ବରଗଡ଼/ବିଜେପୁର : ସରଗରମ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସରିଛି। ମତଦାନ ହାର ୭୮.୯୬ ପ୍ରତିଶତ ରହିଛି। କୌଣସି ସ୍ଥାନରୁ କିଛି ଅଘଟଣର ରିପୋର୍ଟ ହୋଇନଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୪ ସାଧାରଣ ନିର୍ବାଚନରେ ବିଜେପୁରରେ ୮୦.୨୯ ଏବଂ ୨୦୧୮ ଉପନିର୍ବାଚନରେ ୮୨.୩ ପ୍ରତିଶତ ମତଦାନ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ମତଦାନ ହାର ୭୮.୯୨ ପ୍ରତିଶତ ରେକର୍ଡ କରାଯାଇଥିଲା।
ଏଥର ଉପନିର୍ବାଚନରେ ମତଦାନ ହାର ସକାଳୁ ମାନ୍ଦା ରହିଥିଲା ଏବଂ ପୂର୍ବାହ୍ଣ ୧୧ଟା ବେଳକୁ ମାତ୍ର ୨୫.୭ ପ୍ରତିଶତ ରେକର୍ଡ କରାଯାଇଥିଲା। ପରେ ଏହା ବୃଦ୍ଧି ପାଇ ସଂଧ୍ୟା ସୁଦ୍ଧା ୭୮.୯୬ ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି। କାଁ ଭାଁ ସାମାନ୍ୟ ପାଟିତୁଣ୍ଡକୁ ଛାଡ଼ି ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟଗ୍ରହଣ ଶେଷ ହୋଇଛି। ଏଥିସହ ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ୨୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ମତଦାନ ସମୟରେ ବି ୬ଟି ଭିଭିପାଟ୍ରେ ତ୍ରୁଟି ଦେଖା ଦେଇଥିଲା। ସେଗୁଡ଼ିକୁ ବଦଳା ଯାଇଥିଲା।
କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିଜ ଗାଁ ବିଜେପୁର ବ୍ଲକ ମାନପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ନମ୍ବର ୯୮ରେ ଭୋଟ୍ ଦେଇଥିଲେ। ବିଜେଡି ପ୍ରାର୍ଥିନୀ ରୀତା ସାହୁ ବରପାଲି ସମଲେଶ୍ୱରୀ ୟୁଜିୟୁପି ସ୍କୁଲ ବୁଥ୍ ନମ୍ବର ୨୧ରେ ମତଦାନ କରିଥିଲେ। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜେପୁର ବାଳକ ପ୍ରାଥମିକ ବିଦ୍ୟାଳୟ ବୁଥ ନମ୍ବର ୧୦୫କୁ ଯାଇ ଭୋଟ୍ ଦେଇଥିଲେ। ବରପାଲି ବ୍ଳକ ଆଗଲପୁରଠାରେ ଶତାୟୁ ବୃଦ୍ଧା ଲୋଚନା ନାୟକଙ୍କ ସମେତ ବୟସ୍କ ଭୋଟର ଉତ୍ସୁକତାର ସହିତ ମତଦାନ କରିଥିଲେ। ଗାଇସିଲାଟ ବ୍ଳକର ମାଓ ପ୍ରବଣ ୬ଟି ମତଦାନ କେନ୍ଦ୍ରରେ ସିଆର୍ପିଏଫ୍ ଯବାନ ମୁତୟନ ରହିଥିଲେ। ମୋଟ ୬ଟି ଆଦର୍ଶ ମତଦାନ କେନ୍ଦ୍ର ଆକର୍ଷଣ ପାଲଟିଥିଲା। ବିଜେପୁର ବୁଥ ନମ୍ବର ୧୦୫ରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଭୋଟ୍ ଦାନ ସରିବା ପରେ ପୁଲିଂ ପାର୍ଟି ଏବଂ ଭିଭିପାଟ୍ ମେସିନ୍ ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପଦ୍ମପୁର ଆର୍ଏମ୍ସିସ୍ଥିତ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି। ସେଠାରେ ସଶସ୍ତ୍ର ପୁଲିସ୍ ମୁତୟନ ଅଛନ୍ତି। ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ସେହିଦିନ ଫଳାଫଳ ଘୋଷଣା ହେବ।