୩ରଥ ନିର୍ମାଣରେ ନିୟୋଜିତ ୭୭ ଭୋଇସେବକ

ପୁରୀ: ରଥ ତିଆରିରେ ଭୋଇ ସେବକମାନଙ୍କ ସେବା ଯେତିକି କଠିନ ସେତିକି ଆହ୍ବାନମୂଳକ। ରଥ ତିଆରିରେ ବ୍ୟବହୃତ କାଠ ଅତ୍ୟନ୍ତ ମଜଭୁତ୍‌। ତେଣୁ କାଠଗୁଡ଼ିକୁ ରଥଖଳାକୁ ଆଣିବାଠାରୁ ନେଇ ରଥ ଉପରକୁ ଉଠାଇ ସଂଯୋଗ କରିବା ପର୍ଯ୍ୟନ୍ତ କଠିନ କାର୍ଯ୍ୟ ଭୋଇସେବକଙ୍କ ଦ୍ବାରା ସମ୍ପାଦିତ ହୋଇଥାଏ। ରଥ ତିଆରି ପାଇଁ ସର୍ବପ୍ରଥମ ସେବା ଭାବେ ସେମାନେ କାଠ ଯୋଗାଇ ଥାଆନ୍ତି ଏବଂ ରଥ ଭଙ୍ଗା ହେବା କାର୍ଯ୍ୟଠୁ ନେଇ ଚକ ଓ ରଥର ଅନ୍ୟ ଅଙ୍ଗ ସବୁକୁ ନେଇ ଯଥା ସ୍ଥାନରେ ରଖିବା କାର୍ଯ୍ୟ ମଧ୍ୟ ଭୋଇ ସେବକମାନେ ନିର୍ବାହ କରି ଆସୁଛନ୍ତି।

ତିନିରଥ ପାଇଁ ମୋଟ୍‌ ୭୭ ଜଣ ଭୋଇସେବକ ନିୟୋଜିତ ହୋଇଛନ୍ତି। ୭୭ ଜଣଙ୍କ ସର୍ଦ୍ଦାର ହେଉଛନ୍ତି ରବି ଭୋଇ। ଶ୍ରୀବଳଭଦ୍ରଙ୍କ ରଥ ପାଇଁ ୨୬ ଜଣ, ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ୨୬ ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥ ପାଇଁ ମୋଟ୍‌ ୨୫ଜଣ ଭୋଇସେବକ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମୁଖ୍ୟ ଭୋଇ ତଥା ଶାଢ଼ିବନ୍ଧା ଭୋଇସେବକ। ଅନ୍ୟ ଭୋଇ ସେବକମାନଙ୍କୁ ଭୋଇ ସର୍ଦ୍ଦାର ଏବଂ ଅନ୍ୟ ଶାଢ଼ି ବନ୍ଧା ଭୋଇସେବକମାନେ ଆଣି ରଥ କାମରେ ନିୟୋଜିତ କରିଆସୁଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ଭୋଇସେବକ ହେଉଛନ୍ତି କାର୍ତ୍ତିକ ଭୋଇ ଓ ବିଷ୍ଣୁ ଭୋଇ। ତାଳଧ୍ବଜ ରଥର ମୁଖ୍ୟ ଭୋଇସେବକ ଭାବେ ସେବା ଦେଉଛନ୍ତି ଧ୍ରୁବ ଭୋଇ ଓ ପିନା ଭୋଇ। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ମୁଖ୍ୟ ଭୋଇସେବକ ଭାବେ ଭୋଇ ସର୍ଦ୍ଦାର ରବି ଭୋଇ ଓ ତାଙ୍କ ପୁତ୍ର ଆଲୋକ କୁମାର ଭୂଇଁ ସେବା ଦେଇ ଆସୁଛନ୍ତି।

ରବି ଭୋଇଙ୍କ କହିବା ମୁତାବକ, ମା’ ଚର୍ଚ୍ଚିକା ହେଉଛନ୍ତି ରଖଖଳାର ମାଲିକାଣୀ। ତେଣୁ ମା’ଙ୍କୁ ସ୍ମରଣ ପୂର୍ବକ ଏବଂ ମହାପ୍ରଭୁଙ୍କ ନାମ ନେଇ ପ୍ରତ୍ୟେକ ଭୋଇସେବକ କାର୍ଯ୍ୟ କରନ୍ତି। ଏହା ଅନ୍ୟ ସମସ୍ତ କର୍ମଠାରୁ ଭିନ୍ନ। କର୍ମ ଅପେକ୍ଷା ଏହାକୁ ସେବାର ଆଖ୍ୟା ଦେଇଛୁ। ମହାପ୍ରଭୁଙ୍କ କାର୍ଯ୍ୟ ହୋଇଥିବାରୁ ବର୍ଷେ ହେଲା ଭୋଇ ସେବକମାନେ ଏହାକୁ ପ୍ରତୀକ୍ଷା କରି ରହିଥାଆନ୍ତି। ମହାପ୍ରଭୁଙ୍କୁ ସେବା ଦେଇ ଯେଉଁ ଆତ୍ମ ତୃପ୍ତି ମିଳେ ତାହା ଅବର୍ଣ୍ଣନୀୟ। ଭୋଇସେବକମାନଙ୍କର କାର୍ଯ୍ୟ କଷ୍ଟସାଧ୍ୟ। ଯେତେ ବଡ଼ କାଠ ରଥଖଳାକୁ ଆସେ ତାହା ଆମ ଭୋଇ ଭାଇମାନଙ୍କ ଦ୍ବାରା ଅଣାଯାଏ। ରଥ ଉପରକୁ ଛ’କାଠ ଉଠିବା ଅତ୍ୟନ୍ତ କଷ୍ଟସାଧ୍ୟ। ବେଳେବେଳେ କିଛି ସେବକ ଆହତ ମଧ୍ୟ ହୁଅନ୍ତି। କେବଳ ରଥ ଗଢ଼ିଦେବା ପରେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ହୁଏ ନାହିଁ। ବରଂ ଚାରମାଳ ବନ୍ଧାଠୁ ନେଇ ରଥରେ ଘୋଡ଼ା ଓ ସାରଥି ଖଞ୍ଜିବା ଦାୟିତ୍ବ ମଧ୍ୟ ନିର୍ବାହ କରିଥାଆନ୍ତି।

ସମ୍ବନ୍ଧିତ ଖବର