ଜିଲ୍ଲାରେ ୭୯ ପ୍ରତିଶତ ନବଜାତ ସଂପୂର୍ଣ୍ଣ ଟିକାକରଣରୁ ବଂଚିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୭୧ ପ୍ରତିଶତ ନବଜାତ ସଂପୂର୍ଣ୍ଣ ଟିକାକରଣରୁ ବଂଚିତ । ୪୮ ପ୍ରତିଶତ ଗର୍ଭବତୀ ମହିଳା ଆଂଟିନାଟାଲ୍ କେୟାର୍ ପଂଜୀକରଣରୁ ବଂଚିତ । ୧୭ ପ୍ରତିଶତ ଗର୍ଭବତୀ ମହିଳା ଆଇରନ ଫଲିକ୍ ଏସିଡ୍ ଟାବେଲ୍ଟ (ଲୌହ ବଟିକା)ପାଇବାରୁ ବଂଚିତ । ୧୬ ପ୍ରତିଶତ କାଲସିଅମ୍ ଟାବଲେଟ୍ ପାଇବାରୁ ବଂଚିତ । ଜିଲ୍ଲାର ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟସେବାର ଏଭଳି ବିକଳିଆ ସ୍ଥିତିର ପରିସଂଖ୍ୟାନ ଆଜି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଉପସ୍ଥାପିତ କରାଯାଇଛି ।
ଆଜି ପୂର୍ବାହ୍ଣରେ ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଏଡିଏଚ୍ଓ କକ୍ଷରେ ଜିଲ୍ଲାର ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟସେବା, ମହିଳା ଓ ଶିଶୁ ମୃତ୍ୟୁହାର ଆଦି ନେଇ ସମୀକ୍ଷା ବୈଠକ ହୋଇଥିଲା ।

ବୈଠକରୁ ମିଳିଥିବା ସୂଚନାନୁସାରେ, ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଜିଲ୍ଲାରେ ୫୨ ପ୍ରତିଶତ ମହିଳା ଆଂଟିନାଟାଲ୍ କେୟାର୍ ପାଇଁ ପଂଜୀକରଣ କରିଛନ୍ତି । ଏହା ମଧ୍ୟରୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରେ ସର୍ବାଧିକ ୧୩୧ ପ୍ରତିଶତ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୧ ପ୍ରତିଶତ, ବାଣପୁର ସିଏଚ୍ସିରେ ୭୮ ପ୍ରତିଶତ, ମେଣ୍ଢାଶାଳ ସିଏଚ୍ସିରେ ୭୪%, ଭୁବନେଶ୍ୱର ସହାରାଂଚଳରେ ୭୪ ପ୍ରତିଶତ, ବାଲୁଗାଁ ୬୯%, କାଳକାଟି ୬୯%, ଟାଙ୍ଗୀ ୬୪%, ମୁକୁନ୍ଦପ୍ରସାଦ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୬୦%, ବେଗୁନିଆ ୫୭%, ବାଲିପାଟଣା ୫୭%, ବୋଲଗଡ଼ ୫୪%, କୁଦିଆରୀ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୫୦% ପ୍ରତିଶତ ରହିଛି । ଗର୍ଭବତୀ ମହିଳାଙ୍କୁ ଲୌହ ବଟିକା ମିଳିବାରେ ଜିଲ୍ଲାର ହାରାହାରି ହାର ୮୩ ପ୍ରତିଶତ ଥିବା ବେଳେ ଭୁବନେଶ୍ୱର ସହାରାଂଚଳ ଓ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ ଏହା ଜିଲ୍ଲା ହାର ଠାରୁ ସର୍ବନିମ୍ନ ରହିଛି । ଭୁବନେଶ୍ୱର ସହରାଂଚଳରେ ୭୬% ପ୍ରତିଶତ ଥିବା ବେଳେ ବାଳକାଟିରେ ଏହା ୭୪% ପ୍ରତିଶତ ରହିଛି । କାଲସିଅମ ବଟିକା ପାଇବାରେ ଜିଲ୍ଲାର ହାରାହାରି ହାର ୮୪% ପ୍ରତିଶତ ଥିବା ବେଳେ ଭୁବନେଶ୍ୱର ସହରାଂଚଳ ଓ ବାଳକାଟି ସିଏଚ୍ସିରେ ଏହା ସର୍ବନିମ୍ନ ରହିଛି ।

