ଝାରସୁଗୁଡ଼ାରେ ୭୯.୨୧ ପ୍ରତିଶତ ମତଦାନ, ଶନିବାର ସକାଳ ୮ଟାରୁ ଭୋଟ୍‌ ଗଣତି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ୭୯.୨୧ ପ୍ରତିଶତ ମତଦାନ ହୋଇଛି। ଏହା ଚୂଡ଼ାନ୍ତ ଭୋଟ ହାର। ମୋଟ ୨,୨୧,୭୧୯ ଭୋଟରଙ୍କ ମଧ୍ୟରୁ ୧,୭୫,୬୧୬ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୮୯ ହଜାର ୪୪ ଜଣ ପୁରୁଷ, ୮୬ ହଜାର ୫୬୦ ଜଣ ମହିଳା ଓ ୧୨ ଜଣ କିନ୍ନର ଅଛନ୍ତି। ଏହାବାଦ୍‌ ୩୨୧ ଜଣ ଭୋଟର ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ମତଦାନ କରିଛନ୍ତି। ପର୍ଯ୍ୟବେକ୍ଷକ, ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ୍‌ ରୁମ୍‌ ସିଲ୍‌ କରାଯାଇଥିବା ଆଜି ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶନିବାର ସକାଳ ୮ଟାରୁ ଭୋଟ୍‌ ଗଣତି

ଭୁବେନଶ୍ବର : ଶନିବାର ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍‌ ଗଣତି ହେବ। ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମୀକ୍ଷା କରିଛନ୍ତି। ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ୮ଟା ୩୦ରେ ଇଭିଏମ୍ ଗଣତି ଆରମ୍ଭ ହେବ। ଭୋଟ୍‌ ଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଚତୁଃପାର୍ଶ୍ବରେ ଭୋଟ୍‌ ଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚାଳନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର