ଭଦ୍ରକ: ଆଜି ଭଦ୍ରକ ଓ ବ୍ଲକ୍ ବ୍ଲକ୍ରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ମୋଟ ୮୩୮ଟି ବୁଥ୍ରେ ୩ ଲକ୍ଷ ୪ ହଜାର ୪୨୧ ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି। ଯାହା ୭୭ ପ୍ରତିଶତ ହେବ ବୋଲି ଜିଲ୍ଲାପାଳ ତ୍ରିଲୋଚନା ମାଝୀ ସୂଚନା ଦେଇଛନ୍ତି। ସକାଳ ୭ଟାରୁ ବୁଥ୍ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। କେତୋଟି ବୁଥ୍ରେ ଦିନ ୨ଟା ପର୍ଯ୍ୟନ୍ତ ମଧ୍ୟ ମତଦାନ ହୋଇଥିଲା। ଭଦ୍ରକ ଓ ବନ୍ତ ବ୍ଲକ୍ର ୭ଟି ଜିଲ୍ଲା ପରିଷଦ ଜୋନ୍, ୬୧ଟି ସରପଞ୍ଚ, ୬୧ଟି ସମିତି ସଭ୍ୟ ଓ ୮୩୮ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ ୩୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହ ୨୧୧ ଜଣ ସରପଞ୍ଚ ପ୍ରାର୍ଥୀ, ୧୭୪ ଜଣ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୧୫୯୨ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ବାକ୍ସରେ ସିଲ୍ ହୋଇଛି।
ଅନ୍ୟପଟେ ୧୮ ତାରିଖ ଦିନ ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଲକ୍ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅଛି। ଭଣ୍ଡାରିପୋଖରୀ ବ୍ଲକ୍ର ୩ଟି ଜିଲ୍ଲା ପରିଷଦ ଜୋନ୍, ୨୩ଟି ପଞ୍ଚାୟତ ଓ ୩୧୬ଟି ୱାର୍ଡ ପାଇଁ ନିର୍ବାଚନ ମୋଟ ୧ ଲକ୍ଷ ୧୧ ହଜାର ୯୯୦ ଜଣ ଭୋଟର ମତଦାନ କରିବେ। ସେହିପରି ଚାନ୍ଦବାଲି ବ୍ଲକ୍ରେ ମୋଟ ୫ଟି ଜିଲ୍ଲା ପରିଷଦ ଜୋନ୍, ୩୬ଟି ପଞ୍ଚାୟତ ଓ ୪୭୬ଟି ୱାର୍ଡ ସଭ୍ୟ ପଦ ପାଇଁ ନିର୍ବାଚନ ହେବ। ଏହି ବ୍ଲକ୍ରେ ମୋଟ ୧ ଲକ୍ଷ ୮୩ ହଜାର ୯୪୯ ଜଣ ଭୋଟର ମତଦାନ କରିବେ। ନିର୍ବାଚନ ପରିଚାଳନା ପାଇଁ ପୋଲିଂ ପାର୍ଟି ସେମାନଙ୍କର ବାଲଟ୍ ପେପର ଓ ନିର୍ବାଚନ ପରିଚାଳନା ସାମଗ୍ରୀ ନେଇ ଆଜି ରାତି କିମ୍ବା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବୁଥ୍ଗୁଡ଼ିକରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/77e7fd93-8476-4297-bed0-66528cc1e88b.jpg)