ଭୁବନେଶ୍ୱର : ଓଡ଼ିଶା‌େର କରୋନା ମୁକାବିଲା ଚିତ୍ରକୁ ସଂପୂର୍ଣ୍ଣ ବଦଳାଇ ଦେଇଛି ଜୁଲାଇ ମାସ। ମାର୍ଚ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅତ୍ୟନ୍ତ ମନ୍ଥର ଗତିରେ ବଢ଼ୁଥିବା କରୋନା ଜୁଲାଇ ମାସରେ ସାଂଘାତିକ ସ୍ଥିତିରେ ପହଞ୍ଚି ଯାଇଛି। ୩୧ ଦିନରେ ରାଜ୍ୟରେ ୨୫,୯୩୪ଜଣ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୭୭ ପ୍ରତିଶତ ସଂକ୍ରମିତ କେବଳ ଜୁଲାଇ ମାସରେ ହିଁ ଚିହ୍ନଟ ହୋଇଛନ୍ତି। ଏହାସହ ୧୬୨ଜଣ କରୋନାରେ ପ୍ରାଣ ହରାଇବା ସହିତ ୩୧ଜଣ ଅଣ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ଉଭୟ ସଂକ୍ରମିତ ଓ ମୃତ୍ୟୁ ତାଲିକାରେ ରାଜ୍ୟରେ ଉପରମୁହାଁ ହୋଇଛି କରୋନା।

Advertisment

publive-image Childrens Choice Therapy

ଅଗଷ୍ଟ ମାସରେ ମଧ୍ୟ ଏହି ଧାରା ବଜାୟ ରହିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ପରିସଂଖ୍ୟାନକୁ ଦେଖିଲେ ଜୁଲାଇ ୧ତାରିଖ ବେଳକୁ ରାଜ୍ୟରେ ଚିହ୍ନଟ ହୋଇଥିଲେ ୭୫୪୫ ଜଣ ସଂକ୍ରମିତ। ଏହି ସମୟରେ ରାଜ୍ୟରେ ୨୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଅଣ କୋଭିଡ୍‌ରେ ପ୍ରାଣ ହରାଇଥିଲେ। ହେଲେ ଜୁଲାଇ ମାସ ପ୍ରଥମ ସପ୍ତାହରୁ ହିଁ ରାଜ୍ୟରେ ଦ୍ରୁତ ଗତିରେ କରୋନା ବଢ଼ିବାକୁ ଆରମ୍ଭ କରିଥିଲା। ବିଶେଷକରି ଗଞ୍ଜାମ, ଖୋର୍ଧା, କଟକ, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରେ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ୩୩୪୭୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ୧୮୭ରେ ପହଞ୍ଚି ଯାଇଛି। ଏହାସହ ଅଣ କୋଭିଡ୍‌ ମୃତ୍ୟୁ ୩୮ ଛୁଇଁଛି। ରାଜ୍ୟରେ କେତେଦିନ ପର୍ଯ୍ୟନ୍ତ ଏଭଳି ଧାରା ବଜାୟ ରହିବ ସେ ସଂପର୍କରେ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଡା.ମନୋଜ ସାହୁଙ୍କ କହିବାନୁଯାୟୀ, ରାଜ୍ୟରେ ଏ ପର୍ଯ୍ୟନ୍ତ ସଂକ୍ରମଣ ଶୀର୍ଷକୁ ଛୁଇଁନାହିଁ। ଯେହେତୁ ରାଜ୍ୟର ସଂକ୍ରମଣ ବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି, ଏ ଦୃଷ୍ଟିରୁ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବା କହିହେବ ନାହିଁ।

ସେହିପରି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ନିର୍ଦେଶକ ତଥା ବରିଷ୍ଠ ଚିକିତ୍ସକ ଡା.ଚିତ୍ତରଂଜନ ଦାସଙ୍କ କହିବା କଥା, ଜୁଲାଇ ୨୦ତାରିଖରୁ ରାଜ୍ୟରେ ସଂକ୍ରମଣ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଏହି ଦ୍ରୁତ ସଂକ୍ରମଣ ଅଗଷ୍ଟ ମାସ ୨୦ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ କେତେଦିନ ରହିବ ତାହା ଏବେଠାରୁ କହିହେବ ନାହିଁ। ରାଜ୍ୟରେ ଅତିକମ୍‌ରେ ଦିନକୁ ୪୦ ହଜାର କୋଭିଡ୍‌ ନମୁନା ପରୀକ୍ଷା ହେବାର ଆବଶ୍ୟକତା ରହିଛି। ଯେତେ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେବେ ସେମାନଙ୍କୁ ଆଇସୋଲେଟ୍‌ କରିବା ସହଜ ହେବ। ଯାହାଫଳରେ ସଂକ୍ରମଣର ଚେନ୍‌କୁ ରୋକିବା ସମ୍ଭବ ହେବ। ଆରଟିପିସିଆର ପରୀକ୍ଷା ସମୟ ସାପେକ୍ଷ। ଏହାସହ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ ମଧ୍ୟ ଅନେକ ସମସ୍ୟା ରହିଛି। ଯେହେତୁ ଆରଟିପିସିଆର ପରୀକ୍ଷା ପାଇଁ ଆବଶ୍ୟକ୍ କିଟ୍‌ ଓ ଅନ୍ୟାନ୍ୟ ଜିନିଷ ବାହାରୁ ଆଣିବାକୁ ପଡ଼ୁଛି ତେଣୁ ଏହାର ପରୀକ୍ଷା ସଂଖ୍ୟାରେ ବୃଦ୍ଧି ହୋଇପାରୁ ନାହିଁ। ମାସ୍କ ପିନ୍ଧିବାକୁ ନେଇ ଜରିମାନା ବଢ଼ାଇବା ଓ ସିନେମା ହଲ୍‌କୁ ବନ୍ଦ ରଖିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏସବୁ ସତ୍ତ୍ବେ ରାଜ୍ୟରେ ଯଦି କୋଭିଡ୍‌ ପରୀକ୍ଷା ସଂଖ୍ୟା ବଢ଼ିବ ନାହିଁ ତାହାଲେ ଆଗକୁ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ଡା.ଦାସ କହିଛନ୍ତି।