ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ

ବିମାନବନ୍ଦରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ବର୍ତମାନ ସୁଦ୍ଧା ଫେରିଲେଣି ୩୨୩ ଛାତ୍ରଛାତ୍ରୀ

ଭୁବନେଶ୍ବର : ଯୁଦ୍ଧପ୍ରବଣ ୟୁକ୍ରେନ୍‌ରୁ ସୋମବାର ଦିନ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଶା ଫେରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନରେ ଅପରାହ୍‌ଣ ସାଢ଼େ ୫ଟାରେ ନୂଆଦିଲ୍ଲୀରୁ ସେମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା କିଭଳି ଜାରି ରହିବ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେଇଥିଲେ। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ।

ୟୁକ୍ରେନ୍‌ରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁଇଟି ବସ୍ ଯୋଗେ ସେମା‌ନଙ୍କୁ ଯୁଦ୍ଧ ଅଞ୍ଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା। ବର୍ତମାନ ସୁଦ୍ଧା ୪୫୩ ଛାତ୍ରଛାତ୍ରୀ/ପରିବାର ରାଜ୍ୟ ସରାକାରଙ୍କୁ ଯୋଗାଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୪୩ଜଣ ଭାରତ ଫେରି ଆସିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।

ୟୁକେନ୍‌ରେ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ନୂଆଦିଲ୍ଲୀ ଓ ଭୁବନେଶ୍ବରରେ ଦୁଇଟି ଲେଖାଏ ସହାୟତା କେନ୍ଦ୍ର ଖୋଲିଛନ୍ତି। ଏସବୁ କେନ୍ଦ୍ର ୨୪ଘଣ୍ଟିଆ କାର୍ଯ୍ୟ କରୁଛି। ତେବେ ୟୁକ୍ରେନ୍‌ରେ ଯୁଦ୍ଧ ତୀବ୍ରତର ହେବାରୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ୟୁକ୍ରେନ୍‌ରୁ ପଳେଇ ଆସିବା ସହିତ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଥିଲେ। ଏସବୁ ଦେଶମାନଙ୍କରେ ରହିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ୪ଜଣ ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ଗୋଟିଏ ଲେଖାଏ ଦେଶର ଦାୟିତ୍ବ ଦିଆଯାଇଛି। ସେହିପରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଦେଶର ମେଡିକାଲ କଲେଜରେ ଏହାର ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର