୭୭୫୦ ବିଦ୍ୟାଳୟର ମିଶ୍ରଣ ପାଇଁ ଅନୁମୋଦନ ଦିଆଯାଇଛି

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମୁଦାୟ ୭୭୫୦ଟି ବିଦ୍ୟାଳୟକୁ ମିଶ୍ରଣ ପାଇଁ ଅନୁମୋଦନ ଦେଇଛନ୍ତି। ତହିଁରେ ୪୮୭୯ଟି ବିଦ୍ୟାଳୟ ନିୟମ ଅନୁଯାୟୀ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାଶ କହିଛନ୍ତି ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୦ମସିହା ମାର୍ଚ ୧୧ତାରିଖ ବିଜ୍ଞପ୍ତି ନିୟମାବଳୀ‌ କୋହଳ କରାଯାଇ ଡିସେମ୍ବର ୧୪ତାରିଖରେ ସଂଶୋଧନ ସଂଖ୍ୟା ପ୍ରକାଶ କରାଯାଇଛି। ଏହା ଅନୁଯାୟୀ ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳ ପାଇଁ ଯେଉଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ୧୫ କିମ୍ବା ୧୫ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବେ, ଅଣ ଅନୁସୂଚିତ ଅଞ୍ଚଳରେ ୨୦ କିମ୍ବା ୨୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିଲେ ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ଏକତ୍ରୀକରଣ କରାଯିବ। ଏହସହ ଅଣ ଅନୁସୂଚିତ ଅଞ୍ଚଳ ପାଇଁ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ୪୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ, ଅନୁସୂଚିତ ଅଞ୍ଚଳ ପାଇଁ ୨୫ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବେ ଓ ୧ କି.ମି ଦୂରତା ଭିତରେ କୌଣସି ବିଦ୍ୟାଳୟ ରହିଥିଲେ, ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ସହ ମିଶ୍ରଣ କରାଯିବ।

ଯାଜପୁର ଜିଲ୍ଲରେ ସମୁଦାୟ ୨୮୫ଟି ବିଦ୍ୟାଳୟକୁ ଉପରୋକ୍ତ ନିୟମ ଅନୁଯାୟୀ ମିଶ୍ରଣ କରାଯାଇଛି। ଏହି ନିୟମ ଆଧାରରେ ମିଶ୍ରଣ ହୋଇଥିବା ବିଦ୍ୟାଳୟକୁ ପୁଣିଥରେ ଖୋଲିବା ପାଇଁ ଢେଙ୍କାନାଳ ଜିଲ୍ଲାରୁ ଜିଲ୍ଲାପାଳଙ୍କ ଦ୍ବାରା ପ୍ରସ୍ତାବିତ ହୋଇ ଆସିଥିବା ଓ ରାଜ୍ୟ ଅଭିଯୋଗ ସମାଧାନ କମିଟି ବା ଏସ୍‌ଜିଆରସିରେ ଉପସ୍ଥାପନ ହୋଇ ଆସିଥିବା ୨୧ଟି ପ୍ରସ୍ତାବକୁ ବିଭାଗ ତରଫରୁ ପୁଣିଥରେ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏହାସହିତ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଅନୁସୂଚିତ ଅଞ୍ଚଳର ୧୦ଟି ବିଦ୍ୟାଳୟ ଓ ଖୋର୍ଧା ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୁଣିଥରେ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମତି ଦେଇଛନ୍ତି। ଯାଜପୁର ଜିଲ୍ଲାର ରାହାଳ, ବରଦା ସମେତ ଅନ୍ୟ ବିଦ୍ୟାଳୟମାନଙ୍କ ପାଇଁ ଦଳିତ ବସ୍ତିମାନଙ୍କରେ ନିର୍ଧାରିତ ଛାତ୍ରଛାତ୍ରୀ ସଂଖ୍ୟାରେ କୋହଳ କରିବା ତଥା ବିଦ୍ୟାଳୟ ପୁଣିଥରେ ଖୋଲିବା ପାଇଁ କୌଣସି ପ୍ରସ୍ତାବ ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର