଲିଂ ସମ୍ପର୍କରେ କହିବେ। ଭୁବନେଶ୍ୱର ଆଇଆଇଟିର ଏକାଡେମିକ୍‌ ଡିନ୍‌ ଏଠାରେ ଥିବା ଆଇଆଇଟି ପାଠ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବେ। ଭୁବନେଶ୍ୱର ଆଇଆଇଟିର କାର୍ଯ୍ୟାବଳୀ ଓ ସଫଳତା ପ୍ରଦର୍ଶିତ ହେବ। ଛାତ୍ରଛାତ୍ରୀ ଓ ଅତିଥିଙ୍କ ମଧ୍ୟରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଛାତ୍ରଛାତ୍ରୀଙ୍କୁ ଏଠାକାର ଏକାଡେମିକ୍‌ ଓ ଆବାସିକ ସୁବିଧା ସମ୍ପର୍କରେ ବୁଲାଇ ଦେଖାଯିବ। ଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହେଲ୍‌ପ ଡେକ୍ସ ଖୋଲାଯିବ। ଛାତ୍ରୀଙ୍କ ପାଇଁ ଥିବା ସୁବିଧା ସମ୍ପର୍କରେ ଏଠାରେ କୁହାଯିବ। ଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର କରାଯିବ। ‘www.iitbbs.ac.in/[email protected]’ କିମ୍ବା ମୋବାଇଲ୍‌ ନମ୍ବର-୯୬୬୮୬୨୧୫୬୮’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କରିପାରିବେ ବୋଲି ଭୁବନେଶ୍ୱର ଆଇଆଇଟି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଜୁନ୍‌ ୬ ତାରିଖଠାରୁ ଛାତ୍ରୀଙ୍କ ମଧ୍ୟରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ‘ବିଜ୍ଞାନ ଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏକାଦଶ ଶ୍ରେଣୀର ୩୫ ଜଣ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏ ସ୍କଲାରସିପ୍‌ ବି ଦିଆଯାଉଛି। ତିନି ସପ୍ତାହର ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଜୁନ୍‌ ୨୪ରେ ଶେଷ ହେବ।

ସମ୍ବନ୍ଧିତ ଖବର