୭୯ ଦିନ ଧରି ବନ୍ଦ କୋଠରିରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା: ଗୁଣିଆ ଓ ଶାଶୂଘର ଲୋକେ ଫେରାର୍

ଜଳେଶ୍ବର: ଜଳେଶ୍ବର ବ୍ଲକ ରାଇବଣିଆ ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଭୋଗରାଇ ଅଞ୍ଚଳର ଜଣେ ଗୁଣିଆ ୭୯ ଦିନ ଧରି ବନ୍ଦ କୋଠରିରେ ଦୁଷ୍କର୍ମ କରିବା ଘଟଣାରେ ଜଳେଶ୍ବର ପୁଲିସ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି। ଗତକାଲି ପୀଡ଼ିତା ମହିଳା ଜଣକ ଅଭିଯୋଗ କରିବା ପରେ ଜଳେଶ୍ବର ପୁଲିସ ବିଭିନ୍ନ ଦଫାରେ ୧୬୯/୨୨ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗୁଣିଆ କୁହାଯାଉଥିବା ଭୋଗରାଇ କଖଡ଼ା ଗ୍ରାମର ସେକ ତରାଫ, ମହିଳାଙ୍କ ସ୍ବାମୀ ନୀଳମଣି, ଦିଅର ସୁର୍ଯ୍ୟମଣି, ଶାଶୂ ଗୀତାରାଣୀ, ଶ୍ବଶୁର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।

ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପୀଡ଼ିତା ଆଜି ଜଳେଶ୍ବର ପୁଲିସର ଏକ ଟିମ୍ ଯେଉଁଠି ମହିଳାଙ୍କୁ ୭୯ ଦିନ ଧରି ବନ୍ଦ କୋଠରିରେ ରଖାଯାଇଥିଲା ଅର୍ଥାତ୍ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ବଇଁଚଡିହା ଗ୍ରାମକୁ ଯାଇ ତଦନ୍ତ କରିଛି। ସେହିପରି ମହିଳାଙ୍କ ଶାଶୂଘରକୁ ଯାଇ ସେଠାରେ ଗ୍ରାମବାସୀଙ୍କ ଠାରୁ ପରିବାର ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଗୁଣିଆ ସେକ୍ ତରାଫ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ସ୍ବତନ୍ତ୍ର ଏକ ଟିମ୍ ଗଠନ କରିଛି। ସେକ୍ ତରାଫ ଓ ମହିଳାଙ୍କ ଶାଶୂଘର ଲୋକେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା କରୁଛି।

ପ୍ରକାଶଯୋଗ୍ୟ ଯେ, ଜଳେଶ୍ବର ବ୍ଲକ ରାଇବଣିଆ ଥାନା ଚମାରଗାଁ ଗ୍ରାମର ଜଣେ ମହିଳାଙ୍କୁ ବିବାହର ୬ ମାସ ପରଠୁ ଶାଶୂଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତେବେ ମହିଳାଙ୍କୁ ତାଙ୍କ ଶାଶୂ ଜଣେ ଭଣ୍ଡ ଓ କାମାନ୍ଧ ଗୁଣିଆ ପାଖକୁ ନେଇଯିବା ସହ ତା ସହ ଶାରୀରିକ ସମ୍ପର୍କ ରଖିଲେ ଘରକୁ ଶାନ୍ତି ଫେରିବ, ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ, ଚାକିରି ମିଳିଯିବ କହି ଗୁଣିଆଙ୍କ ନିକଟରେ ଛାଡ଼ି ଖସି ଚାଲି ଆସିଥିଲେ। ଗୁଣିଆ ଜଣକ ମହିଳାଙ୍କୁ ଏକ ବନ୍ଦ କୋଠରି ଭିତରେ ରଖିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲା। ହେଲେ ସେ ବାହାରକୁ ଯାଇଥିବା ବେଳେ ମହିଳା ଜଣକ କୌଶଳକ୍ରମେ ତାଙ୍କ ବାପଘର ଲୋକଙ୍କୁ ଏ ବିଷୟରେ ଫୋନରେ ଗତ ସପ୍ତାହରେ ଜଣାଇଥିଲେ। ପରିବାର ଲୋକେ ମୋରଡ଼ା ପୁଲିସ ସହାୟତାରେ ଗତ ୨୮ ତାରିଖରେ ମହିଳା ଓ ତାଙ୍କ ପୁଅକୁ ସେହି କାଳକୋଠରିରୁ ଉଦ୍ଧାର କରିଥିଲେ। ଏହାପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା।

ସମ୍ବନ୍ଧିତ ଖବର