ଝାରସୁଗୁଡ଼ାରେ ୭୮.୭% ମତଦାନ, ଇଭିଏମ୍‌ରେ ବନ୍ଦ ୯ ପ୍ରାର୍ଥୀଙ୍କ ଭାଗ୍ୟ

ବିଭିନ୍ନ ସ୍ଥାନରେ ହିଂସା

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ୍‌ ହେବାକୁ ୪୩ ଡିଗ୍ରିର ପ୍ରଚଣ୍ଡ ଖରା ଝାରସୁଗୁଡ଼ବାସୀଙ୍କ ପାଇଁ ବାଧକ ସାଜିପାରିନି। ସନ୍ଧ୍ୟା ସୁଦ୍ଧା ଇଭିଏମ୍‌ରେ କଏଦ୍‌ ହୋଇସାରିଛି ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ୍‌ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୋଟ୍‌ ୨୫୩ଟି ବୁଥରେ ୭୮.୭ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଧ୍ୟା ୬ଟାରେ ମତଦାନ ପ୍ରକ୍ରିୟା ଅବଧି ଶେଷ ହେବାର ଥିଲେ ହେଁ ସହରାଞ୍ଚଳର କିଛି ବୁଥରେ ଲୋକଙ୍କ ଭିଡ଼ ଜମିଥିବାରୁ ରାତି ୮ଟା ଯାଏ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା। ତେବେ ଭୋଟିଂ ପରେ ଅନ୍ୟ ବୁଥ୍‌ଗୁଡ଼ିକରୁ ଇଭିଏମ୍‌ ଓ ଭିଭିପିଏଟି ମେସିନ୍‌ଗୁଡ଼ିକୁ ସିଲ୍‌ କରି କଡ଼ା ସୁରକ୍ଷା ବଳୟରେ ଯାନ୍ତ୍ରିକ ବିଦ୍ୟାଳୟସ୍ଥିତ ‌ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଅଣାଯାଇଛି। ପୂର୍ବବତ୍‌ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସର ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍‌ ରୁମ୍‌କୁ ରଖାଯାଇଛି।

ବୁଧବାର ସକାଳ ୭ଟାରୁ ସମସ୍ତ ବୁଥ୍‌ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲଇକେରା ବ୍ଲକ ସାହସପୁର ପଞ୍ଚାୟତ ରାମଛିପିଡିହି ବୁଥ ସମେତ ୩ଟି ବୁଥରେ ଇଭିଏମ୍‌ ନଚାଲିବାରୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ପୁଣିଥରେ ନୂଆ ଇଭିଏମ୍‌ ସେହି ସ୍ଥାନଗୁଡ଼ିକରେ ପହଞ୍ଚିବା ପରେ ମତଦାନ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା। ପ୍ରଥମେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗୁଜରାତି କଲୋନି ସ୍କୁଲରେ ମତଦାନ କରିଥିଲେ। ତାଙ୍କ ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସରବାହାଲ ହାଇସ୍କୁଲ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପୁରୁଣାବସ୍ତି ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ। ପ୍ରମୁଖ ରାଜନୈତିକ ଦଳଙ୍କ ଏହି ୩ ପ୍ରାର୍ଥୀଙ୍କୁ ବାଦ୍‌ଦେଲେ ଚଳିତ ଥର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅନ୍ୟ ୬ ପ୍ରାର୍ଥୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମଧ୍ୟ ଭୋଟ୍‌ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମଧ୍ୟ ବେହେରାମାଲସ୍ଥିତ ୯୮ ନମ୍ବର ବୁଥ୍‌ରେ ମତଦାନ କରିଥିଲେ।

ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲେ ହେଁ କିଛି ବୁଥ୍‌ରେ ସାମାନ୍ୟ ହିଂସା ଦେଖାଦେଇଥିଲା। ସହରାଞ୍ଚଳରେ ରହିଥିବା ଗୁଜରାତିପଡ଼ା ନଜୁଲ ସରକାରୀ ହିନ୍ଦୀ ହାଇସ୍କୁଲ, ମନମୋହନ ୟୁପି ସ୍କୁଲ, ତାଲମାଲ ସ୍କୁଲ, ଏକାତାଲି ସ୍କୁଲ ପରିସରରେ ବିଜେପି- ବିଜେଡି କର୍ମୀଙ୍କ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ମନମୋହନ ୟୁପି ସ୍କୁଲରେ ଜଣେ ବ୍ୟକ୍ତିଙ୍କ ନାଁରେ କେହି ଅଜଣା ଲୋକ ମତଦାନ କରି ଚାଲିଯାଇଥିବା ଘଟଣାକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ତେବେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ଉପସ୍ଥିତି ଯୋଗୁଁ ଗଣ୍ଡଗୋଳଗୁଡ଼ିକ ତୁରନ୍ତ ନିୟନ୍ତ୍ରିତ ହୋଇଥିଲା। ତେବେ ଅପରାହ୍‌ଣରେ ଲଇକେରା ଥାନା କାକମାଲରେ ଜଣେ ବିଜେପି କର୍ମୀଙ୍କୁ ପନିକିରେ ହାଣି ହତ୍ୟା ଉଦ୍ୟମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର