ହାଇ କୋର୍ଟରେ ଅଦାଲତ ଅବମାନନା ମାମଲା : ୭୬ ବର୍ଷ ବୟସ୍କ ଡାକ୍ତରଙ୍କୁ ମିଳୁନି ପେନସନ୍

ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାରଙ୍କୁ ୬ ସପ୍ତାହ ମହଲତ

କଟକ : ପେନସନ୍ ଓ ଅବସରକାଳୀନ ପ୍ରାପ୍ୟରୁ ବଂଚିତ ହୋଇଛନ୍ତି ଜଣେ ୭୬ ବର୍ଷ ବୟସ୍କ ଡାକ୍ତର। ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ଓ ଓଡ଼ିଶା ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥାଇ ବି ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏହାକୁ ନେଇ ପୁଣି ହାଇକୋର୍ଟରେ ମାମଲା ପହଞ୍ଚିଥିବା ବେଳେ ୬ ସପ୍ତାହ ଭିତରେ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପ୍ରସଂଗରେ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶ ପାଳନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏବଂ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ହାଇକୋର୍ଟ ଆଉ ଏକ ସୁଯୋଗ ଦେବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନୋବକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ ଉଠିବାର ୬ ସପ୍ତାହ ଭିତରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ, ଯଦି ଏଥିରେ ଅବହେଳା କରାଯାଏ ତେବେ ଅଦାଲତଙ୍କ ନିର୍ଦ୍ଦେଶ ଉଦ୍ଦେଶ୍ୟମୂଳକ ଭାବେ ଉଲ୍ଲଂଘନ କରାଯାଇଛି ବୋଲି ଗ୍ରହଣ କରାଯିବ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଅନୀଲ କୁମାର ବେହେରାଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତର ବେହେରା ୧୯୭୦, ଜାନୁଆରି ୨୧ରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ ବିଭିନ୍ନ ସ୍ଥାନରେ ୧୯୮୭, ମେ ୩୦ ପର୍ଯ୍ୟନ୍ତ ନିୟମିତ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା ଓ ସେ ସ୍ପେଶାଲିଷ୍ଟ ପଦକୁ ପଦୋନ୍ନତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ସେ ଛୁଟି ଦରଖାସ୍ତ ଦେଇଥିବା ବେଳେ ଏହାକୁ ଗ୍ରହଣ କରାଯାଇ ନଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କୁ ବାରମ୍ବାର ମେଡିକାଲ ବୋର୍ଡ ନିକଟରେ ହାଜର ହେବାକୁ କୁହାଯାଇଥିଲା। ଏଭଳି ଭାବେ ତାଙ୍କ ଚାକିରି କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ସରକାର କିନ୍ତୁ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ତାଙ୍କୁ ପ୍ରଦାନ କରି ନଥିଲେ। ଏହି ପ୍ରସଂଗକୁ ନେଇ ଏକାଧିକ ଥର ସ୍ୟାଟ୍‌ରେ ମାମଲା ପହଞ୍ଚିଥିଲା। ଏକାଧିକ ଥର ସ୍ୟାଟଙ୍କ ନିର୍ଦ୍ଦେଶ ପାଳନ ନହେବାରୁ ୨୦୧୮, ଏପ୍ରିଲ ୧୮ରେ ସ୍ୟାଟ୍ ଆବେଦନକାରୀଙ୍କ ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରି ୪ ମାସ ଭିତରେ ପେନସନ୍ ଓ ସମସ୍ତ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ଏକ ମାସ ଭିତରେ କାର୍ଯ୍ୟକାରୀ ପାଇଁ ୨୦୨୦, ଜାନୁଆରି ୨୨ରେ ଆଦେଶ ଦେଇଥିଲେ। କିନ୍ତୁ ତାହା ବି କାର୍ଯ୍ୟକାରୀ ନ ହେବାରୁ ଡାକ୍ତର ବେହେରା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର