ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ କାମ ଆଗେଇ ପାରୁନାହିଁ। ଗୋଟିଏ ପଟେ ବଜେଟ ବଢ଼ି ବଢ଼ି ଦୁଇ ଗୁଣରେ ପହଞ୍ଚିଥିବା ବେଳେ ସମୟ ବି ଗଡ଼ିଚାଲିଛି। ପାଖାପାଖି ଏକ ବର୍ଷ ତଳେ ୭୮୬ କୋଟି ଟଙ୍କାର ବ୍ୟୟ ଅଟକଳ ସରକାରଙ୍କ ପାଖକୁ ପଠାଯାଇଥିବା ବେଳେ ଏପର୍ଯ୍ୟନ୍ତ ସବୁଜ ସଂକେତ ମିଳିପାରିନଥିବା ବିଭାଗୀୟ ସୂ୍ତ୍ରରୁ ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ୧୯୯୭ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରକାର ମିଳିତ ଭାବେ ମହାନଦୀରେ ସାମ୍ଭାବ୍ୟ ସର୍ବାଧିକ ବନ୍ୟା (ପିଏମ୍ଏଫ୍) ସମ୍ପର୍କରେ ଆକଳନ କରିଥିଲେ। ହୀରାକୁଦ ଜଳଭଣ୍ଡାରରକୁ ଏକ ସଂଗରେ ୨୪.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବା ଆଶଙ୍କା ଥିବା ଏହି ଆକଳନରୁ ଜଣାପଡ଼ିଥିଲା। ବର୍ତ୍ତମାନର ବ୍ୟବସ୍ଥାରେ ଏକ ସ˚ଗରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୧୫ ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହୋଇପାରିବ। ଉପର ମୁଣ୍ଡରେ ମହାନଦୀରେ ଅନେକ ବ୍ୟାରେଜ ନିର୍ମାଣ କରିଥିବା ଛତିଶଗଡ଼ ସରକାର ନିଜ ରାଜ୍ୟବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଛନ୍ତି। ବ୍ୟାରେଜଗୁଡ଼ିକରୁ ନିଜ ସୁବିଧା ମୁତାବକ ବର୍ଷାଜଳ ନିଷ୍କାସନ କରୁଛନ୍ତି। ଫଳରେ ହୀରାକୁଦ ଜଳଭଣ୍ଡାର ପାଇଁ ବିପଦ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଆୟୋଗ ଓ ବିଶ୍ବବ୍ୟାଙ୍କ ସହଯୋଗରେ ଓଡ଼ିଶା ସରକାର ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ।
ରାଜ୍ୟ ସରକାର ୨୦୧୮ରେ ନୂଆ ସ୍ପିଲ୍ୱେ ଡିଭିଜନ ଖୋଲିବା ପରେ ଟେଣ୍ତର ପାଇଥିବା ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ସହ ଚୁକ୍ତି ହୋଇଥିଲା। ତେବେ, ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହେବାରୁ ୩୬୯.୫୩ କୋଟି ଟଙ୍କାରେ ଟେଣ୍ଡର ନେଇଥିବା ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ମାତ୍ର ୧୨ କୋଟି ଟଙ୍କା କାମକରି ୨୦୨୦ ମସିହାରେ ଏହି ପ୍ରକଳ୍ପରୁ ଓହରିଯାଇଥିଲା। ଏହା ପରେ ଜଳ ସଂପଦ ବିଭାଗ ସିଧାସଳଖ ଟେଣ୍ଡର ନଡାକି ଗତ ନଭେମ୍ବର ୨୦୨୧ରେ ଓଡ଼ିଶା ନିର୍ମାଣ ନିଗମ(ଓସିସି)କୁ ଅତିରିକ୍ତ ସ୍ପିଲୱେ ନିର୍ମାଣ କାମ ନ୍ୟସ୍ତ କରିଥିଲା। ନୂଆ ବ୍ୟୟ ଅଟକଳ ଅନୁଯାୟୀ ଏହି ପ୍ରକଳ୍ପ ଅର୍ଥରାଶି ୩୬୯.୫୩ କୋଟି ଟଙ୍କାରୁ ବଢ଼ି ୬୨୪.୩୮ କୋଟି ଟଙ୍କାରେ ପହଞ୍ଚିଥିଲା। ମାଟି କେନାଲ ଜାଗାରେ ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ ପ୍ରସ୍ତାବ ରଖାଯାଇଥିଲା।
ଗତ ୨୦୨୨ରେ ପୁନର୍ବାର ଏହି ବ୍ୟୟ ଅଟକଳ ୭୮୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସିମେଣ୍ଟ, ଲୁହା ଛଡ଼ ଆଦି ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ଯୋଗୁ ପୂର୍ବ ଦର ଅନୁଯାୟୀ କାମ କରିବା କଷ୍ଟକର ଥିବା ଦର୍ଶାଇ ଏହାର ପୁନର୍ବିଚାର କରିବାକୁ ସରକାରଙ୍କୁ ଲେଖାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପାଖକୁ ଏହି ପ୍ରସ୍ତାବ ପଠାଯିବାକୁ ପାଖାପାଖି ଏକ ବର୍ଷ ହୋଇଗଲାଣି। ହେଲେ, ଏପର୍ଯ୍ୟନ୍ତ ଏହି ବ୍ୟୟ ଅଟକଳକୁ ମଞ୍ଜୁରି ମିଳିନଥିବା ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରକଳ୍ପକୁ ମଂଜୁରି ମିଳିଲେ କାମ ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବ୍ୟୟ ଅଟକଳ ୧୫ ପ୍ରତିଶତରୁ ବି ଅଧିକ ଥିବାରୁ ପ୍ରଶାସନିକ ମଞ୍ଜୁରିର ଆବଶ୍ୟକତା ରହିଛି। ଏଥିପାଇଁ ଶୀର୍ଷ କମିଟି ବୈଠକ ବସିବା ପରେ ତାହା ମଞ୍ଜୁରି ମିଳିଥାଏ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଓଡ଼ିଶା ନିର୍ମାଣ ନିଗମ ପୁଣି ଉକ୍ତ କାମ ପାଇଁ ଟେଣ୍ଡର ଆହ୍ବାନ କରିବ। ଅପରପକ୍ଷରେ ଜମି ଅଧିଗ୍ରହଣ ସମସ୍ୟା ବି ତୁଟି ନାହିଁ।