ସମ୍ବଲପୁର: ବିଲୁପ୍ତପ୍ରାୟ ଶ୍ରେଣୀଭୁକ୍ତ ତାଲିକାରେ ଅଛି ଭାରତୀୟ ଗୟଳ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ସିଡ୍ୟୁଲ୍-୧ରେ ଅଛି ଏହି ବନ୍ୟଜୀବ। ଆଶ୍ବସ୍ତିର ବିଷୟ ହେଉଛି, ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଚଳିତ ବର୍ଷ ଗଣନାରୁ ଡେବ୍ରିଗଡ଼ରେ ୭୮୮ଟି ଗୟଳ ଥିବା ଜଣାପଡ଼ିଛି। ଏଥିରେ ୨ ବର୍ଷରୁ କମ୍ ବୟସର ୩୧୫ ଓ ୧୨୮ଟି ନବଜାତ ଅଛନ୍ତି। ଅର୍ଥାତ ଡେବ୍ରିଗଡ଼ରେ ଥିବା ସମୁଦାୟ ଗୟଳଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଶିଶୁ। ୨୦୨୪ ମସିହା ନଭେମ୍ବର ୧୨ ଓ ୧୩ ତାରିଖରେ ପ୍ରଥମଥର ଗଣନାରେ ୬୫୯ଟି ଗୟଳ ଚିହ୍ନଟ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ୬ ମାସରେ ୧୨୯ ଗୟଳଙ୍କ ବୃଦ୍ଧି ହୋଇଛି।
ଗତ ଗଣନା ସମୟରେ ୫୨ ଗୋଠ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଏହି ସଂଖ୍ୟା ୬୦କୁ ବୃଦ୍ଧିପାଇଛି। ଗ୍ରୀଷ୍ମଋତୁ ଭାରତୀୟ ଗୟଳଙ୍କ ପାଇଁ ପ୍ରଜନନ ଋତୁ। ଭାରତର ଅନ୍ୟ ସ୍ଥାନ ତୁଳନାରେ ଡେବ୍ରିଗଡ଼ରେ ଗୟଳଙ୍କ ସୁରକ୍ଷିତ ଘନତ୍ବ ରହିଛି। ଡେବ୍ରିଗଡ଼କୁ ଭାରତୀୟ ଗୟଳଙ୍କ ଦେଶ ମଧ୍ୟ କୁହାଯାଏ। ହୀରାକୁଦ ଆର୍ଦ୍ରଭୂମିର ପାରିପାର୍ଶ୍ବିକ ସ୍ଥିତି ଓ ପାଣିପାଗ ଗୟଳଙ୍କୁ ସୁହାଇଥାଏ। ସାଧାରଣତଃ ଏହା ଲମ୍ବା ଦୂରତା ଅତିକ୍ରମ କରିପାରେ। କିନ୍ତୁ ଡେବ୍ରିଗଡ଼ରେ ଥିବା ଗୟଳ ମାତ୍ର ୫ରୁ ୧୫ କିଲୋମିଟର ମଧ୍ୟରେ ନିଜ ଗତିବିଧିକୁ ସୀମିତ ରଖିଥାଆନ୍ତି। ଏହି ସଫାରି ଜୋନ୍ରେ ବର୍ତ୍ତମାନ ୬ ଗୋଠରେ ଗୟଳ ରହିଛନ୍ତି। ଗତବର୍ଷ ୫ ଗୋଠରେ ଥିଲେ। ଗୟଳଙ୍କୁ ସାଧାରଣତଃ ଚାଲାକ ପ୍ରାଣୀ କୁହାଯାଏ। ଅଭୟାରଣ୍ୟରେ ଏମାନଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।