ଭୁବନେଶ୍ବର : ରାଜ୍ୟରେ ପ୍ରାୟ ୭୬୮୩ ଘରୋଇ ଡିଲର କଣ୍ଟ୍ରୋଲ୍ ଦୋକାନ ଖୋଲି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, ଗହମ, କିରାସିନି ଆଦି ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସେମାନଙ୍କୁ ହଟାଇ ପଞ୍ଚାୟତ ସମିତି, ପୌର ପରିଷଦ, ସମବାୟ ସମିତି, ସ୍ବୟଂ ସହାୟକ ଗୋଷ୍ଠୀ ଆଦିଙ୍କ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା କରାଯିବା କଥା। ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ସେହି ଘରୋଇ ଡିଲରମାନଙ୍କ ଲାଇସେନ୍ସ ଅବଧି ସରୁଛି। କିନ୍ତୁ ଆଜି ରାଜ୍ୟ ସରକାର ସେମାନଙ୍କ ଲାଇସେନ୍ସ ଅବଧିକୁ ଆଉ ଏକ ବର୍ଷ ପାଇଁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।
ଏହି ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା ପାଇଁ ଓଡ଼ିଶା ସାଧାରଣ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ, ୨୦୧୬ ପ୍ରଣୟନ କରାଯାଇଛି। ଏହି ଆଦେଶ ମୁତାବକ ଏହାର ଧାରା-୪(୬)ରେ ଘରୋଇ ଡିଲରମାନଙ୍କୁ ୩ ବର୍ଷ ପାଇଁ ଲାଇସେନ୍ସ ଦିଆଯାଇଛି। ଯଦି ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନ ଥାଏ, ପ୍ରତ୍ୟେକ ଆର୍ଥିକ ବର୍ଷର ଏପ୍ରିଲ ମାସରୁ ମାର୍ଚ ଶେଷ ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ନବୀକରଣ କରାଯାଏ। ତେବେ ସାଧାରଣ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ, ୨୦୧୬ ଅନୁଯାୟୀ ଆସନ୍ତା ଏପ୍ରିଲ ମାସରୁ ସେମାନଙ୍କ ଅବଧି ସରୁଛି। ଏତେ ସଂଖ୍ୟକ ଘରୋଇ ଡିଲରଙ୍କୁ ଅପସାରଣ କରି ଆଇନ ମୁତାବକ ନୂଆ ଡିଲରଙ୍କୁ ନିୟୋଜିତ କରାଯିବା ସମ୍ଭବପର ନୁହେଁ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଏହି ପରିପ୍ରେକ୍ଷୀରେ ୭୬୮୩ଜଣ ଘରୋଇ ଡିଲରଙ୍କ ଲାଇସେନ୍ସ ଅବଧିକୁ ଆଉ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିପାଇଁ ଓଡ଼ିଶା ସାଧାରଣ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ, ୨୦୧୬ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛି କ୍ୟାବିନେଟ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/ration_shop-621x414.jpg)