ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ହେଲା ଝିପ୍‌ଝିପ୍‌ ବର୍ଷା ଚାଲିଛି। ଫଳରେ ନଦୀ, ନାଳ ଫୁଲିବାରେ ଲାଗିଛି। ନାଗାବଳୀ, ବଂଶଧାରା, କଲ୍ୟାଣୀ ଆଦି ନଦୀ ଜଳସ୍ତର ବଢ଼ିବା ପରେ ନଈକୂଳିଆ ଗାଁଗୁଡିକୁ ସତର୍କ କରାଯାଇଛି। ବର୍ଷା ଯୋଗୁଁ କାଶୀପୁର ବ୍ଲକରେ ଦୁଇଜଣଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି। ବଂଶଧାରା ନଦୀରେ ବର୍ତ୍ତମାନ ୭୮ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଜଳସ୍ତର ୮୪ମିଟର ଛୁଇଁଲେ ବିପଦ ସଂକେତକୁ ସ୍ପର୍ଶ କରିବ ବୋଲି ଜଣାପଡ଼ିଛି। ଲଗାଣ ବର୍ଷରେ କାଶୀପୁର ବ୍ଲକ ତଳଝିରି ପଞ୍ଚାୟତ ଲାକରିସ ଗାଁର ମିନ୍ଦରୀ ମାଝୀଙ୍କ ଝାଟିମାଟି ଘର କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ସେହିପରି ତଳପାଡ଼ିଖାଲ ଗାଁର ସଦନ ମାଝୀଙ୍କ ଘର ମଧ୍ୟ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସରକାରୀ ସହାୟତା ଅପେକ୍ଷାରେ ବିପନ୍ନ ପରିବାର ରହିଛନ୍ତି। କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠ ମାଝୀ ଏବଂ ବିଜୁ ଜନତା ଦଳ କର୍ମୀ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ପଲିଥିନ, ଚାଉଳ, ଶୀତବସ୍ତ୍ର ଆଦି ପ୍ରଦାନ କରିଛନ୍ତି। ତୁରନ୍ତ ଏମାନଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।

Advertisment

ସରକାରୀ ରେକର୍ଡ ଅନୁସାରେ, ରାୟଗଡ଼ା ବ୍ଲକରେ ୨୫ମିଲିମିଟର ବର୍ଷା ହୋଇଛି। କୋଲନରା ବ୍ଲକରେ ୪୨ମିମି, କଲ୍ୟାଣସିଂହପୁରରେ ୭୨ମିମି, କାଶୀପୁରରେ ୬୩ମିମି, ଗୁଣପୁର ବ୍ଲକରେ ୨୭ମିମି, ପଦ୍ମପୁର ବ୍ଲକରେ ୪୪ମିମି, ଗୁଡାରିରେ ୫୮ମିମି, ରାମନାଗୁଡାରେ ୨୯ମିମି, ମୁନିଗୁଡା ବ୍ଲକରେ ୫୫ମିମି ଏବଂ ଚନ୍ଦ୍ରପୁର ବ୍ଲକରେ ୨୯ମିମି ବର୍ଷା ହୋଇଛି। ପାହାଡ଼ିଆ ନଦୀ ଫୁଲୁଥିବାରୁ ବହୁ ଦୁର୍ଗମ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା ଦେଖା‌ଦେଇଛି। ରାୟଗଡ଼ାର ସୀମାନ୍ତ ଗାଁ, କାଶୀପୁର ବ୍ଲକର ନଦୀକୂଳିଆ ଗାଁ, ପଦ୍ମପୁର, ଗୁଣପୁର, ଚନ୍ଦ୍ରପୁର ଭଳି ବ୍ଲକରେ ରହିଥିବା ନଦୀକୂଳିଆ ଗାଁଗୁଡିକରେ ଲୋକେ ହଇରାଣ ହେଉଥିବା ଜଣାପଡିଛି। ବିଶେଷ କରି ପାହାଡ ନିକଟରେ ରହିଥିବା ଗାଁ ଗୁଡ଼ିକରେ ପାଣି ପଶୁଥିବା ଦେଖିବାକୁ ମିଳୁଛି। ଯଦି ବର୍ଷାର ପ୍ରକୋପ ରହିବ ତେବେ ଭୂସ୍ଖଳନ ହୋଇ ଗାଁ ଗୁଡ଼ିକରେ ବଡ଼ କ୍ଷୟକ୍ଷତି ହୋଇପାରେ।