ଭୁବନେଶ୍ୱର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କଠାରୁ କାଶୀ ବିଶ୍ୱନାଥ ଧାମକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନ ଯାତ୍ରା ଆଜି ଭୁବନେଶ୍ବରରୁ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତି ରହି ଏହି ଯାତ୍ରାର ଶୁଭାରମ୍ଭ କରାଇଛନ୍ତି। ୬ଟି ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କୁ ଦର୍ଶନ କରିବାର ସୁଯୋଗ ପାଇବା ସହ ଭାରତର ପ୍ରସିଦ୍ଧ ଶୈବପୀଠ କାଶୀ ବିଶ୍ୱନାଥ ମନ୍ଦିର ସହ ପବିତ୍ର ଗଙ୍ଗା ଆରତୀ ଓ ଗଙ୍ଗା ଘାଟରେ ଥିବା ମନ୍ଦିରଗୁଡ଼ିକୁ ପରିଦର୍ଶନ କରିବେ। ୨୦୨୫-୨୬ ଆର୍ଥିକ ବର୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଧୀନରେ ୧୦ଟି ପର୍ଯ୍ୟାୟରେ ପ୍ରାୟ ୮ ହଜାର ବରିଷ୍ଠ ନାଗରିକଙ୍କୁ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
ସାଙ୍ଗରେ ଅଛନ୍ତି ୨୫ ଏସ୍କର୍ଟ ଅଧିକାରୀ
ଅଯୋଧ୍ୟା- ବାରାଣସୀ ଅଭିମୁଖେ ଯାତ୍ରା
ରାଜ୍ୟ ପର୍ଯ୍ୟଟନ ବିଭାଗ, ଇଣ୍ଡିଆନ ରେଲୱେ କ୍ୟାଟରିଂ, ଟୁରିଜିମ କର୍ପୋରେସନ (ଆଇଆର୍ସିଟିସି) ଓ ଖୋର୍ଦ୍ଧାଜିଲ୍ଲା ପ୍ରଶାସନର ସହଭାଗିତାରେ ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାର ପ୍ରଥମ ଟ୍ରେନ ଆଜି ଭୁବନେଶ୍ୱର ରେଳଷ୍ଟେସନରୁ ଅଯୋଧ୍ୟା-ବାରାଣସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନ୍ଯାତ୍ରାର ଶୁଭାରମ୍ଭ ସମୟରେ ଶ୍ରୀମତୀ ପରିଡ଼ାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସମେତ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ପୁରୀ ବିଧାୟକ ସୁନିଲ ମହାନ୍ତି, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ଯୋଗ ଦେଇ ପ୍ରଥମ ଟ୍ରେନ ଯାତ୍ରା ପାଇଁ ବରିଷ୍ଠ ନାଗରିକଙ୍କୁ ଶୁଭକାମନା ଜଣାଇଥିଲେ। ଶେଷରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ରୁଦ୍ର ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୯ ଜଣ, ପୁରୀରୁ ୧୨୭ ଜଣ, କଟକରୁ ୧୯୭ଜଣ, ଜଗତସିଂହପୁର ୮୫ଜଣ, କେନ୍ଦ୍ରାପଡ଼ାରୁ ୮୯ଜଣ ଓ ଢେଙ୍କାନାଳରୁ ୧୦୮ ଜଣ ବରିଷ୍ଠ ନାଗରିକଙ୍କ ସହ ୨୫ ଜଣ ସହାୟକ (ଏସ୍କର୍ଟ) ଅଧିକାରୀ ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ସରକାରଙ୍କ ଭାରତ ଗର୍ବ ଟ୍ରେନରେ ଅଯୋଧ୍ୟା-ବାରାଣସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/11/dagdgdgad-2025-09-11-02-51-35.jpg)