ସେହିଭଳି ଗର୍ଭବତୀ ମହିଳାଙ୍କ ପାଇଁ ସ୍ନାୟବିକ ସମସ୍ୟାରେ ଦିଆଯାଉଥିବା ଅଲବେଣ୍ଡାଜୋଲ୍ ବଟିକା ପାଇବାରେ ଜିଲ୍ଲାର ବିଭିନ୍ନ ସରକାରୀ ଚିକିତ୍ସାଳୟରେ ପଂଜିକୃତ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୬ ପ୍ରତିଶତ ବଂଚିତ ହେଉଛନ୍ତି । ଜିଲ୍ଳାରେ ଏହି ବଟିକା ପାଇବା ହାର ୯୪% ଥିବା ବେଳେ ବାଲୁଗାଁ ସିଏଚ୍ସି, ଭୁବନେଶ୍ୱର ସହରାଂଚଳ, କୁଦିଆରୀ ୟୁପିଏଚ୍ସି ଓ ମୁକୁନ୍ଦପ୍ରସାଦ ୟୁପିଏଚ୍ସିରେ ଏହା ଜିଲ୍ଲାର ହାର ଠାରୁ କମ୍ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗର୍ଭବତୀ ମହିଳାଙ୍କ ଲୋହିତ ରକ୍ତକଣିକା (ହେମୋଗ୍ଲୋବିନ୍) ପରୀକ୍ଷଣର ହାର ଜିଲ୍ଲାସ୍ତରରେ ୮୧ ପ୍ରତିଶତ ରହିଛି । କୌଣସି ସରକାରୀ ହସ୍ପିଟାଲ୍ରେ ଏହା ଶତପ୍ରତିଶତ ଲକ୍ଷ୍ୟ ପୂରଣ ହୋଇପାରିନଥିବା ବେଳେ ବାଲିପାଟଣା, ବାଲୁଗାଁ, ଭୁବନେଶ୍ୱର ସହାରାଂଚଳ, ବାଣପୁର ଓ ବାଳକାଟିରେ ଏହା ଜିଲ୍ଲା ହାର ଠାରୁ ସର୍ବନିମ୍ନ ରହିଛି । ୭.୧ ଗ୍ରାମ ପ୍ରତିଶତ ଠାରୁ ୧୦.୯୯ ଗ୍ରାମ ପ୍ରତିଶତ ମଧ୍ୟରେ ରକ୍ତରେ ହେମୋଗ୍ଲୋବିନ୍ ର ମାତ୍ରା ରହିଲେ ଏହାକୁ ଲଘୁ ରକ୍ତହୀନତା ବୋଲି ଗ୍ରହଣ କରାଯାଏ ।

ଏହି ତାଲିକାରେ ଜିଲ୍ଳାରେ ପଂଜୀକୃତ ହୋଇଥିବା ମୋଟ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨୬ ପ୍ରତିଶତ ଏଭଳି ରକ୍ତହୀନତାରେ ପୀଡ଼ିତ ଅଟନ୍ତି । ଏହି ମାତ୍ରା ବାଲୁଗାଁ, ଟାଙ୍ଗୀ, ଭୁବନେଶ୍ୱର ସହାରାଂଚଳ, ବୋଲଗଡ଼, ଖୋର୍ଦ୍ଧା ଓ ବେଗୁନିଆରେ ସର୍ବାଧିକ ଅଟେ । ଖୋର୍ଦ୍ଧାରେ ଏହା ୪୭ % ପ୍ରତିଶତ ଥିବା ବେଳେ ବେଗୁନିଆରେ ୫୨% ପ୍ରତିଶତ ଗର୍ଭବତୀ ମହିଳା ଏହି ରକ୍ତହୀନତାର ଶିକାର ଅଟନ୍ତି ।
ଏହି ବୈଠକର ଅନ୍ୟନ୍ୟ ପ୍ରସଙ୍ଗର ସମୀକ୍ଷା ସମ୍ପର୍କରେ ବିଷଦ ବିବରଣୀ ବିଭାଗ ପକ୍ଷରୁ ମିଳିପାରିନାହିଁ । ତେବେ ମିଳିଥିବା ସୂଚନାରେ, ଜିଲ୍ଳାରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ନିକଟରେ ସଠିକ୍ ଭାବେ ସ୍ୱାସ୍ଥ୍ୟସେବା ପହଂଚିପାରୁନଥିବାରୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ, ଡିଏମ୍ଓ ଡା ବିଶ୍ୱମୋହନ ମିଶ୍ର, ପରିବାର କଲ୍ୟାଣ ବିଭାଗର ଡା ରଘୁନାଥ ନାୟକ, ଡିଏମ୍ଆର୍ସି ଓ ଅନ୍ୟ ବିଭାଗୀୟ ଡାକ୍ତର ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର