ମାଟ୍ରିକରେ ୭୮.୭୬% ପାସ୍, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ

୧୨୭୯ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ, ଗତବର୍ଷ ତୁଳନାରେ ପାସ୍ ହାର ୮% ବୃଦ୍ଧି

ପାସ୍ ହାରରେ ବରଗଡ଼ ଶୀର୍ଷରେ, ନିମ୍ନରେ ନୂଆପଡ଼ା
୩୧ ସ୍କୁଲରେ ‘ଶୂନ’ ପାସ୍‌, ୬୭୮ ସ୍କୁଲ୍‌ରେ ୧୦୦%

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୦ ମସିହାର ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷର ସାମଗ୍ରିକ ପାସ୍‌ ହାର ରହିଛି ୭୮.୭୬ ପ୍ରତିଶତ। ଯାହାକି ପୂର୍ବବର୍ଷ ତୁଳନାରେ ପାଖାପାଖି ୮ ପ୍ରତିଶତ ଅଧିକ। ୨୦୧୯ ମାଟ୍ରିକ ପରୀକ୍ଷାଫଳ ତୁଳନାରେ ଚଳିତବର୍ଷ ୨ ମାସ ବିଳମ୍ବରେ ପରୀକ୍ଷାଫଳ ପ୍ରକାଶ ପାଇଥିଲେ ବି ପାସ୍ ହାର ଏବଂ ଏ-୧ (୯୦ ପ୍ରତିଶତ ଓ ତା’ଠାରୁ ଅଧିକ) ଗ୍ରେଡ୍‌ରେ‌ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିଭଳି ଶହେ ପ୍ରତିଶତ ପାସ୍ କରିଥିବା ସ୍କୁଲ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କୌଣସି ପିଲା ପାସ୍ କରି ନଥିବା ସ୍କୁଲ ସଂଖ୍ୟା ହ୍ରାସ ପାଇଛି। ଚଳିତବର୍ଷ ମୋଟ ୧୨୭୯ ଜଣ ‘ଏ-୧’ ଗ୍ରେଡରେ ପାସ୍‌ କରିଛନ୍ତି। ସେମାନଙ୍କ ସଂଖ୍ୟା ମୋଟ ଛାତ୍ରଛାତ୍ରୀ ସଂଖ୍ୟାର ୦.୩ ପ୍ରତିଶତ। ସେହିଭଳି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪.୬୯ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୩୧ଟି ସ୍କୁଲରେ କେହି ପିଲା ପାସ୍‌ କରି ନଥିବାବେଳେ ସବୁ ପିଲା ପାସ୍‌ କରିଥିବା ସ୍କୁଲ ସଂଖ୍ୟା ରହିଛି ୬୭୮।

ଆଜି କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମାଟ୍ରିକ ଫଳାଫଳ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁ ମୁଗମ୍, ବୋର୍ଡର ସଭାପତି ରାମାଶିଷ ହାଜରା, ସଂପାଦକ ଶ୍ରୀକାନ୍ତ ତରାଇ ଏବଂ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ରାଜ୍ୟର ୨୭୬୭ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ମୋଟ୍‌ ୫ ଲକ୍ଷ ୩୪ ହଜାର ୮୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୧ ହଜାର ୬୭୭ ଜଣ ରେଗୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪ ଲକ୍ଷ ୭ ହଜାର ୮୬୮ ଜଣ ପାସ୍ କରିଛନ୍ତି। ପାସ ହାର ରହିଛି ୭୯.୭୧ ପ୍ରତିଶତ। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ୧୨୭୯ ଜଣ, ଏ-୨ରେ ୮୪୫୦ ଜଣ, ବି-୧ରେ ୧୮ ହଜାର ୧୭୦ ଜଣ, ବି-୨ରେ ୩୧ ହଜାର ୨୩୧ ଜଣ, ‘ସି’ ଗ୍ରେଡ୍‌ରେ ୪୮ ହଜାର ୯୭୯ ଜଣ, ‘ଡି’ ଗ୍ରେଡ୍‌ରେ ୮୮ ହଜାର ୭୮୦ ଜଣ, ‘ଇ’ ଗ୍ରେଡ୍‌ରେ ୨ ଲକ୍ଷ ୧୦ ହଜାର ୯୭୯ ଜଣ ପାସ୍‌ କରିଛନ୍ତି। କପି କରି ୯୩୯ ଜଣ ମାଲପ୍ରାକ୍ଟିସ ହୋଇଛନ୍ତି। ରେଗୁଲାରରେ ୧ ଲକ୍ଷ ୯୨ ହଜାର ୫୦୧ ଜଣ ଛାତ୍ର ଏବଂ ୨ ଲକ୍ଷ ୧୫ ହଜାର ୩୬୭ ଜଣ ଛାତ୍ରୀ ପାସ କରିଛନ୍ତି।

ସେହିଭଳି ୨୧ ହଜାର ୭୧୪ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ୍‌ କରିଛନ୍ତି ୧୨ ହଜାର ୩୭୭ ଜଣ। ପାସ୍ ହାର ରହିଛି ୫୭ ପ୍ରତିଶତ। ସେମାନଙ୍କ ମଧ୍ୟରେ ୬ ହଜାର ୭୮୩ ଜଣ ଛାତ୍ର ଓ ୫ ହଜାର ୫୯୪ ଜଣ ଛାତ୍ରୀ ଅଛନ୍ତି। ଏ-୨ରେ ୫ ଜଣ, ବି-୧ରେ ୭ ଜଣ, ବି-୨ରେ ୨୨ ଜଣ, ‘ସି’ ରେ ୬୭ ଜଣ, ‘ଡି’ ରେ ୫୯୭ ଜଣ, ‘ଇ’ ରେ ୧୧ ହଜାର ୫୮୩ ଜଣ ପାସ୍‌ କରିଛନ୍ତି। ୭୩ ଜଣ ମାଲପ୍ରାକ୍ଟିସ ହୋଇଥିବାବେଳେ ୯୬ ଜଣ କଂପାର୍ଟମେଣ୍ଟାଲରେ ପାସ୍‌ କରିଛନ୍ତି।

ପତ୍ର ମାଧ୍ୟମ ରେଗୁଲାରରେ ୬୩ଟି କେନ୍ଦ୍ରରେ ୧୩୪୪ ଜଣ ପରୀକ୍ଷା ଦେଇଥିବାବେଳେ ପାସ୍‌ କରିଛନ୍ତି ୯୫୩ ଜଣ। ସେମାନଙ୍କ ମଧ୍ୟରେ ଅଛନ୍ତି ୪୮୬ ଜଣ ଛାତ୍ର ଓ ୪୬୭ ଜଣ ଛାତ୍ରୀ। ପାସ ହାର ରହିଛି ୭୦.୯୧ ପ୍ରତିଶତ। ଏ-୨ରେ ୩ ଜଣ ପାସ୍ କରିଥିବା ବେଳେ ବି-୧ରେ ୧୧, ବି-୨ ରେ ୭୫, ‘ସି’ ରେ ୧୦୭, ‘ଡି’ ରେ ୧୭୭ ଏବଂ ‘ଇ’ ରେ ୫୮୦ ଜଣ ପାସ୍‌ କରିଛନ୍ତି। ପତ୍ର ମାଧ୍ୟମ ଏକ୍ସ-ରେଗୁଲାରରେ ୩୩ଟି କେନ୍ଦ୍ରରେ ୧୦୮ ଜଣ ପରୀକ୍ଷା ଦେଇଥିବାବେଳେ ୫୮ ଜଣ ପାସ୍‌ କରିଛନ୍ତି। ପାସ୍ ହାର ରହିଛି ୫୩.୭୦ ପ୍ରତିଶତ। ଡି ରେ ୨ ଜଣ, ଇ ରେ ୫୩ ଜଣ ପାସ କରିଥିବା ବେଳେ ୩ ଜଣ କଂପାର୍ଟମେଣ୍ଟାଲରେ ପାସ୍‌ କରିଛନ୍ତି।

ଜିଲ୍ଲା ଭିତ୍ତିରେ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ଦୃଷ୍ଟିରୁ ସବୁଠୁ ଅଧିକ ପାସ୍‌ ହାର ରହିଛି ବରଗଡ଼ରେ। ବରଗଡରେ ପାସ୍‌ ହାର ୮୯.୩୭ ପ୍ରତିଶତ ରହିଥିବା ବେଳେ ପରକୁ ପର ଖୋର୍ଦ୍ଧାରେ ୮୭.୨୮ ପ୍ରତିଶତ, ପୁରୀରେ ୮୬.୮୨ ପ୍ରତିଶତ, କନ୍ଧମାଳରେ ୮୬.୩୨ ପ୍ରତିଶତ, ନୟାଗଡ଼ରେ ୮୬. ୬୩ ପ୍ରତିଶତ, ସୁନ୍ଦରଗଡ଼ରେ ୮୫.୮୫ ପ୍ରତିଶତ, କଟକରେ ୮୪.୮୫, ବାଲେଶ୍ବରରେ ୮୩.୯୭, ମୟୂରଭଞ୍ଜରେ ୮୩.୭୮, ଗଂଜାମରେ ୮୨ ପ୍ରତିଶତ, ସମ୍ବଲପୁରରେ ୮୦.୪୭ ପ୍ରତିଶତ, ଦେବଗଡରେ ୮୦.୨୨ ପ୍ରତିଶତ ଏବଂ କେନ୍ଦ୍ରାପଡାରେ ୮୦.୧୯ ପ୍ରତିଶତ ପାସ ହାର ରହିଛି। ଅର୍ଥାତ ୧୩ଟି ଜିଲ୍ଲାରେ ୮୦ ପ୍ରତିଶତ ଉପରେ ପାସ୍ ହାର ରହିଛି। ଅନ୍ୟପଟେ ସବୁଠୁ କମ୍‌ ପାସ୍‌ ହାର ୬୦.୧୮ ପ୍ରତିଶତ ନୂଆପଡ଼ାରେ ରହିଛି। ଏ-୧ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ସବୁଠୁ ଅଧିକ ୧୮୨ ଜଣ ଖୋର୍ଦ୍ଧା ଜିଲ୍ଲାରେ ରହିଥିବାବେଳେ ଗଂଜାମରେ ୧୪୯ ଓ କଟକରେ ଅଛନ୍ତି ୧୧୮ ଜଣ। ଗଜପତିରେ କୌଣସି ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ୍‌ କରିନାହାନ୍ତି।

ସମ୍ବନ୍ଧିତ ଖବର